ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ : ୪ ଲୋକସଭା ଓ ୨୮ ବିଧାନସଭା କ୍ଷେତ୍ରରେ ଚାଲିଛି ମତଦାନ

ସୋମବାର ଦେଶର ଚତୁର୍ଥ ଓ ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେଉଛି। ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୪ଟି ଲୋକସଭା ଆସନ ଓ ଏହା ଅନ୍ତର୍ଗତ ୨୮ ବିଧାନସଭା ଆସନ ପାଇଁ ଭୋଟରମାନେ ମତଦାନ କରୁଛନ୍ତି। ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ରାଜ୍ୟର ୪ଟି ଲୋକସଭା କ୍ଷେତ୍ର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଏବଂ ଏହା ଅଧିନସ୍ଥ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ହେଉଛି ଭୋଟିଂ। ପ୍ରଥମ ପର୍ଯ୍ୟାୟରେ ୬୨ ଲକ୍ଷ ୮୭ ହଜାର ୨୨୨ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିପାରିବେ । ୩୦,୯୭,୫୨୭ ପୁରୁଷ ଭୋଟର ଓ ୩୧,୮୯,୦୬୦ ମହିଳା ଭୋଟର ଅଛନ୍ତି। ୬୩୫ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି। ପୁରୁଷ ଭୋଟରଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି। ୪ଟି ଲୋକସଭା ଆସନ ପାଇଁ ୩୭ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା କରୁଥିବା ବେଳେ ୨୮ଟି ବିଧାନସଭା ଆସନରେ ୨୪୩ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି ।ସର୍ବମୋଟ ୭ ହଜାର ୩୦୩ଟି ମତଦାନ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ବୁଥ୍‌ରେ କୌଣସି ସମସ୍ୟା ଦେଖାଦେଲେ ତୁରନ୍ତ ମତଦାନ ଗ୍ରହଣ କରିବା ପାଇଁ ୧୪ଟି ଅତିରିକ୍ତ ଭୋଟଗ୍ରହଣ କେନ୍ଦ୍ର ମଧ୍ୟ ହୋଇଛି। ୧୨୬୪ଟି ବୁଥ ସମ୍ବେଦନଶୀଳ ଚିହ୍ନଟ ହୋଇଛି । ୬୬୨ ଆଦର୍ଶ ମତଦାନ କେନ୍ଦ୍ର କରାଯାଇଛି। ୧୫ଟି କେନ୍ଦ୍ରରେ କେବଳ ମହିଳା ପୋଲିଂ କର୍ମଚାରୀ ଏବଂ ୩୯ଟି ଭୋଟଗ୍ରହଣ କେନ୍ଦ୍ରରେ କେବଳ ଦିବ୍ୟାଙ୍ଗ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଶୃଙ୍ଖଳିତ ଭୋଟ୍ ଗ୍ରହଣ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମୋଟ ୫୨ ହଜାର ୫୦୦ ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି ସୁରକ୍ଷିତ ମତଦାନ ପାଇଁ ୧୦୪ କମ୍ପାନୀ ସୁରକ୍ଷାକର୍ମୀ ମୁତୟନ ହୋଇଛନ୍ତି।

Spread the love