କଙ୍ଗନାଙ୍କ ବିରୋଧରେ ଲଢିବେ ବିକ୍ରମାଦିତ୍ୟ ସିଂହ

କଙ୍ଗନା ବିରୋଧରେ ଲୋକସଭା ନିର୍ବାଚନ ଲଢିବେ ହିମାଚଳ ପ୍ରଦେଶର ଆଗଧାଡିର ଯୁବ ନେତା ବିକ୍ରମାଦିତ୍ୟ ସିଂହ । ଏନେଇ ହିମାଚଳ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ପ୍ରତିଭା ସିଂହ ଘୋଷଣା କରିଛନ୍ତି । ତେବେ ଦଳ ପକ୍ଷରୁ ଏନେଇ ବିଧିବଦ୍ଧ ଘୋଷଣା ହେଇନଥିଲେ ବି, ବିକ୍ରମାଦିତ୍ୟଙ୍କୁ ମଣ୍ଡିରୁ ଲୋକସଭା ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି ପ୍ରତିଭା ସିଂ । ଯାହା ପରେ ତାଙ୍କର ସିଧାସଳଖ ଟକ୍କର ବଲିଉଡ୍ କୁଇନ୍ କଙ୍ଗନାଙ୍କ ସହ ହେବା ପକ୍କା ହେଇଯାଇଛି ।
ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସୁଖୁ ମଧ୍ୟ ଏନେଇ ପୂର୍ବରୁ ସଙ୍କେତ ଦେଇଥିଲେ । ସେ କହିଥିଲେ କି, ମଣ୍ଡିରୁ ଜଣେ ଯୁବ ନେତା ଲଢିବାକୁ ଯାଉଛନ୍ତି । ସେହିପରି ପ୍ରତିଭା ସିଂହ ମଧ୍ୟ କହିଛନ୍ତି କି, ମଣ୍ଡିରୁ ବିକ୍ରମାଦିତ୍ୟ ସିଂହ ସଶକ୍ତ ପ୍ରାର୍ଥୀ ହେବେ । ପ୍ରତିଭା ସିଂହଙ୍କ କହିବା କଥା, କଙ୍ଗନା ରଣାୱତ କଣ କହୁଛନ୍ତି ଆଉ କରୁଛନ୍ତି ତାର ଫରକ୍ ଆମ ଉପରେ ପଡୁନି । ମଣ୍ଡିର ଜନତା କିନ୍ତୁ ଆମ ସହିତ ଅଛନ୍ତି । କଠିନ ପରିସ୍ଥିତିରେ ମଧ୍ୟ ସେଠାରୁ ସେ ନିର୍ବାଚନ ଜିତିଛନ୍ତି ବୋଲି ପ୍ରତିଭା କହିଛନ୍ତି । ସୂଚନାଯୋଗ୍ୟ ଯେ, ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ତଥା ବିକ୍ରମାଦିତ୍ୟଙ୍କ ମାଆ ପ୍ରତିଭା ସିଂହ ଏଥର ନିର୍ବାଚନ ଲଢିବେନି ବୋଲି ଆଗୁଆ ଘୋଷଣା କରିଥିଲେ । ଯାହାପରେ ତାଙ୍କ ପୁଅ ସେଠାରୁ ନିର୍ବାଚନ ଲଢିବେ ବୋଲି ସେ ଘୋଷଣା କରିଛନ୍ତି ।
କୁହାଯାଉଛି, ବିକ୍ରମାଦିତ୍ୟ ସିଂହ ମଣ୍ଡିରୁ ଲୋକସଭା ପ୍ରାର୍ଥୀ ହେଲେ, ଦଳ ଭିତରେ ଥିବା କନ୍ଦଳର ମଧ୍ୟ ଅନ୍ତ ଘଟିପାରେ । ନିକଟରେ ରାଜ୍ୟସଭା ନିର୍ବାଚନବେଳେ ହିମାଚଳ ପ୍ରଦେଶ କଂଗ୍ରେସରେ ଫାଟ ଦେଖିବାକୁ ମିଳିଥିଲା । କ୍ରସ୍ ଭୋଟିଂ କାରଣରୁ କଂଗ୍ରେସ ନେତା ଅଭିଷେକ ମନୁ ସିଂଘବୀ ନିର୍ବାଚନ ହାରିଯାଇଥିଲେ ।

Spread the love