ଜବରଦଖଲକାରୀଙ୍କ କୋଠାରେ ବୁଲିବ ବୁଲ୍ ଡୋଜର

ଜବରଦଖଲକାରୀଙ୍କୁ ନିସ୍ତାର ନାହିଁ। ସରକାରୀ ଜମି ଜବରଦଖଲ କରି କୋଠା କରିଥିଲେ ବୁଲିବ ବୁଲଡୋଜର। ମାଟିରେ ମିଶିବ ବେଆଇନ୍ ନିର୍ମାଣ। ଜବରଦଖଲକାରୀଙ୍କୁ ଏମିତି କଡ଼ା ଚେତାବନୀ ଶୁଣାଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।
ଆଜି ସମ୍ବଲପୁରକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ବେଳେ ଏକଥା କହିଛନ୍ତି ସୁରେଶ ପୂଜାରୀ। ଆଗରୁ ଗରିବ ଲୋକଙ୍କର ଘର ଜବରଦଖଲରେ ଥିଲେ ଉଚ୍ଛେଦ କରାଯାଉଥିଲା। ଏବେ ପ୍ରଭାବଶାଳୀଙ୍କ ଜବରଦଖଲର ଉଚ୍ଛେଦ କରାଯିବ ସେ କହିଛନ୍ତି।ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ସରକାରୀ ଜମି ଜବରଦଖଲ ମାମଲାରେ ବଡ଼ବଡ଼ିଆଙ୍କ ମୁଖା ଖୋଲିବ। ମୁଁ ଦେଖି ଆସୁଛି ଜବରଦଖଲ ଉଚ୍ଛେଦରେ ଆଗେ ଗରିବ ଲୋକଙ୍କ ଝୁମ୍ପୁଡ଼ି ଭଙ୍ଗା ହୋଇଥାଏ। ୪ ଡିସିମିଲ୍ ଜାଗାରେ କୁଡ଼ିଆ କରି ରହୁଥିବା ଗରିବ ମାନେ ଜବରଦଖଲକାରୀ ନୁହଁନ୍ତି। ସେମାନେ ତ ନିଜ ଘର ପାଇଁ ୪ ଡିସିମିଲ୍ ୨ ଡିସିମିଲ୍ ରେ କୁଡ଼ିଆ ତିଆରି କରିଥାନ୍ତି। ସରକାରୀ ଜମି ଜବରଦଖଲ କରି ବହୁତଳ ପ୍ରାସାଦ ନିର୍ମାଣ କରିଥିବା ପ୍ରଭାବଶାଳୀ ବଡ଼ ବଡ଼ିଆଙ୍କ ବିଲଡିଂରେ ବୁଲଡୋଜର ବୁଲିବ। ସୂଚନାଯୋଗ୍ୟ, ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ନେଇ ପୂର୍ବରୁ ସରକାର ନିର୍ଦ୍ଦେଶ ଦେଇସାରିଛନ୍ତି।

Spread the love