ଓଡ଼ିଶାର କଳା, ସଂସ୍କୃତିକୁ ବିଶ୍ୱ ଦରବାରରେ ପହଁଚାଇବାରେ ପ୍ରଧାନମନ୍ତ୍ରୀଙ୍କ ଭୂମିକା ଅତୁଳନୀୟ: ମନମୋହନ ସାମଲ

ଭୁବନେଶ୍ୱର,୧୦/୦୭: ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାବାସୀଙ୍କୁ ସର୍ବଦା ପ୍ରାଧାନ୍ୟ ଦେଉଛନ୍ତି । ଓଡ଼ିଶାର କଳା, ସଂସ୍କୃତି, ପରମ୍ପରାକୁ ବିଶ୍ୱଦରବାରରେ ପହଁଚାଇବାରେ ପ୍ରଧାନମନ୍ତ୍ରୀଙ୍କ ଭୂମିକା ଅତୁଳନୀୟ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି । ଋଷିଆ ଗସ୍ତରେ ଯାଇଥିବା ବେଳେ ମୋଦିଙ୍କୁ ସେଠାକାର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଛି । ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଶ୍ରୀ ସାମଲ ଶୁଭେଚ୍ଛା ଜଣାଇଛନ୍ତି ।
ଶ୍ରୀ ସାମଲ କହିଛନ୍ତି, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଋଷରେ ଯେଉଁ ସମ୍ମାନ ମିଳିଛି ସେଥିପାଇଁ ସାରା ଭାରତବାସୀ ଗର୍ବିତ । ଏହା ପୂର୍ବରୁ ମୋଦିଜୀ ଆମେରିକା ସଂସଦରେ ୨ ଥର ବକ୍ତବ୍ୟ ଦେବାର ସୌଭାଗ୍ୟ ଲାଭ କରିଛନ୍ତି ।
ସେ ଫ୍ରାନ୍ସ, ଇଜିପିଟ୍‌, ଭୁଟାନ୍‌, ୟୁଏଇ, ପାଲେଷ୍ଟିନ୍ ଓ ସାଉଦି ଆରବ ଆଦି ଦେଶରୁ ସର୍ବୋଚ୍ଚ ନାଗରିକ ସମ୍ମାନ ପାଇଛନ୍ତି ।
ଋଷିଆରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ ବେଳେ “ଜୟ ଜଗନ୍ନାଥ” କହିବା କୋଟି ଓଡ଼ିଆଙ୍କ ହୃଦୟକୁ ଛୁଇଁଛି । ସେଠାରେ ସେ ପିନ୍ଧିଥିବା ସମ୍ବଲପୁରୀ ଉତରୀୟ ଦେଖାଇ ଓଡ଼ିଶାବାସୀଙ୍କୁ ସମ୍ମାନିତ କରିଛନ୍ତି । ସେ ଓଡ଼ିଶାର ରାଜନୈତିକ ପରିବର୍ତନ ବିଷୟରେ କହିବା ସହ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ପ୍ରବାସୀ ଭାରତୀୟଙ୍କୁ ଅବଗତ କରାଇଛନ୍ତି । ଏହା ସମଗ୍ର ଓଡ଼ିଶାବାସୀଙ୍କୁ ଗର୍ବିତ କରିଛି । ଏହା ପୂର୍ବରୁ ମଧ୍ୟ ଅନେକ ଥର ବିଦେଶଗସ୍ତ ବେଳେ ଓଡ଼ିଶାର ଐତିହ୍ୟକୁ ପ୍ରଧାନମନ୍ତ୍ରୀ ମୋଦି ସ୍ମରଣ କରିଛନ୍ତି । ୨୦୨୨ରେ ଇଣ୍ଡୋନେସିଆର ବାଲିଠାରେ ଚାଲିଥିବା ଜି-୨୦ ସମ୍ମିଳନୀରେ ପ୍ର୍‌ଧାନମନ୍ତ୍ରୀ ମୋଦି କଟକର ବିଶ୍ୱପ୍ରସିଦ୍ଧ ବାଲିଯାତ୍ରାକୁ ସ୍ମରଣ କରିଥିଲେ । କଟକ ମହାନଦୀ କୂଳରେ ପ୍ରତିବର୍ଷ ହେଉଥିବା ବାଣିଜ୍ୟ ମେଳାକୁ ସେ ପ୍ରଶଂସା କରିଥିଲେ ।
ଓଡ଼ିଆବାସୀଙ୍କ କଳା ଓ ସଂସ୍କୃତିକୁ ସାରା ବିଶ୍ୱରେ ପ୍ରଚାର ଓ ପ୍ରସାର କରୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜ୍ୟ ସଭାପତି ଶ୍ରୀ ସାମଲ ଓଡ଼ିଶାବାସୀଙ୍କ ପକ୍ଷରୁ କୃତଜ୍ଞତା ଜଣାଇଛନ୍ତି ।

Spread the love