୪୬ ବର୍ଷ ପରେ ରତ୍ନଭଣ୍ଡାର ଖୋଲା ଯାଇ ଥିବା କଥାର ପ୍ରଚାର ସତ କି? ପଚାରିଲେ ନିରଞ୍ଜନ

ଭୁବନେଶ୍ୱର: ଓଡିଶାରେ ଭାରତୀୟ ଜନତା ପାର୍ଟିର ନୂଆ ସରକାର ଗଠନ ହେଲା ପରେ ରତ୍ନଭଣ୍ଡାର ଖୋଲିବା ପାଇଁ ସରକାର ଏକ ନୂଆ କମିଟି ଗଠନ କଲେ । ଓଡିଶା ହାଇକୋର୍ଟର ପୂର୍ବତନ ବିଚାରପତି ବିଶ୍ୱନାଥ ରଥଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଗଲା । ସରକାରଙ୍କ ଦ୍ୱାରା ନିଆଯାଇଥିବା ନିଷ୍ପତି ଅନୁସାରେ ଗତ ଜୁଲାଇ ୧୪ ତାରିଖ ଦିନ ଚାବିକୁ କାଟି ଭିତର ରତ୍ନଭଣ୍ଡାର ଖୋଲାଗଲା । ଏହାର ବହୁ ପୂର୍ବରୁ ଓଡିଶାରେ ଗଣମାଧ୍ୟମ, ମୁଖ୍ୟମନ୍ତ୍ରୀ, ରାଜ୍ୟ ଆଇନ ମନ୍ତ୍ରୀ ତଥା ବହୁବିଶିଷ୍ଟ ରାଜନୈତିକ ବ୍ୟକ୍ତି ବିଶେଷମାନେ ବାରମ୍ବାର କହି ଆସୁଛନ୍ତି ଯେ ୪୬ ବର୍ଷ ପରେ ରତ୍ନଭଣ୍ଡାର ଖୋଲାଗଲା । ଏହି କଥାଟି ସତ୍ୟ କି? କଂଗ୍ରେସ ସରକାର ସମୟରେ ୧୪.୦୭.୧୯୮୫ରେ ଶେଷ ଥର ପାଇଁ ଭିତର ରତ୍ନଭଣ୍ଡାର ଖୋଲା ଯାଇଥିଲା ବୋଲି ଆର.ଟି.ଆଇ ତଥ୍ୟରୁ ଉପଲବ୍ଧ । ପ୍ରକାଶ ଥାଉ କି ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀତ୍ୱ କାଳରେ ରତ୍ନଭଣ୍ଡାର ଖୋଲାଯାଇଥିଲା । ଯଦି ସେତେବେଳେ ଭିତର ରତ୍ନଭଣ୍ଡାରକୁ ଚାବି ଦ୍ୱାରା ଖୋଲାଯାଇଥିଲା, ତେବେ ଆଜି ସେ ଚାବି କେଉଁଠି ଅଛି? ତାହାର ସମ୍ପୂର୍ଣ୍ଣ ତଦନ୍ତ ହେବା ଉଚିତ ।
ଶ୍ରୀମନ୍ଦିରର ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ପୂର୍ବ ରାଜ୍ୟ ସରକାର ଜୁନ ମାସ ୬ ତାରିଖ ୨୦୧୮ ମସିହାରେ ଓଡିଶା ହାଇକୋର୍ଟ ପୂର୍ବତନ ବିଚାରପତି ରଘୁବୀର ଦାସଙ୍କ ଅଧ୍ୟକ୍ଷତାରେ ଏକ ଜ୍ୟୁଡିଶିଆଲ କମିଶନ ଗଠନ କରିଥିଲେ । ଏହି କମିଶନ ତାର ତଦନ୍ତ ରିପୋର୍ଟ ନଭେମ୍ବର ୨୯, ୨୦୧୮ ମସିହାରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରିସାରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସାର୍ବଜନୀନ କରାଗଲା ନାହିଁ । ତେଣୁ ମୋର ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ ତୁରନ୍ତ ଏ ରିପୋର୍ଟକୁ ସାର୍ବଜନୀନ କରନ୍ତୁ । ୧୯୮୫ ମସିହା ଜୁଲାଇ ୧୪ ତାରିଖରେ ଭିତର ରତ୍ନଭଣ୍ଡାର ଖୋଲାଗଲା ପରେ ଚାବି କେଉଁଠାରେ ରଖାଗଲା, ତାହା ନିଶ୍ଚିତ ରୂପେ ମେକାପ୍ ରେଜିଷ୍ଟ୍ରରରେ ଲିପିବଦ୍ଧ ହୋଇଥିବ । ସେହି ଆଧାରରେ ଚାବି କେଉଁଠି ଅଛି ତାହା ବାହାର କରାଯାଉ । ରାଜ୍ୟର ଅଗଣିତ ଜଗନ୍ନାଥଙ୍କ ଭକ୍ତଙ୍କ ପାଖକୁ ଭିତର ରତ୍ନଭଣ୍ଡାର ୪୬ ବର୍ଷ ପରେ ଖୋଲିବା ଭଳି ଏକ ମିଥ୍ୟା ଖବର ପ୍ରଚାର କରାନଯାଉ । ସରକାର ଏଭଳି ଅସତ୍ୟ ଖବର ପ୍ରଚାର କରିବାରୁ କ୍ଷାନ୍ତ ରୁହନ୍ତୁ ।

Spread the love