ସାମୁଦ୍ରିକ ଜଳବାୟୁରେ ଅସନ୍ତୁଳନ: ନାଲି କଙ୍କଡ଼ାକୁ ଲାଲ ସଙ୍କେତ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ସାମୁଦ୍ରିକ ବେଳାଭୂମିରେ ଅନନ୍ୟ ସୌନ୍ଦର୍ଯ୍ୟ ହେଉଛି ନାଲି କଙ୍କଡ଼ା। ବିଶେଷକରି ଚାନ୍ଦିପୁର, ପରିଖି, ଡଗରା, ତାଳସାରୀ ଓ ଉଦୟପୁର ବେଳାଭୂମିରେ ନାଲି କଙ୍କଡ଼ାଙ୍କୁ ଦେଖିବାକୁ ମିଳିଥାଏ। ଯାହା ଏଠାକାର ପରିବେଶକୁ ସନ୍ତୁଳିତ ରଖିବାରେ ସାହାଯ୍ୟ କରିବା ସହ ପର୍ଯ୍ୟଟକଙ୍କୁ ବେଶ୍‌ ଆକର୍ଷିତ କରିଥାଏ। ତେବେ ପ୍ରତିକୂଳ ପରିବେଶ ଯୋଗୁ ଏମାନଙ୍କ ସଂଖ୍ୟା ଏବେ ବହୁଳ ଭାବେ ହ୍ରାସ ପାଇବା‌ରେ ଲାଗିଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଏବଂ ପରିବେଶବିତ୍‌ ଉଦ୍‌ବେଗ ପ୍ରକାଶ କରିଛନ୍ତି।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପୂର୍ବରୁ ବିସ୍ତୀର୍ଣ୍ଣ ବେଳାଭୂମିରେ ନାଲି କଙ୍କଡ଼ାଙ୍କ ସଂଖ୍ୟା ଢେର୍‌ ଅଧିକ ଥିଲା। ବେଳାଭୂମିର ଆରମ୍ଭରୁ ୨/୩ କିମି ପର୍ଯ୍ୟନ୍ତ ଏମାନଙ୍କର ଉପସ୍ଥିତି ଦେଖିବାକୁ ମିଳିଥାଏ। ଠିକ୍‌ ସମୁଦ୍ରର ଜୁଆର ଏବଂ ଭଟ୍ଟା ସମୟରେ। ପାଣି ଆସିବା ମାତ୍ରେ କୁନିକୁନି ଗୋଡ଼ରେ ଏମାନେ ଗାତଖୋଳି ଲୁଚିଯାନ୍ତି ଏବଂ ପାଣି ଛାଡ଼ିଗଲେ ପୁଣିଥରେ ଗାତରୁ ବାହାରି ବାଲି ଉପରକୁ ଆସନ୍ତି।
ବେଳାଭୂମିର ବାଲି ଉପରେ ଏମାନେ ଯେତେବେଳେ ଦଳଦଳ ହୋଇ ବୁଲୁଥାଆନ୍ତି ଏକ ନାଲି ଗୋଲାପ ଚାଦରର ଭ୍ରମ ସୃଷ୍ଟି ହୋଇଥାଏ। ବେଳାଭୂମି ଉପରେ ଏହି ଅପୂର୍ବ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ପ୍ରତିବର୍ଷ ବହୁ ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ ବାଲେଶ୍ବର ଜିଲ୍ଲାର ଏହିସବୁ ଅଞ୍ଚଳକୁ ଛୁଟି କାଟିବାକୁ ଆସିଥା’ନ୍ତି। ମାତ୍ର, ସମୁଦ୍ର ବେଳାଭୂମିରେ ପ୍ରତିଦିନ ଅବାଧ ଗାଡ଼ି ଚାଳନା, ବିସ୍ତୀର୍ଣ୍ଣ ବେଳାଭୂମିରେ ପର୍ଯ୍ୟଟକମାନେ ବୁଲିବା ବେଳେ ପ୍ଲାଷ୍ଟିକ ଜିନିଷ ପକାଇବା, ସମୁଦ୍ର ଭିତରେ ଅହରହ ଯାନ୍ତ୍ରିକ ବୋଟ୍‌ ତଥା ଡଙ୍ଗା ଚଳାଚଳ କରିବା ସହିତ ମାଛ ଧରିବା ପାଇଁ ଜାଲମାଡ଼ ଯୋଗୁ ଏହି ନାଲି କଙ୍କଡ଼ାଙ୍କ ସଂଖ୍ୟା କ୍ରମଶଃ କମି କମି ଯାଉଛି। ଏ ନେଇ ବିଭିନ୍ନ ଫୋରମ୍‌ ଜରିଆରେ ବାଲେଶ୍ବର ଜିଲ୍ଲା ପ୍ରଶାସନ, ବନ ବିଭାଗ, ସ୍ଥାନୀୟ ଲୋକ ପ୍ରତିନିଧି ଏବଂ ସରକାରଙ୍କର ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯିବା ସତ୍ତ୍ବେ ପଦକ୍ଷେପ ନିଆଯାଉ ନଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
ଏ ନେଇ ଇଣ୍ଟରନ୍ୟାସନାଲ ୟୁନିୟନ୍‌ ଫର୍‌ କନଞ୍ଜର୍ଭେସନ୍‌ ଅଫ୍‌ ନେଚର (ଆଇୟୁସିଏନ୍‌)ର ବୈଜ୍ଞାନିକ ତଥା ଗବେଷକ ଡକ୍ଟର ସିଦ୍ଧାର୍ଥ ପତିଙ୍କ କହିବା ଅନୁସାରେ, ସାମୁଦ୍ରିକ ପରିବେଶ ସନ୍ତୁଳନ ରଖିବାରେ ନାଲି କଙ୍କଡ଼ା ବା ‘ଅକିପଡ୍‌ ମେକ୍ରୋସେରା’ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ଯେପରିକି ସମୁଦ୍ର ବେଳାଭୂମିରେ ପଡ଼ୁଥିବା ଜୈବିକ ଆବର୍ଜନାକୁ ନଷ୍ଟ କରିବା ସହ ପରିବେଶ ପ୍ରଦୂଷଣ ରୋକିବାରେ ଏମାନେ ସହାୟକ ହୋଇଥାନ୍ତି। ହେଲେ ଏବେ ସମୁଦ୍ରରେ ମଣିଷକୃତ କେତେକ ଅସୁବିଧା‌ କାରଣରୁ ନାଲି କଙ୍କଡ଼ା ସମେତ ଅନ୍ୟାନ୍ୟ ସାମୁଦ୍ରିକ ଜୀବଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି। କିଛିବର୍ଷ ପୂର୍ବରୁ ବନ ବିଭାଗ ପକ୍ଷରୁ ନାଲି କଙ୍କଡ଼ାଙ୍କ ସୁରକ୍ଷା ନିମନ୍ତେ ୨୦୧୩ ବନ୍ୟଜନ୍ତୁ ସଂରକ୍ଷଣ ଅଧିନିୟମରେ ଅନ୍ତର୍ଭୁକ୍ତ କରିବା ଲାଗି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା। ହେଲେ ସେହି ପ୍ରସ୍ତାବ ଏବେ ବି ଫାଇଲ୍‌ ଭିତରେ ସୀମିତ ରହିଥିବା ସେ କହିଛନ୍ତି। ସେହିପରି ପରିବେଶ କର୍ମୀ ରଘୁନାଥ ଲେଙ୍କା କହିଛନ୍ତି, ଆବଶ୍ୟକ ସଚେତନତା ଓ କଟକଣା ଜାରି କରାଗଲେ ନାଲି କଙ୍କଡ଼ାଙ୍କ ସଂଖ୍ୟା ପୁଣିଥରେ ବାଲେଶ୍ବର ଜିଲ୍ଲାର ବିସ୍ତୀର୍ଣ୍ଣ ସମୁଦ୍ର ଉପକୂଳରେ ବୃଦ୍ଧି ପାଇପାରିବ।

Spread the love