ଗଣେଶଙ୍କର ପ୍ରତ୍ୟେକ ଅଙ୍ଗ ଦେଇଥାଏ କିଛି କିଛି ଜ୍ଞାନ, ଜାଣନ୍ତୁ କେଉଁ ଅଙ୍ଗ ଦିଏ କି ଶିକ୍ଷା

ଭଗବାନ ଶିବ ଏବଂ ପାର୍ବତୀ ପୁତ୍ର ଗଣେଶଙ୍କୁ ବିଘ୍ନହର୍ତ୍ତା ଏବଂ ଅଗ୍ରପୂଜ୍ୟ ବୋଲି କୁହାଯାଇଥାଏ । କୌଣସି ଶୁଭ କାର୍ଯ୍ୟରେ ସର୍ବପ୍ରଥମେ ଗଣେଶ ଭଗବାନଙ୍କ ପୂଜା କରାଯାଇଥାଏ । ମାନ୍ୟତା ରହିଛି କି ବିଘ୍ନହର୍ତା ହେବା ଯୋଗୁଁ ଗଣେଶଙ୍କ ପୂଜା ସର୍ବପ୍ରଥମେ କରିବା ଦ୍ୱାରା ସମସ୍ତ ବାଧା ବିଘ୍ନ ଦୂର ହୋଇଥାଏ । ସେହିପରି ଗଣେଶ ଭଗବାନଙ୍କ ପ୍ରିୟ ଦିନ ହେଉଛି ବୁଧବାର । ଏହି ଦିନ ବିଧିବିଧାନ ସହ ଗଣେଶଙ୍କୁ ପୂଜା କରିବା ଦ୍ୱାରା ବିଶେଷ ଲାଭ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏହାବ୍ୟତୀତ ଗଣେଶଙ୍କୁ ବୁଧଙ୍କ କାରକ ଦେବ ବୋଲି ମଧ୍ୟ କୁହାଯାଇଥାଏ । ଜ୍ୟୋତିଷଙ୍କ ମତରେ ବୁଧବାର ଦିନ ଗଣେଶଙ୍କୁ ବିଧିପୂର୍ବକ ପୂଜା କରିବା ଦ୍ୱାରା ବୁଧ ଗ୍ରହ ଦୋଷ ମଧ୍ୟ ଦୂର ହୋଇଥାଏ ।

ପୌରାଣିକ କଥା ଅନୁସାରେ ମା’ ପାର୍ବତୀଙ୍କ ଦେହର ମଳୁଖରୁ ଜୀବନ୍ୟାସ ପାଇଥିବା ଗଣେଶଙ୍କ ଶିର ଛେଦନ ପିତା ମହାଦେବଙ୍କ ଦ୍ୱାରା ହୋଇଥିଲା। ପରେ ହାତୀର ମସ୍ତକକୁ ଗଣପତି ଧାରଣ କରିଥିଲେ। କିନ୍ତୁ ଆପଣ ଜାଣନ୍ତି କି ଗଣେଶଙ୍କ ଶରୀରର ଗଠନ କାହିଁକି ଏମିତି ? ହିନ୍ଦୁ ଶାସ୍ତ୍ରଗୁଡିକରେ ଦେବତାଙ୍କର ବର୍ଣ୍ଣନା ସବୁବେଳେ କିଛି ନା କିଛି ଶିକ୍ଷା ଦେଇଥାଏ। ଏଣୁ ଏହି କ୍ରମରେ ଦେଖିଲେ ଗଣେଶ ଆମ ସମାଜ ପାଇଁ ସବୁଠାରୁ ବଡ଼ ଶିକ୍ଷାଦାତା ବିଗ୍ରହ ବୋଲି କହିପାରିବା। ତେବେ ଆଜି ଆସନ୍ତୁ ଜାଣିବା ସେ ସମ୍ପର୍କରେ ।

ବିଶାଳ ମସ୍ତକ: କୁହାଯାଏ ଜଣେ ବଡ ମୁଣ୍ଡ ଥିବା ବ୍ୟକ୍ତିଙ୍କର ନେତୃତ୍ୱ ନେବାର ଦକ୍ଷତା ଥାଏ । ଶ୍ରୀ ଗଣେଶଙ୍କର ବଡ ମୁଣ୍ଡ ଏହି ଜ୍ଞାନ ଦେଇଥାଏ ଯେ ଆମେ ଆମର ଚିନ୍ତାଧାରାକୁ ବଡ଼ ରଖିବା ଉଚିତ୍।

ବଡ଼ କାନ: ଗଣେଶଙ୍କୁ ଶୂର୍ପକର୍ଣ୍ଣ ବୋଲି କୁହାଯାଏ। ଓଡ଼ିଆ ଓ ସଂସ୍କୃତରେ ଶୂର୍ପର ଅର୍ଥ ହେଉଛି କୁଲା। ଗଣେଶଙ୍କ ବଡ଼ କାନ ଥିବାରୁ ତାଙ୍କୁ ଶୂର୍ପକର୍ଣ୍ଣ କୁହାଯାଏ। କୁଲାର କାମ ହେଉଛି ଭଲ ଜିନିଷକୁ ନିଜ ପାଖରେ ରଖି ଖରାପ ବା ଅଦରକାରୀ ଦ୍ରବ୍ୟକୁ ଉଡ଼ାଇ ଦେବା। ଏଣୁ ଗଣେଶ ଆମକୁ ଉଚିତ୍‌ କଥା ଶୁଣି ଖରାପ କଥାକୁ ଦୂରେଇ ଦେବାକୁ ସଙ୍କେତ ଦିଅନ୍ତି।

ଛୋଟ ଚକ୍ଷୁ: ଯେଉଁମାନଙ୍କର ଆଖି ଛୋଟ, ସେମାନେ ଚିନ୍ତାଶୀଳ ଓ ଗମ୍ଭୀର ପ୍ରକୃତିର ହୋଇଥାନ୍ତି। ଭଗବାନ ଗଣେଶଙ୍କ ଛୋଟ ଆଖି ଶିକ୍ଷା ଦିଏ ଯେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସବୁକିଛି ଠିକ ଭାବେ ବିଚାର କରାଯିବା ଉଚିତ୍ । ବିଶ୍ୱାସ କରାଯାଏ ଯେ ଏହି କାର୍ଯ୍ୟ କରୁଥିବା ବ୍ୟକ୍ତି କଦାପି ଧୋକା ଖାଇନଥାନ୍ତି ।
ବଡ଼ ପେଟ: ଗଣେଶଙ୍କୁ ଲମ୍ବୋଦର ମଧ୍ୟ କୁହାଯାଏ। ବଡ଼ ପେଟ ଏହାର ହିଁ ସଙ୍କେତ। ଆମେ ଜାଣୁ ଯେ, ଯାବତୀୟ ଖାଦ୍ୟ ପେଟ ଭିତରେ ପାଚନ ହୋଇଥାଏ । ମଣିଷ ଜୀବନକୁ ସୁଖ ଦୁଃଖର ପାଚନ ହାଣ୍ଡି ବୋଲି କୁହାଯାଏ। ଜୀବନରେ ଯେତେ ବଡ଼ ସୁଖ ବା ଦୁଃଖ ଆସୁ, ଅତି ସହଜରେ ଆମେ ତାକୁ ହଜମ କରିପାରିଲେ ଗୋଟିଏ ଶୃଙ୍ଖଳିତ ଜୀବନ ଜିଇଁ ପାରିବା ବୋଲି ଗଣେଶଙ୍କ ବଡ଼ ପେଟ ଶିକ୍ଷା ଦିଏ ।

କ୍ଷୁଦ୍ର ପାଟି: ଗଣେଶଙ୍କ ଛୋଟିଆ ପାଟି ଆମକୁ କମ୍‌ କଥା କହିବାକୁ ସଙ୍କେତ ଦେଇଥାଏ। ଅଯଥା ଏବଂ ବହୁତ କଥା କହିବା ଦ୍ୱାରା ପ୍ରଜ୍ଞା ହ୍ରାସ ପାଇଥାଏ। ଏଣୁ ଗଣେଶଙ୍କଠାରୁ ଏହି ଶିକ୍ଷା ମିଳେ ଯେ ସ୍ୱଳ୍ପ କଥନକୁ ଜୀବନର ଆଧାର କରି ବଞ୍ଚିବା ଉଚିତ୍‌।

ଏକଦନ୍ତ : ଭଗବାନ ଗଣେଶ ତାଙ୍କ ଭଙ୍ଗା ଦାନ୍ତରୁ ଏହା ଶିକ୍ଷା ଦେଇଥାନ୍ତି ଯେ ସବୁ ପ୍ରକାର ଜିନିଷକୁ ଠିକ ଭାବରେ ସଦୁପଯୋଗ କରିବା ଉଚିତ ।

 

ଲଡୁ: ଗଣେଶଙ୍କ ପ୍ରିୟ ପ୍ରସାଦ ହେଉଛି ଲଡ଼ୁ। ଛୋଟ ଛୋଟ ବୁନ୍ଦି ଅଥବା ଖାଦ୍ୟ ଶସ୍ୟକୁ ଏକାଠି କରି ଗୋଲାକାର ଆକୃତିରେ ଏହାକୁ ପ୍ରସ୍ତୁତ କରାଯାଏ। ଏହା ଏକତା ଓ ସମୃଦ୍ଧିର ପ୍ରତୀକ। ଏଣୁ ଗଣେଶଙ୍କ ପ୍ରିୟ ଲଡୁ ଆମକୁ ଶିକ୍ଷା ଦିଏ ଯେ ସମାଜକୁ ଆଗକୁ ବଢାଇବାକୁ ହେଲେ ସବୁ ଗୋଷ୍ଠୀବାଦକୁ ପଛରେ ପକାଇ ଆମେ ଏକତାର ସୂତ୍ରରେ ବାନ୍ଧି ହେବା ଉଚିତ। ଏହା ଦ୍ୱାରା ହିଁ ଆମେ ଜୀବନରେ ଆଗକୁ ବଢ଼ିପାରିବା।

Spread the love