ଆସୁଛନ୍ତି ମୋଦୀ: ଏହି ରାସ୍ତା ଦେଇ ଯିବାଆସିବା ରହିବ ବନ୍ଦ

ଭୁବନେଶ୍ୱର: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି | ସେ ଭୁବନେଶ୍ବରର ଜନତା ମଇଦାନଠାରେ ସୁଭଦ୍ରା ଯୋଜନାର ଉଦ୍ଘାଟନ କରିବେ ଏବଂ ଏଥିନିମନ୍ତେ ବିପୁଳ ଜନସମାଗମ ହେବାର ଆଶଙ୍କା ଅଛି । ଏହାକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ସୁଗମନାଗମନ ଓ ପାର୍କିଙ୍ଗ ନିମନ୍ତେ ଓଡିଶା ସହରାଞ୍ଚଳ ଆଇନ ୨୦୦୩ ର ଧାରା ୨୮ (ଓଡ଼ିଶା ଆକ୍ଟ ୨୦୦୭ ର ଧାରା ୮) ଏବଂ ଭୁବନେଶ୍ୱର – କଟକ, ପୁଲିସ କମିଶନରେଟ୍ (ଟ୍ରାଫିକ୍ ଓ ପବ୍ଲିକ୍ ଅର୍ଡ଼ର) ୨୦୦୮ ର ଧାରା ୩୬ କୁ ଆଧାର କରି କମିସନରେଟ ପୁଲିସ ପକ୍ଷରୁ କିଛି କଟକଣା ଲାଗୁ କରାଯାଇଛି | ଏବେ ଆପଣ ନଜର ପକାନ୍ତୁ କେଉଁ ରାସ୍ତା କେତେ ସମୟ ପାଇଁ ବନ୍ଦ ରହିବ | ଆସନ୍ତାକାଲି ସକାଳ ୭ ଘଟିକା ୩୦ ମିନିଟ ସମୟଠାରୁ ଅପରାହ୍ନ ୩ ଘଟିକା ସମୟ ପର୍ଯ୍ୟନ୍ତ ଏହି କଟକଣା ଲାଗୁ କରାଯାଇଛି |
ଜୟଦେବ ବିହାର ଛକ ଠାରୁ ନାଲକୋ ଛକ ଏବଂ ନାଲକୋ ଛକ ଠାରୁ ଜୟଦେବ ବିହାର ଛକ ମଧ୍ୟରେ ଏବଂ ଏହାକୁ ଯୋଗାଯୋଗ କରୁଥିବା ସମସ୍ତ ଗଳି ରାସ୍ତାଗୁଡ଼ିକରୁ କୌଣସି ପ୍ରକାର ଯାନବାହାନ ଉପରଲିଖିତ ରାସ୍ତା ଦେଇ ଯାତାୟତ କରିପାରିବେ ନାହିଁ । ଉକ୍ତ ସମୟରେ ନନ୍ଦନକାନନ ପଟୁ ଜୟଦେବ ବିହାର ଆଡକୁ ଯିବାକୁ ଚାହୁଁଥିବା ଯାନବାହାନ ଗୁଡିକ ଡମଣା ଛକଠାରୁ ବାମ ମୋଡ ନେଇ ଗୁରୁ କେଳୁ ଚରଣ ପାର୍କ – ସୈନିକ ସ୍କୁଲ ରାସ୍ତା ଦେଇ ଆଚାର୍ଯ୍ୟବିହାର ଦେଇ ଯାଇପାରିବେ କିମ୍ବା ଶିଖରଚଣ୍ଡି – ପଥରଗାଡିଆ – ଡ଼ିଏନ ସ୍କୁଲ – କଳିଙ୍ଗ ଷ୍ଟଡିଓ ଛକ – ଫାୟାର ଷ୍ଟେସନ ଛକ ହୋଇ ଯାଇପାରିବେ । ସେହିପରି ଜୟଦେବ ବିହାର ପଟୁ ନନ୍ଦନକାନନ ଆଡକୁ ଯିବାକୁ ଚାହୁଁଥିବା ଯାନବାହାନଗୁଡିକ ଆଚାର୍ଯ୍ୟ ବିହାର – ସୈନିକ ସ୍କୁଲ – ଗୁରୁ କେଳୁ ଚରଣ ପାର୍କ ଦେଇ ଡମଣା ଛକ ହୋଇ ଯାଇପାରିବେ କିମ୍ବା ଫାୟାର ଷ୍ଟେସନ ଛକ – କଳିଙ୍ଗ ଷ୍ଟଡିଓ ଛକ – ଡ଼ିଏନ ସ୍କୁଲ – ପଥରଗାଡିଆ – ଶିଖରଚଣ୍ଡି ହୋଇ ଯାଇପାରିବେ । କଟକ ପଟୁ ଆସୁଥିବା ଏନଏଚ – ୩୧୬ ଦେଇ ଭୁବନେଶ୍ବର ଆଡକୁ ଆସିପାରିବେ କିମ୍ବା ନନ୍ଦନକାନନ ରାସ୍ତା ଦେଇ ଆସିପାରିବେ ।

ବେହେରାସାହି ପଟୁ ଜୟଦେବ ବିହାର ଆଡକୁ ଆସୁଥିବା ଯାନବାହାନଗୁଡିକ ଜୟଦେବ ବିହାର ଆଡକୁ ନଯାଇ ବେହେରା ସାହି ଠାରୁ ଆଚାର୍ଯ୍ୟ ବିହାର କିମ୍ବା ସିଆରପି ଛକ ହୋଇ ଯାଇପାରିବେ । ଏହି ସମୟରେ କଟକ ପଟୁ ଆସୁଥିବା ଯାନବାହାନ ଗୁଡିକ ଆଚାର୍ଯ୍ୟ ବିହାର ଓଭରବ୍ରିଜ ଶେଷଠାରେ ଥିବା କଟ ଦେଇ ସର୍ଭିସ ରୋଡ ଦେଇ ଜୟଦେବ ବିହାର ଆଡକୁ ଯାଇପାରିବେ ନାହିଁ । ସେହିପରି ବରମୁଣ୍ଡା ପଟୁ ଆସୁଥିବା ଯାନବାହାନଗୁଡିକ କ୍ରାଉନ ହୋଟେଲଠାରୁ ସର୍ଭିସ ରୋଡ ଦେଇ ଜୟଦେବ ବିହାର ଆଡକୁ ଯାଇପାରିବେ ନାହିଁ । ଜରୁରୀକାଳୀନ ସେବାରେ ନିୟୋଜିତ ଥିବା (ଫାୟାର ଓ ଆମ୍ବୁଲାନ୍ସ ) ଯାନବାହାନଗୁଡ଼ିକ ନିମନ୍ତେ ଉପରୋକ୍ତ କଟକଣା ଲାଗୁ ହେବ ନାହିଁ ।

Spread the love