ଆସନ୍ତା ୨୦ରେ କଟକ ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଐତିହାସିକ କଟକ ବାଲିଯାତ୍ରା ପଡ଼ିଆକୁ ଆସୁଛନ୍ତି । ଏନେଇ କାର୍ଯ୍ୟକ୍ରମର ପ୍ରାଥମିକ ରୂପରେଖ ସ୍ଥିର ହୋଇଛି । କଟକ ଲୋକସଭା ପ୍ରାର୍ଥୀ ଓ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୭ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବାକୁ ମୋଦିଜୀ ଏଠାରୁ ଏକ ବଡ଼ ଜନସଭାକୁ ସମ୍ବୋଧିତ କରିବେ । ଏହି ପରିପ୍ରେକ୍ଷୀରେ ଶନିବାର ଦଳର ରାଜ୍ୟ ନେତୃବୃନ୍ଦଙ୍କ ଏକ ଟିମ୍ ତଳ ଓ ଉପର ବାଲିଯାତ୍ରା ପଡ଼ିଆ ବୁଲି ଦେଖିଛନ୍ତି । ଚଳିତ ନିର୍ବାଚନରେ ବିଜେପି ରାଜ୍ୟର ପ୍ରାୟ ସବୁ ଲୋକସଭା କ୍ଷେତ୍ର ଉପରେ ଫୋକସ୍ କରୁଛି । ତେଣୁ ମୋଦିଜୀ ଏଯାବତ ପ୍ରାୟ ୬ଟି ଲୋକସଭା ଅଞ୍ଚଳରେ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଷ୍ଟାର୍ ପ୍ରଚାରକ ଭାବେ ପ୍ରଚାର କରିସାରିଲେଣି । ତେବେ ରାଜ୍ୟର ତୃତୀୟ ପର୍ଯ୍ୟାୟରେ ହେବାକୁ ଥିବା ୬ଟି ଲୋକସଭା ନିର୍ବାଚନ ପାଇଁ ୨୩ ତାରିଖ ପ୍ରଚାର ସରିବ । କଟକ ସହିତ ପୁରୀ, କେନ୍ଦୁଝର ଓ ସମ୍ବଲପୁର ଭଳି ହାଇପ୍ରୋଫାଇଲ୍ ଲୋକସଭା ସିଟ୍ ଗୁଡ଼ିକ ତୃତୀୟ ପର୍ଯ୍ୟାୟରେ ରହିଛି । ତେଣୁ ଏହି ୪ ଲୋକସଭା ଆସନ ପାଇଁ ପ୍ରଚାର କରିବାକୁ ମୋଦିଜୀ ଦୁଇ ଦିନିଆ ଗସ୍ତରେ ଓଡ଼ିଶା ଆସିବେ ବୋଲି ଦଳ ପକ୍ଷରୁ ଯୋଜନା ହେଉଛି । ଆସନ୍ତା ୧୯-୨୦ କିମ୍ବା ୨୦-୨୧ରେ ମୋଦିଜୀ ଆସିବାର କାର୍ଯ୍ୟକ୍ରମ ରହିଛି ।

Spread the love