ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ

ପୁଣି ଆକାଶରୁ ଖସିଛି ମୃତ୍ୟୁ। ପ୍ରବଳ ବର୍ଷା ବେଳେ ବିଜୁଳି ମାରିବାରୁ ୩ ଜଣଙ୍କ ଜୀବନ ଯାଇଛି। ସେହିପରି ଆଉ ୫ ଜଣ ଗୁରୁତର ଆହତ ହୋଇଛି। ଭଦ୍ରକ ଜିଲ୍ଲାରା ୨ ଜଣ ଓ ବାଲେଶ୍ୱର ଜିଲ୍ଲାରେ ଜଣେ ବ୍ୟକ୍ତି ବଜ୍ରପାତ ଯୋଗୁ ପ୍ରାଣ ହରାଇଛନ୍ତି। ସେହିପରି ଭଦ୍ରକରେ ୨ ଜଣ ଓ ସମ୍ବଲପୁରରେ ବିଜୁଳି ମାଡ଼ରେ ୩ ଜଣ ଚାଷୀ ଗୁରୁତର ହୋଇଛନ୍ତି। ଭଦ୍ରକ ଜିଲ୍ଲାରେ ପ୍ରାଣ ହରାଇଥିବା ଦୁଇ ବ୍ୟକ୍ତି ହେଲେ ଗୌର ଦାସ ଓ ରାକେଶ ତିଆଡ଼ି। ଉଭୟ ବିଲରେ କାମ କରୁଥିବା ବେଳେ ହଠାତ୍‌ ବଜ୍ରାଘାତର ଶିକାର ହୋଇଥିଲେ। ଗୌରଙ୍କ ଘର ଭଦ୍ରକ ଜିଲ୍ଲା ଆଗରପଡା ଥାନା ଭଗାରାମ ଗାଁରେ ଓ ରକେଶଙ୍କ ଘର ବାଲେଶ୍ୱର ଜିଲ୍ଲା ଖଇରା ଥାନା ପଦୁନା ଗାଁରେ।

ବଜ୍ରପାତର ଶିକାର ହେବା ପରେ ଉଭୟଙ୍କୁ ଗୁରୁତର ଅଵସ୍ଥାରେ ଆଗରପଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଗୋପୀନାଥପୁର ଅଞ୍ଚଳର ରମାକାନ୍ତ ସାହୁ ଓ ହରିପୁର ଅଞ୍ଚଳର ଚଞ୍ଚଳା ମହଲା ମଧ୍ୟ ବଜ୍ରପାତରେ ଗୁରୁତର ଆହତ ହୋଇଛନ୍ତି। ଏବେ ଉଭୟଙ୍କ ଚିକିତ୍ସା ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚାଲିଛି। ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ବଜ୍ରପାତରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ନୀଳଗିରି ଥାନା ଅଧିନ ଓଲଡଙ୍ଗ ଅଞ୍ଚଳରେ କିଛି ଶ୍ରମିକ ଗରଡ଼ିହି ଅଞ୍ଚଳରୁ ଆସି ବିଲରେ କାମ କରୁଥିଲେ। ମଧ୍ୟାହ୍ନ ସମୟରେ ହଠାତ୍‌ ବର୍ଷା ସହ ବିଜୁଳି ମାରିଥିଲା।

ଏଥିରେ ଜଣେ ଶ୍ରମିକ ଟଳି ପଡିଥିଲେ। ତାଙ୍କୁ ୧୦୮ ଆମ୍ବଲାନ୍ସ ରେ ନୀଳଗିରି ହସ୍ପିଟାଲ ଅଣାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଶ୍ରମିକ ଜଣଙ୍କ ହେଲେ ଗରଡ଼ିହି ଅଞ୍ଚଳର ଭୀମ ମାଝୀ। ତେବେ ତାଙ୍କ ସହ ବିଲରେ କାମ କରୁଥିବା ଅନ୍ୟ ଶ୍ରମିକମାନେ ସୁରକ୍ଷିତ ରହିଛନ୍ତି। ସମ୍ବଲପୁର ଜିଲ୍ଲା ତବଲା ଗାଁରେ ବଜ୍ରପାତରେ ୩ ଜଣ ଆହତ ହୋଇଛନ୍ତି। ପ୍ରଥମେ ସେମାନଙ୍କୁ ସମ୍ବଲପୁର ଜିଲ୍ଲା ସଦର ହସ୍ପିଟାଲକୁ ନିଆଯାଇ ଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତବଲା ଗ୍ରାମର ଶ୍ରୀକାନ୍ତ ପ୍ରଧାନ, ଶୁକ୍ଳ ମୁଣ୍ଡା ଓ ସୁମନ୍ତ ମାଝୀ ଆଜି ନିଜ ଚାଷ ଜମିରେ କାମ କରୁଥିଲେ। ଏହି ସମୟରେ ବଜ୍ରପାତ ହୋଇଥିଲା। ଫଳରେ ଚାଷୀମାନେ ଗୁରୁତର ଆହତ ହୋଇଥିଲେ।

Spread the love