ପୂଜାଙ୍କ ଆଇଏଏସ୍‌ ଚାକିରି ଶେଷ: ଭବିଷ୍ୟତରେ କୌଣସି ୟୁପିଏସ୍‌ସି ପରୀକ୍ଷା ଦେଇପାରିବେନି

ନୂଆଦିଲ୍ଲୀ: ବିବାଦୀୟ ଟ୍ରେନି ଆଇଏଏସ୍‌ ଅଫିସର ପୂଜା ଖେଦକରଙ୍କ ଆଇଏଏସ୍‌ ଚାକିରି ତଥା ୟୁପିଏସ୍‌ସି ପ୍ରାର୍ଥିତ୍ବ ଶେଷ ହୋଇଯାଇଛି। ପୂଜା ଖେଦକର ଜାଲିଆତି କରି ଆଇଏଏସ୍‌ ପରୀକ୍ଷା ପାସ୍‌ କରିଛନ୍ତି ଏବଂ ସେ ନିୟମ ଉଲ୍ଲଂଘନ କରିଥିବା ପ୍ରମାଣିତ ହେବାପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୟୁପିଏସ୍‌ସି ସମସ୍ତ ତଥ୍ୟକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବାପରେ ଏହା ଜଣାପଡ଼ିଲା ଯେ ସେ ପରୀକ୍ଷା ନିୟମ ଉଲ୍ଲଂଘନ କରିଛନ୍ତି। ତେଣୁ ୟୁପିଏସ୍‌ସି ଜଣେ ଟ୍ରେନି ଆଇଏଏସ୍‌ ଅଫିସର ଭାବେ ପୂଜାଙ୍କ ଚୟନ ପ୍ରକ୍ରିୟାକୁ ରଦ୍ଦ କରିଛି। ଭବିଷ୍ୟତରେ ମଧ୍ୟ ପୂଜା ୟୁପିଏସ୍‌ସିର କୌଣସି ପରୀକ୍ଷା ଦେଇପାରିବେନି।
ୟୁପିଏସ୍‌ସି ଏକ ବିବୃତି ଜାରି କରି କହିଛି ଯେ ପୂଜା ଖେଦକର ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ନିୟମ ଉଲ୍ଲଂଘନ କରିଛନ୍ତି। ୟୁପିଏସ୍‌ସି ପକ୍ଷରୁ ଏନେଇ ପୂଜାଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇ ଜୁଲାଇ ୨୫ ସୁଦ୍ଧା ତାଙ୍କଠାରୁ ଜବାବ ମଗାଯାଇଥିଲା। କିନ୍ତୁ ସେ ଅଗଷ୍ଟ ୪ ପର୍ଯ୍ୟନ୍ତ ସମୟ ମାଗିଥିଲେ। ଏହାପରେ ୟୁପିଏସ୍‌ସି ପୂଜାଙ୍କୁ ଜୁଲାଇ ୩୦ ପର୍ଯ୍ୟନ୍ତ ସମୟ ଦେଇଥିଲା ଏବଂ ଏହା ମଧ୍ୟ ସ୍ପଷ୍ଟ କରିଥିଲା ଯେ ପୂଜାଙ୍କ ପାଇଁ ଏହା ଶେଷ ସମୟ। ଯଦି ଜୁଲାଇ ୩୦ ସୁଦ୍ଧା ପୂଜା ୟୁପିଏସ୍‌ସି ନୋଟିସ୍‌ ଉପରେ କୌଣସି ଜବାବ ନ ରଖିବେ ତେବେ ୟୁପିଏସ୍‌ସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କୁହାଯାଇଥିଲା। ଏହା ସତ୍ତ୍ବେ ପୂଜା‌ ଜବାବ ରଖିପାରିନଥିଲେ। ୟୁପିଏସ୍‌ସି ସମସ୍ତ ତଥ୍ୟକୁ ଭଲଭାବେ ଯା‌ଞ୍ଚ କରିବାପରେ ଜଣାପଡ଼ିଲା ଯେ ସେ ସିଏସ୍‌ଇ-୨୦୨୨ ନିୟମର ଉଲ୍ଲଂଘନ କରିଛନ୍ତି। ତେଣୁ ସିଏସ୍‌ଇ-୨୦୨୨ ପାଇଁ ପୂଜାଙ୍କ ପ୍ରାର୍ଥିତ୍ବକୁ ରଦ୍ଦ କରାଯାଉଛି ଏବଂ ତାଙ୍କୁ ସ୍ଥା‌ୟୀ ଭାବେ ୟୁପିଏସ୍‌ସିର ସମସ୍ତ ପରୀକ୍ଷା ଏବଂ ଚୟନ ପ୍ରକ୍ରିୟାରୁ ବାରଣ କରାଯାଉଛି। କମିଟି ଏହା କହିଛି ଯେ ପୂଜା ଖେଦକରଙ୍କ ମାମଲା ପାଇଁ ଏହା ୨୦୦୯ରୁ ୨୦୨୩ ମଧ୍ୟରେ ଆଇଏଏସ୍‌ ସ୍କ୍ରିନିଂ ପ୍ରୋସେସ୍‌‌ରେ ପାସ୍‌ ‌ହୋଇଥିବା ୧୫ ହଜାରରୁ ଅଧିକ ପ୍ରାର୍ଥୀଙ୍କର ତଥ୍ୟ ଯାଞ୍ଚ କରିଛି। ୟୁପିଏସ୍‌ସି କହିଛି, କେବଳ ପୂଜାଙ୍କ ମାମଲାରେ ଏହା ଜଣାପଡ଼ିଲାନି ଯେ ସେ କେତେଥର ପରୀକ୍ଷା ଦେଇଛନ୍ତି। କାରଣ ସେ କେବଳ ତାଙ୍କ ନିଜ ନାଁ ବଦଳାଇନାହାନ୍ତି ବରଂ ସେ ତାଙ୍କ ବାପା ମା’ଙ୍କ ନାଁ ମଧ୍ୟ ବଦଳାଇଛନ୍ତି। ତେବେ ଏହି ମାମଲା ପରେ ପରୀକ୍ଷା ସଂଚାଳନ ପ୍ରକ୍ରିୟା ଆହୁରି ଅଧିକ ସୁଦୃଢ଼ ହେବ ବୋଲି ୟୁପିଏସ୍‌ସି ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ପୂଜା ଖେଦକର ନକଲି ଭିନ୍ନକ୍ଷମ ସାର୍ଟିଫିକେଟ୍‌ ଦେଇ ଆଇଏଏସ୍‌ ହୋଇଛନ୍ତି ବୋଲି ଅଭିଯୋଗ ହେବାପରେ ତାଙ୍କ ବିରୋଧରେ ତଦନ୍ତ ଜୋରଦାର ହେଲା।
ମାମଲା କ’ଣ ?

ଟ୍ରେନି ଆଇଏଏସ୍‌ ଅଫିସର ପୂଜା ଖେଦକରଙ୍କ ସମସ୍ୟା ଆରମ୍ଭ ହେଲା ଜୁନ୍‌ରେ। ପୁନେ ଜିଲ୍ଲାପାଳ ସୁହାସ ଦିୱାସେ ପୂଜାଙ୍କ ବିରୋଧରେ ମହାରାଷ୍ଟ୍ର ମୁଖ୍ୟ ସଚିବ ସୁଜାତା ସୌନିକଙ୍କ ପାଖକୁ ଚିଠି ଲେଖିଲେ। ପ୍ରଶିକ୍ଷଣ ସମୟରେ ଜଣେ ଟ୍ରେନି ଆଇଏଏସ୍‌ ଅଫିସରଙ୍କୁ ଯାହା ମିଳିନଥାଏ ତଥା କାର୍‌, କର୍ମଚାରୀ ଏବଂ ଅଫିସ୍‌ ଆଦି ପୂଜା ଦାବି କରିଥିଲେ। ଏହାପରେ ପୂଜା ଖେଦକରଙ୍କର ୱାଶିମକୁ ବଦଳି ହୋଇଥିଲା। ଏହାପରେ ଜଣାପଡ଼ିଲା ଯେ ପୂଜା ଖେଦକର ଆଇଏଏସ୍‌ ପରୀକ୍ଷା ପାସ୍‌ କରିବା ପାଇଁ ନକଲି ଭିନ୍ନକ୍ଷମ ସାର୍ଟିଫିକେଟ୍‌ ହାସଲ କରିଥିଲେ। ଏହା ଜଣାପଡ଼ିବା ପରେ ତାଙ୍କ ବିରୋଧରେ ତଦନ୍ତ ତ୍ବରାନ୍ବିତ ହୋଇଥିଲା। ଏଥିରୁ ଜଣାପଡ଼ିଥିଲା ଯେ ସେ ତାଙ୍କ ବାପା, ମା’ଙ୍କ ନାମ ଏବଂ ତାଙ୍କ ନିଜ ଠିକଣା ବି ଜାଲିଆତି କରିଛନ୍ତି।

Spread the love