କାକୁଡି ଖାଇ ପାଣି ପିଉଛନ୍ତି କି, ଦେଖାଦେଇପାରେ ସବୁ ସମସ୍ୟା
(ସତ୍ୟଦ୍ରଷ୍ଟା ବ୍ୟୁରୋ): ଶରୀରକୁ ସୁସ୍ଥ ରଖିବା ପାଇଁ ଖାଦ୍ୟ ସହ ଲୋକମାନେ ସାଲାଡ୍ ଖାଇଥାନ୍ତି । ଆଉ ସାଲାଡ଼ରେ ଲୋକମାନେ କାକୁଡ଼ିକୁ ଅଧିକ ମାତ୍ରାରେ ଖାଇଥାନ୍ତି । କାକୁଡ଼ିରେ ଭିଟାମିନ୍ ଏ, କପର,ମ୍ୟାଗ୍ନେସିୟମ, ପୋଟାସିୟମ, ମାଙ୍ଗାନିଜ୍ ଆଦି ପୋଷକ ତତ୍ତ୍ୱ ଭରପୂର ମାତ୍ରାରେ ରହିଥାଏ, ଯାହା ଶରୀରକୁ ସୁସ୍ଥ ରଖିଥାଏ । କାକୁଡ଼ି ଖାଇବା ଶରୀର ପାଇଁ ଯେତେ ଲାଭଦାୟକ କାକୁଡ଼ି ଖାଇ ସାରି ପାଣି ପିଇବା ଶରୀର ପାଇଁ ସେତେ କ୍ଷତିକାରକ ହୋଇଥାଏ । ଆସନ୍ତୁ ଜାଣିବା କାକୁଡ଼ି ଖାଇବା ପରେ ପାଣି ପିଇଲେ କେଉଁ ସବୁ ଶାରୀରିକ ସମସ୍ୟା ଦେଖା ଯାଇଥାଏ । କାକୁଡ଼ିରେ ୯୫ପ୍ରତିଶତ ପାଣି ଏବଂ ଅନ୍ୟ ପୋଷକ ତତ୍ତ୍ୱ ରହିଥାଏ । କାକୁଡ଼ି ଖାଇ ସାରି ପାଣି ପିଇଲେ ଶରୀରକୁ କାକୁଡ଼ିର ପୋଷକ ତତ୍ତ୍ୱ ମିଳି ପାରି ନ ଥାଏ । ଖାଦ୍ୟକୁ ହଜମ କରିବା ପାଇଁ ଶରୀରକୁ ପିଏଚ୍ ସ୍ତରର ଆବଶ୍ୟକତା ହୋଇଥାଏ । କିନ୍ତୁ ଖାଦ୍ୟରେ କାକୁଡ଼ି ଖାଇବାର ତୁରନ୍ତ ପରେ ପାଣି ପିଇଲେ ପିଏଚ୍ ସ୍ତର ଦୁର୍ବଳ ହୋଇ ଯାଇଥାଏ । ଫଳରେ ଖାଦ୍ୟକୁ ହଜମ କରୁଥିବା ଏସିଡ଼୍ ଠିକ୍ ଭାବରେ କାମ କରିପାରିନଥାଏ । କାକୁଡ଼ି ଖାଇଲେ ପେଟଜନିତ ସମସ୍ୟା ଦୂର ହେବା ସହ ଖାଦ୍ୟ ହଜମ ହୋଇଥାଏ । କିନ୍ତୁ କାକୁଡ଼ି ଖାଇ ସାରି ପାଣି ପିଇଲେ ଡ଼ାଇରିଆ ହେବାର ସମ୍ଭାବନା ବଢ଼ି ଯାଇଥାଏ ।