ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସଚିବ ସ୍ତରୀୟ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନରେ ଲୋକସେବା ଭବନରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବିଶେଷ କରି ଓଡ଼ିଶାରେ ଆଗାମୀ ୨୦୨୪-୨୫ ସାଧାରଣ ବଜେଟ ଉପସ୍ଥାପନାର ରୂପରେଖ କିପରି ରହିବ, ସେ ସଂପର୍କରେ ଆଲୋଚନା କରାଯାଇଥିଲା। ଏଥି ସହିତ ଆଗାମୀ ଜୁଲାଇ ୨୭ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା “ନୀତି ଆୟୋଗର ୯ତମ ସାଧାରଣ ପରିଷଦ ବୈଠକ” ଏବଂ ନଭେମ୍ବର ୨୦୨୪ରେ ହେବାକୁ ଥିବା “୪ର୍ଥ ଜାତୀୟ ମୁଖ୍ୟ ଶାସନ ସଚିବମାନଙ୍କ ସମ୍ମିଳନୀ”ରେ ଆଲୋଚ୍ୟ ପ୍ରସଙ୍ଗ “ବିକଶିତ ଭାରତ ୨୦୪୭” ପରିପ୍ରେକ୍ଷୀରେ ରାଜ୍ୟର ଏଜେଣ୍ଡା ସଂପର୍କିତ ତଥ୍ୟ ପ୍ରଦାନ କରିବା ସଂପର୍କରେ ଆଲୋଚନା କରାଯାଇଥିଲା।
ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ‘ନିରନ୍ତର ବିକାଶ ଲକ୍ଷ୍ୟ-ଭାରତ-ସୂଚକାଙ୍କ-୨୦୨୩-୨୪’ରେ ଓଡ଼ିଶାର ସ୍ଥିତି ସଂପର୍କରେ ଉପସ୍ଥାପନ କରାଯିବା ସହ ବିକଶିତ ଭାରତ, ନିରନ୍ତର ବିକାଶ ଓ ସାମଗ୍ରିକ ଅଭିବୃଦ୍ଧି ଲକ୍ଷ୍ୟରେ ରହିଥିବା ବିଭିନ୍ନ ମାନଦଣ୍ଡରେ ପ୍ରଦର୍ଶନରେ ବୃଦ୍ଧି କରିବାକୁ ବୈଠକରେ ଆଲୋଚନା କରାଯାଇଛି । ବୈଠକରେ କ୍ଷୁଧାମୁକ୍ତ ସମାଜ, ଉତ୍ତମସ୍ୱାସ୍ଥ୍ୟ, ଗୁଣାତ୍ମକ ଶିକ୍ଷା, ନାରୀ-ପୁରୁଷସମାନତା, ବିଶୁଦ୍ଧ ପାନୀୟ ଜଳ, ସମନ୍ୱିତ ଜଳସେଚନ, ଜଳବାୟୁ ପରିବର୍ତ୍ତନକୁ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମ ଗ୍ରହଣ ଆଦି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା ।

ଏଥି ସହିତ ୨୦୨୪-୨୫ ଆର୍ଥିକ ବର୍ଷରେ ଜୁନ୍-୨୦୨୪ ସୁଦ୍ଧା ରାଜ୍ୟର ଆର୍ଥିକ ପ୍ରଦର୍ଶନ ସଂପର୍କରେ ଉପସ୍ଥାପନ କରାଯାଇଥିଲା। ୫ବର୍ଷିଆ ଯୋଜନା ଓ କାର୍ଯ୍ୟକ୍ରମ ପ୍ରସ୍ତୁତି ଓ କାର୍ୟ୍ୟାନ୍ୱୟନ, ୨୦୩୬ରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୧୦୦ବର୍ଷ ପୂର୍ତ୍ତି, ୨୦୪୭ରେ ସ୍ୱାଧୀନତାର ୧୦୦ବର୍ଷ ପୂର୍ତ୍ତିକୁ ଲକ୍ଷ୍ୟ ରଖି ବିକାଶର ଆଭିମୁଖ୍ୟ କିପରି ରହିବ, ସେଥିପାଇଁ ସହଭାଗୀ ଓ ବିଶେଷଜ୍ଞମାନଙ୍କ ସହ ବିଚାରବିମର୍ଶ କରିବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ଆହୁଜା ଗୁରୁତ୍ୱ ଦେଇଛନ୍ତି।

Spread the love