ଲୋକସଭାରେ କଂଗ୍ରେସର ଉପ ନେତା ହେଲେ ଗୌରବ ଗୋଗଇ

କଂଗ୍ରେସ ସାଂସଦ ଗୌରବ ଗୋଗଇଙ୍କୁ ଦଳ ତରଫରୁ ଲୋକସଭାର ଉପନେତା ଭାବେ ନିର୍ବାଚିତ କରାଯାଇଛି । ଏନେଇ ଦଳ ତରଫରୁ ଏକ ଚିଠି ଲୋକସଭାର ବାଚସ୍ପତି ଓମ୍ ବିର୍ଲାଙ୍କୁ ଲେଖାଯାଇଛି । ଏଆଇସିସି ସଂଗଠନ ମହାସଚିବ କେ.ସି ବେଣୁଗୋପାଳ ଏନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି ଯେ, ସଂସଦୀୟ ଦଳ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲାଙ୍କୁ ପତ୍ର ଲେଖି ଲୋକସଭା ପାଇଁ ଉପ ନେତା ପଦ ଦେବାକୁ ଅନୁରୋଧ କରିଛନ୍ତି । ମୁଖ୍ୟ ସଚେତକ ଓ ଦୁଇ ଜଣ ସଚେତକଙ୍କ ବାବଦରେ ମଧ୍ୟ ସୂଚନା ଦେଇଛନ୍ତି । ସୋନିଆ ଗାନ୍ଧୀଙ୍କ ଚିଠି ମୁତାବକ ଗୌରବ ଗୋଗଇ ଲୋକସଭାର ଉପନେତା ହେବେ । ସେହିଭଳି କେରଳରୁ ସାଂସଦ ଭାବେ ନିର୍ବାଚିତ ହୋଇ ଆସିଥିବା କେ ସୁରେଶ ଦଳର ମୁଖ୍ୟସଚେତକ ଓ ମଣିକମ୍ ଟାଗୋର ଓ ମହମ୍ମଦ ଜାବେଦ ଲୋକସଭାର ପାର୍ଟି ସଚେତକ ପଦ ପାଇବେ ।

ସୂଚନା ଥାଉକି, ଏହା ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ଲୋକସଭାର ବିରୋଧୀଦଳ ନେତା ଭାବେ ଚୟନ କରାଯାଇଥିଲା । କେସି ବେଣୁଗୋପାଳ କହିଛନ୍ତି କି, ରାହୁଲ ଗାନ୍ଧୀଙ୍କ ମାର୍ଗଦର୍ଶନରେ କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ର ସାଂସଦ ମାନେ ଲୋକସଭାରେ ଲୋକଙ୍କ ସମସ୍ୟାକୁ ଉଜାଗର କରିବେ ।

Spread the love