ଡ. ସାମନ୍ତ ହେଲେ ଗିନି ସିଏନଟି ପ୍ରେସିଡେଣ୍ଟଙ୍କ ପରାମର୍ଶଦାତା

ଭୁବନେଶ୍ୱର : ଶିକ୍ଷାବିତ୍‍ ତଥା ସମାଜସେବୀ ଡ. ଅଚ୍ୟୁତ ସାମନ୍ତଙ୍କୁ ଗିନି ନ୍ୟାସ୍‍ନାଲ୍‍ କାଉନ୍‍ସିଲ୍‍ ଟ୍ରାନଜିସନ୍‍ (ସିଏନଟି) ପ୍ରେସିଡେଣ୍ଟଙ୍କ ବରିଷ୍ଠ ପରାମର୍ଶଦାତା ଘୋଷଣା କରାଯାଇଛି । ଗିନିର ସିଏନଟି କ୍ୟାବିନେଟରେ ଏନେଇ ପ୍ରସ୍ତାବ ମଞ୍ଜୁର ହେବା ପରେ ଏହା ଘୋଷଣା କରାଯାଇଛି । ଚଳିତବର୍ଷ ଜାନୁୟାରୀ ସିଏନଟିର ପ୍ରେସିଡେଣ୍ଟ ଡ. ଦନଶା କୋରୋମା କିଟ୍‍ ଓ କିସ୍‍ ପରିଦର୍ଶନରେ ଆସିଥିଲେ । ଏଠାରେ ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟ ଦେଖି ବେଶ ବିମୋହିତ ହୋଇଥିଲେ ।

ଡ. ସାମନ୍ତଙ୍କ କାର୍ଯ୍ୟ ଦକ୍ଷତା, ସମାଜସେବା, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦୀର୍ଘ ଅଭିଜ୍ଞତା ଓ କାର୍ଯ୍ୟଧାରାରେ ସେ ପ୍ରଭାବିତ ହୋଇ ତାଙ୍କର ପରାମର୍ଶଦାତା ହେବା ପାଇଁ ଅନୁରୋଧ କରିଥିଲେ । ଡ. ସାମନ୍ତ ସମ୍ମତି ଦେବା ପରେ ସେ ଏହାକୁ କ୍ୟାବିନେଟ୍‍ରେ ମଞ୍ଜୁର କରାଇ ତାଙ୍କର ପରାମର୍ଶଦାତା ଘୋଷଣା କରିଛନ୍ତି । ଡ. ସାମନ୍ତ ଅବୈତନିକ ପରାମର୍ଶଦାତା ଭାବେ ଦେଶର ଶିକ୍ଷା, ସ୍ୱାସ୍ଥ୍ୟ ଓ ଅର୍ଥନୈତିକ ବିକାଶ ଦିଗରେ ଆବଶ୍ୟକ ପରାମର୍ଶ ଓ ସହଯୋଗ ଯୋଗାଇ ଦେବେ ।

ଡ. ସାମନ୍ତଙ୍କ ପ୍ରତିନିଧିଙ୍କୁ ଏ ସମ୍ପର୍କିତ ପତ୍ର ବ୍ୟକ୍ତିଗତ ଭାବେ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ, ନିଜର କାର୍ଯ୍ୟଦକ୍ଷତା ସକାଶେ ପୂର୍ବରୁ ଡ. ସାମନ୍ତଙ୍କ ମଧ୍ୟ ମଣିପୁର ସରକାରଙ୍କ ବରିଷ୍ଠ ପରାମର୍ଶଦାତା ରହିଥିଲେ । ଆଫ୍ରିକା ମହାଦେଶ ପଶ୍ଚିମାଞ୍ଚଳର ଏକ ଦେଶ ହେଉଛି ଗିନି । କୌଣସି ଦେଶର ବରିଷ୍ଠ ପରାମର୍ଶଦାତା ନିଯୁକ୍ତ ହେବାରେ ଡ. ସାମନ୍ତ ହେଉଛନ୍ତି ପ୍ରଥମ ଓଡ଼ିଆ। ଏହି ନିଯୁକ୍ତି ପାଇଁ ଡ. ଅଚ୍ୟୁତ ସାମନ୍ତ ଗିନି ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହାସହ ଶିକ୍ଷା, ସ୍ୱାସ୍ଥ୍ୟ ଓ ଅର୍ଥନୈତିକ ବିକାଶ ଦିଗରେ ଗିନି ସରକାରଙ୍କୁ ଆବଶ୍ୟକ ପରାମର୍ଶ ଓ ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

Spread the love