ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶକୁ ଫୁ: ମହାପ୍ରଭୁଙ୍କୁ ୪ ଦିନ ଅନିଦ୍ରା ରଖିଲେ

ପୁରୀ: ଚଳିତ ରଥଯାତ୍ରାରେ ବ୍ୟାପକ ବିଶୃଙ୍ଖଳା ଦେଖାଦେଇଛି। ଶ୍ରୀଗୁଣ୍ଡିଚା ଯାତ୍ରାରେ ଆସିଥିବା ମହାପ୍ରଭୁ ବାରମ୍ବାର ରାତି ଅନିଦ୍ରା ରହିଛନ୍ତି। କେବଳ ଜୁଲାଇ ୧୨ ତାରିଖକୁ ଛାଡ଼ିଦେଲେ, ଜୁଲାଇ ୯ ତାରିଖରୁ ପ୍ରତିଦିନ ମହାପ୍ରଭୁ ରାତି ଅନିଦ୍ରା ହୋଇଛନ୍ତି। ବିନା ରାତ୍ର ପହୁଡ଼ରେ ପରଦିନର ନୀତିକାନ୍ତି ଆରମ୍ଭ ହୋଇଛି। ଅପରପକ୍ଷେ ନୀତି ବିଳମ୍ବ ପାଇଁ ଶ୍ରୀମନ୍ଦିର ପ୍ରଶାସନ ୨୦୧୯ରେ ସଂପୃକ୍ତ ପାଳିଆ ନିଯୋଗମାନଙ୍କୁ ଏକ ଚିଠି କରିଥିଲା। ନୀତି ବିଳମ୍ବ ପାଇଁ ପାଳିଆ ପୁରସ୍କାର କାଟିବା ନେଇ ଦଣ୍ଡବିଧାନ କରାଯାଇଥିଲା। କିନ୍ତୁ ଏହି ଚିଠି କେବଳ ଚିଠିରେ ସୀମିତ ରହିଛି। ଯେଉଁମାନେ ନୀତି ବିଳମ୍ବ କରୁଛନ୍ତି, ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନି। ଫଳରେ ଦିନକୁ ଦିନ ସେବାୟତଙ୍କ ଏଭଳି ବିଶୃଙ୍ଖଳା ବଢ଼ିଚାଲିଛି। ଯାହାର ପ୍ରତିଫଳନ ଚଳିତ ଶ୍ରୀଗୁଣ୍ଡିଚା ଯାତ୍ରାରେ ଦେଖିବାକୁ ମିଳିଛି।

ଗତ ଜୁଲାଇ ୭ ତାରିଖରେ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିଲେ ମହାପ୍ରଭୁ। ଯେହେତୁ ୭ ତାରିଖରେ ରାତି କାରଣରୁ ତିନିରଥ ଟଣା ସଂପୂର୍ଣ୍ଣ ହୋଇପାରିନଥିଲା, ସେ ଦୃଷ୍ଟିରୁ ଜୁଲାଇ ୮ ତାରିଖରେ ପୁଣି ରଥ ଟଣା ହୋଇଥିଲା। ତିନିରଥ ୮ ତାରିଖରେ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିଥିଲେ। ଜୁଲାଇ ୯ ତାରିଖରେ ଆଡ଼ପପହଣ୍ଡିରେ ଚରମ ବିଶୃଙ୍ଖଳା ଦେଖା ଦେଇଥିଲା। ବଡ଼ଠାକୁରଙ୍କୁ ଚାରମାଳ ଉପରେ ପକାଇ ଦେଇଥିଲେ ସେବାୟତ। ଏହାକୁ ନେଇ ସାରା ବିଶ୍ବର ଅଗଣିତ ଭକ୍ତ ଅସନ୍ତୁଷ୍ଟ ହୋଇଥିଲେ। ଏହା ପରେ ପହଣ୍ଡି ହୋଇ ଚତୁର୍ଦ୍ଧାବିଗ୍ରହ ଆଡ଼ପମଣ୍ଡପକୁ ଯାଇଥିଲେ। କିନ୍ତୁ ନୀତି ବିଳମ୍ବ କାରଣରୁ ସେଦିନ ରାତିରେ ପହୁଡ଼ ହୋଇପାରିନଥିଲା। ବିନା ପହୁଡ଼ରେ ଜୁଲାଇ ୧୦ ତାରିଖର ଦୈନନ୍ଦିନ ନୀତି ଆରମ୍ଭ ହୋଇଥିଲା। ସେଦିନ ବି ଦ୍ବାରଫିଟା ଓ ଅନ୍ୟାନ୍ୟ ନୀତିରେ ବିଳମ୍ବ କାରଣରୁ ମହାପ୍ରଭୁଙ୍କ ରାତ୍ର ପହୁଡ଼ ହୋଇନଥିଲା। ପରଦିନ ବିନା ରାତ୍ର ପହୁଡ଼ରେ ଦୈନନ୍ଦିନ ନୀତି ଆରମ୍ଭ ହୋଇଥିଲା। ତଥାପି ନୀତି ବିଳମ୍ବ ଭିତରେ ସେଦିନ ଭୋର ୫ଟାରେ ରାତ୍ର ପହୁଡ଼ ହୋଇଥିଲା। ପରେ ପୁନର୍ବାର ସକାଳ ପ୍ରାୟ ୮ଟାରେ ଦ୍ବାରଫିଟା ହୋଇ ଦୈନନ୍ଦିନ ନୀତି ଆରମ୍ଭ ହୋଇଥିଲା। ଏହା ପରେ ଗତକାଲି ବି ଠାକୁରଙ୍କର ରାତ୍ର ପହୁଡ଼ ହୋଇନି। ଏଣୁ ଠାକୁରଙ୍କ ବିନା ପହୁଡ଼ରେ ଆଜିର ଦୈନନ୍ଦିନ ନୀତି ଆରମ୍ଭ ହୋଇଛି। ନୀତି ବିଳମ୍ବ କାରଣରୁ ରାତ୍ର ପହୁଡ଼ ହୋଇପାରୁନଥିବା ଶ୍ରୀମନ୍ଦିର ପ୍ରଶାସନ ସଫେଇ ଦେଇଛି। କିନ୍ତୁ ଯେଉଁମାନେ ନୀତି ବିଳମ୍ବ କରୁଛନ୍ତି, ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି। ଯେଉଁଥିପାଇଁ ପ୍ରତିଦିନ ମହାପ୍ରଭୁଙ୍କ ମହାପ୍ରସାଦ ନଷ୍ଟ ହେଉଛି। ଲକ୍ଷ ଲକ୍ଷ ଟଙ୍କାର ବରାଦି ଅବଢ଼ା ଫିଙ୍ଗାଯାଉଛି।

ସୂଚନାଯୋଗ୍ୟ, ୨୦୧୯ ମସିହାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ନିଯୋଗର ସଭାପତି, ସଂପାଦକମାନଙ୍କୁ ନୀତି ସଂପାଦନରେ ଶୃଙ୍ଖଳା ଓ ସମୟାନୁବର୍ତ୍ତିତା ରକ୍ଷା ପାଇଁ ଏକ ଚିଠି କରାଯାଇଥିଲା। ଚିଠି ଅନୁଯାୟୀ, ନୀତି ସଂପୃକ୍ତ ସେବାୟତ ସେବାରେ ୧୫ ମିନିଟ୍‌ ବିଳମ୍ବ କଲେ ଏକ ଚତୁର୍ଥାଂଶ ପାଳିଆ ପୁରସ୍କାର ଓ ଅନ୍ୟାନ୍ୟ ପ୍ରାପ୍ୟ ପାଉଣା ସ୍ଥଗିତ ରଖାଯିବ ବୋଲି କୁହାଯାଇଥିଲା। ସେହିଭଳି ଅଧଘଣ୍ଟା ବିଳମ୍ବ ହେଲେ ସେଦିନର ଅଧା ପାଳିଆ ପୁରସ୍କାର ଓ ଅନ୍ୟ ପ୍ରାପ୍ୟ ପାଉଣା ସ୍ଥଗିତ ରଖାଯିବ। ଘଣ୍ଟାଏ ବିଳମ୍ବ ହେଲେ ସେଦିନର ସମସ୍ତ ପାଳିଆ ପୁରସ୍କାର ଓ ପ୍ରାପ୍ୟ ପାଉଣା କାଟି ଦିଆଯିବ। କିନ୍ତୁ ଏହି ଆଦେଶ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନି କି କାହାରି ପାଳିଆ ପୁରସ୍କାର କଟାଯାଇନି।

Spread the love