ସକାଳ ୯ଟା ସୁଦ୍ଧା ୯.୨୫ ପ୍ରତିଶତ ମତଦାନ

ଭୁବନେଶ୍ୱର: ଆଜି ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେଉଛି। ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୪ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନ ପାଇଁ ଭୋଟରମାନେ ମତଦାନ କରୁଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସକାଳ ୯ଟା ସୁଦ୍ଧା ୯.୨୫ ପ୍ରତିଶତ ମତଦାନ ହୋଇଛି। ସକାଳ ୯ଟା ସୁଦ୍ଧା କୋରାପୁଟରେ ସର୍ବାଧିକ ୧୩.୧୨ପ୍ରତିଶତ, ଗଞ୍ଜାମରେ ସର୍ବନିମ୍ନ ଗଞ୍ଜାମରେ ୬.୮୧ପ୍ରତିଶତ ମତଦାନ ହୋଇଛି। ଏଥି ସହିତ ଗଜପତିରେ ୧୦.୨ପ୍ରତିଶତ, କଳାହାଣ୍ଡିରେ ୯.୦୬ ପ୍ରତିଶତ, ମାଲକାନଗିରିରେ ୯.୧୫ ପ୍ରତିଶତ, ନବରଙ୍ଗପୁରରେ  ୮.୮୭ ପ୍ରତିଶତ, ନୂଆପଡ଼ାରେ ୯.୯୮ପ୍ରତିଶତ ଓ ରାୟଗଡ଼ାରେ ୭.୫୨ ପ୍ରତିଶତ ମତଦାନ ହୋଇଛି। ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି ଆଜିର ଭୋଟିଂ ଥିମ ହେଉଛି ଭୋଟ ଦେଉଛି ଓଡିଶା । ୭୩୦୩ ବୁଥରେ ମତଦାତା ଭୋଟ ଦେଉଛନ୍ତି । ଭୋର ୫.୩୦ ମକ୍‌ ପୋଲ ହୋଇଛି । ମକ୍‌ ପୋଲ ସମୟରେ କିଛି ବୁଥରେ ଇଭିଏମ ଖରାପ ହୋଇଛି । ଏହାକୁ ରିପ୍ଲେସ କରାଯାଇଛି । ୭୩୦୩ ବୁଥରୁ ବାଲଟ ୟୁନିଟ ୫୨ ରିପ୍ଲେସ ହୋଇଛି । କଣ୍ଟ୍ରୋଲ ୟୁନିଟ ୫୮ ପରିବର୍ତ୍ତନ ହୋଇଛି । ଭିଭିପାଟ ୪୩ ପରିବର୍ତ୍ତନ ହୋଇଛି । ଏହା ମୋଟ ବୁଥର ୧ ପ୍ରତିଶତରୁ କମ । କଳାହାଣ୍ଡି ଲୋକସଭା କ୍ଷେତ୍ରରେ ଅଧିକ ପରିବର୍ତ୍ତନ ହୋଇଛି । ଯେଉଁଠି ୧୦ ଟି ବାଲଟ ୟୁନିଟ, ୪୧ଟି କଣ୍ଟ୍ରୋଲ ୟୁନିଟ ଓ ୧୯ଟି ଭିଭିପାଟ ପରିବର୍ତ୍ତନ ହୋଇଛି । ଇଭିଏମ କମିଶନ ବେଳେ ଏଠାରେ ସମସ୍ୟା ରହିବ ବୋଲି ସୂଚନା ରହିଥିଲା । ସେଥିପାଇଁ ୫୦ ପ୍ରତିଶତ ଅଧିକ ଇଭିଏମ ସେଠାକୁ ଯୋଗାଯାଇଛି।  ମୁଖ୍ୟ ନିର୍ବାଚନ ଅଧିକାରୀ ଆହୁରି ମଧ୍ୟ କହିଛନ୍ତି ୪ ଲୋକସଭା କ୍ଷେତ୍ରର ସମସ୍ତ ଭୋଟରଙ୍କୁ ମୁଁ ଆଶ୍ୱସ୍ତ କରୁଛି । ଯେଉଁଠାରେ ଇଭିଏମ ତ୍ରୁଟି ହେବ ୩୦ ମିନିଟ ଭିତରେ ଆମେ ସମାଧାନ କରିଦେବୁ ।

Spread the love