ରଥ ଉପରେ ଅନଧିକୃତ ବ୍ୟକ୍ତି ଓ ଅଣ ସେବାୟତ ଚଢିବା ଘଟଣା: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା

ପୁରୀ: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି। ଶ୍ରୀମନ୍ଦିର ସ୍ୱତନ୍ତ୍ର ଅଧିକାରୀ ଅଜୟ କୁମାର ଜେନା ଗତ ୭ ଓ ୮ ତାରିଖରେ ରଥ ଉପରେ ଅନଧିକୃତ ବ୍ୟକ୍ତି ଓ ଅଣ ସେବାୟତ ଚଢିବା ନେଇ ଏତଲା ଦେଇଛନ୍ତି। ଏ ସମ୍ପର୍କିତ ଫଟୋ , ଭିଡିଓ ଓ ଶ୍ରୀମନ୍ଦିର ବ୍ୟବସ୍ଥାବଳୀ ପ୍ରମାଣ ଆଧାରରେ ଏତଲା ଦିଆଯାଇଛି। ମାମଲାର ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ନେବାକୁ ଏତଲାରେ ଉଲ୍ଲେଖ କରାଯାଇଛି।

ଅପରପକ୍ଷେ ଶ୍ରୀଗୁଣ୍ଡିଚା ଯାତ୍ରା ବିଶୃଙ୍ଖଳାର ଖୋଳତାଡ଼ ଆରମ୍ଭ ହୋଇଛି। ଯେଉଁ ଅଣସେବକମାନେ ରଥ ଉପରେ ଚଢ଼ି ବିଶୃଙ୍ଖଳା ସୃଷ୍ଟି କରିବା ସହ ନିୟମ ଉଲ୍ଲଂଘନ କରିଥିଲେ, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପ୍ରକ୍ରିୟା ଆରମ୍ଭ। ଦୁଇଜଣଙ୍କୁ ଚିହ୍ନଟ କରାଯାଇଛି ବୋଲି ଡ. ପାଢ଼ୀ କହିଛନ୍ତି। ଦୁଇଜଣଙ୍କ ଭିତରୁ ଜଣେ କେନ୍ଦ୍ର ସରକାରଙ୍କ ଉଚ୍ଚପଦସ୍ଥ ଅଧିକାରୀ ଓ ଅନ୍ୟ ଜଣେ ବେସରକାରୀ ସମବାୟ ଅନୁଷ୍ଠାନର ଅଧିକାରୀ ବୋଲି ପ୍ରାଥମିକ ତଦନ୍ତରୁ ଶ୍ରୀମନ୍ଦିର ପ୍ରଶାସନ ଜାଣିବାକୁ ପାଇଛି। ଏ ସମ୍ପର୍କରେ ଆବଶ୍ୟକ ଅନୁସନ୍ଧାନ ଓ କାର୍ଯ୍ୟାନୁଷ୍ଠାନ ପାଇଁ ସିଂହଦ୍ବାର ଥାନାରେ ଲିଖିତ ଅଭିଯୋଗ ପାଇଁ ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି। ଚିହ୍ନଟ ଦୁଇଜଣଙ୍କ ଭିତରେ ଜଣେ କୁଳପତି ଥିବା ଜଣାପଡ଼ିଛି।
ଆଜି ପହଣ୍ଡି ବେଳେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ଜଣେ ଅଣସେବକ ସେବକ ପରିଚୟପତ୍ର ପକାଇ ରଥ ଉପରେ ଚଢ଼ିଥିଲେ। ସ୍ଥିତି ଅନୁଧ୍ୟାନ ପରେ ଏହା ଦେଖି ଡ. ପାଢ଼ୀ ସଂପୃକ୍ତ ଅଣସେବକଙ୍କୁ ତଳକୁ ଡାକିଥିଲେ। ତଳକୁ ଓହ୍ଲାଇବା ପରେ ସଂପୃକ୍ତ ବ୍ୟକ୍ତିଙ୍କ ପରିଚୟପତ୍ର ବାହାର କରି ଜବତ କରିବା ସହ ରଥ ପାଖରୁ ତଡ଼ିଛନ୍ତି। ପରେ ପୁନର୍ବାର ସଂପୃକ୍ତ ଅଣସେବକ ରଥ ଉପରେ ଚଢ଼ିଥିଲେ। କିଛି ସେବକ ତାଙ୍କୁ ଜୋର ଜବରଦସ୍ତ ରଥ ଉପରକୁ ଚଢ଼ାଇଥିଲେ। ଜିଲ୍ଲାପାଳ ଶ୍ରୀ ସ୍ବାଇଁ ଏହା ଦେଖିବା ପରେ ପୁନର୍ବାର ରଥ ଉପରୁ ସଂପୃକ୍ତ ଅଣସେବକଙ୍କୁ ତଳକୁ ଓହ୍ଲାଇଛନ୍ତି। ଚଢ଼ିଥିବା ଅଣସେବକ ଜଣେ ମାଛ ବ୍ୟବସାୟୀ ବୋଲି ଚର୍ଚ୍ଚା ହେଉଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ପାଢ଼ୀ କହିଛନ୍ତି, ବାହୁଡ଼ା ଯାତ୍ରାରେ ଜଣେ ଅଣସେବକ ରଥରେ ଚଢ଼ିଥିଲେ। ତାଙ୍କ ପରିଚୟ ମଗାଯାଇଛି ଓ ଅଧିକ ଅନୁସନ୍ଧାନ ଜାରି ରହିଛି। ତାଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ। ଶ୍ରୀଗୁଣ୍ଡିଚା ଯାତ୍ରାରେ ଦୁଇଜଣ ରଥରେ ଚଢ଼ିଥିଲେ। ସେମାନେ ବଡ଼ବଡ଼ିଆ ଅଧିକାରୀ ବୋଲି ଜଣାପଡ଼ିଛି। ବେନିୟମ କାମ ଯିଏ ବି କରିବେ, ତାଙ୍କୁ ଆମେ ଛାଡ଼ିବୁ ନାହିଁ ବୋଲି ଡ. ପାଢ଼ୀ କହିଛନ୍ତି।
Spread the love