ସରପଞ୍ଚ ଓ ଜେଇଙ୍କ ପରେ ଆସିଣ୍ଟାଣ୍ଟ ଇଞ୍ଜିନିୟରଙ୍କ ନାଁରେ ମାମଲା ରୁଜୁ

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍‌ ଅନ୍ତର୍ଗତ ପଦନିପାଳ ପଞ୍ଚାୟତରେ ଅଙ୍ଗନବାଡ଼ି କେନ୍ଦ୍ରକୁ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଦର୍ଶାଇ ପାଖାପାଖି ୧୬ ଲକ୍ଷ ଟଙ୍କା ଆତ୍ମସାତ୍‌ କରିଥିବା ଅଭିଯୋଗରେ ଗତକାଲି ଆସିଣ୍ଟାଣ୍ଟ ଇଞ୍ଜିନିୟର ଦୀପକ କୁମାର ବେହେରାଙ୍କ ନାଁରେ ଗତକାଲି ମାମଲା ରୁଜୁ ହୋଇଛି। ଆଳି ଥାନାରେ ଏହି ମାମଲା ରୁଜୁ ହୋଇଛି। ଏହି ଘଟଣାରେ ସିଧାସଳଖ ସମ୍ପୃକ୍ତି ଅଭିଯୋଗରେ ସରପଞ୍ଚ ରାକେଶ ରୋସନ ରାଉତ ଓ ଜେଇ ମନୋଜ କୁମାର ବେହୁରିଆଙ୍କ ନାଁରେ ଦୁଇ ଦିନ ପୂର୍ବେ ମାମଲା ରୁଜୁ ହୋଇଥିଲା।

ଏହି ଅର୍ଥ ଆତ୍ମସାତ୍‌ ଘଟଣାରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ବିଡିଓଙ୍କ ସମ୍ପୃକ୍ତି ଥିଲେ ମଧ୍ୟ ସେମାନଙ୍କୁ ଖସାଇଦେବା ପାଇଁ ଉଦ୍ୟମ ହେଉଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ଅନୁଯାୟୀ, ପଦନିପାଳ ପଞ୍ଚାୟତରେ ରାଜୀବ ଗାନ୍ଧି ସେବା କେନ୍ଦ୍ର ନିର୍ମାଣ ହୋଇ ନଥିବା ବେଳେ ଜେଇ କାଗଜପତ୍ରରେ ମିଥ୍ୟା ବିଲ୍‌ କରିଥିଲେ। ଆଉ ଏହି ବିଲ୍‌କୁ ଆସିଷ୍ଟାଣ୍ଟ ଇଞ୍ଜିନିୟର ଚେକ୍‌ ମେଜର ମେଣ୍ଟ କରିବା ପରେ ଆଳି ବିଡିଓଙ୍କ ଡଙ୍ଗଲରୁ ପେମେଣ୍ଟ ହୋଇଥିଲା।  ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ଆକ୍ରୋଶକୁ ଦେଖି ଗତକାଲି ଆସିଣ୍ଟାଣ୍ଟ ଇଞ୍ଜିନିୟର ଦୀପକ କୁମାର ବେହେରାଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। 

ଚାରି ଦିନ ତଳେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଦିଲ୍ଲୀପ କୁମାର ପରିଡ଼ା ଆଳି ଥାନାରେ ଦେଇଥିବା ଏତଲାରେ ଦର୍ଶାଇଥିଲେ ଯେ, ସୋଶାଲ୍ ମିଡିଆରେ ଆସିଥିବା ଖବର ତଥା ସୋଶାଲ୍ ଅଡିଟ୍‌ ଆଧାରରେ ସେ ଘଟଣାର ତଦନ୍ତ କରିବାକୁ ପଦନିପାଳ ପଞ୍ଚାୟତକୁ ଯାଇଥିଲେ। ତାଙ୍କ ସହିତ ଆଳି ବିଡିଓ ବି ସେଠାକୁ ଯାଇଥିଲେ। ତଦନ୍ତରୁ ସେଠାରେ କୌଣସି ନୂତନ କୋଠା ନିର୍ମାଣ ହୋଇ ନ ଥିବା ସ୍ପଷ୍ଟ ହୋଇଥିଲା।

ଯେଉଁ କୋଠାଟିକୁ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ବୋଲି କୁହାଯାଉଛି, ତାହା ଏକ ଓବିବି କୋଠା, ଯାହା ପୂର୍ବରୁ ଅସମ୍ପୂର୍ଣ୍ଣ ହୋଇ ରହିଥିଲା ଓ ସେଠାରେ ପଦନିପାଳ ହରିଜନ ସାହିର ଅଙ୍ଗନବାଡ଼ି କେନ୍ଦ୍ର ଚାଲୁଛି। ତେଣୁ ସୋଶାଲ୍ ମିଡିଆ ଖବର ଓ ସୋଶାଲ୍ ଅଡିଟ୍‌ ରିପୋର୍ଟରେ ସତ୍ୟାସତ୍ୟ ରହିଛି ଏବଂ ସରପଞ୍ଚ  ଓ ଜେଇ ଏହି ଦୁର୍ନୀତିରେ ସିଧାସଳଖ ସଂପୃକ୍ତ ଅଛନ୍ତି ବୋଲି ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ପରିଡ଼ା ଏତଲାରେ ଉଲ୍ଲେଖ କରିଥିଲେ।

ଉଭୟ ଜେଇ ଓ ଆସିଣ୍ଟାଣ୍ଟ ଇଞ୍ଜିନିୟରଙ୍କୁ ନିଲମ୍ବନ କରିବା ନିମନ୍ତେ ଆଜି ପଞ୍ଚାୟତରାଜ ବିଭାଗର ମୁଖ୍ୟଯନ୍ତ୍ରୀଙ୍କୁ ଚିଠି ଲେଖାଯିବ ବୋଲି ପ୍ରକଳ୍ପ ନିର୍ଦ୍ଦେଶକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Spread the love