‘ନିର୍ଭୟା’ ନ୍ୟାୟ ପାଇଁ ପୁଣି ମିଳିଲା ତାରିଖ

ନିର୍ଭୟା ପାଇଁ ନ୍ୟାୟ ଭିକ୍ଷା କରୁଥିବା ତାଙ୍କ ପରିବାର ଓ ସମଗ୍ର ଦେଶକୁ କେବଳ ଅଦାଲତଦରୁ ତାରିଖ ପରେ ତାରିଖ ମିଳି ଚାଲିଛି। କେନ୍ଦ୍ର ଓ ଦିଲ୍ଲୀ ସରକାର ଫାଶୀ ତାରିଖ ଧାର୍ଯ୍ୟ କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ହେଁ ଏହା ଆସନ୍ତାକାଲିକୁ ଘୁଞ୍ଚି ଯାଇଛି। ସେହିପରି ଘଟଣାର ଦୋଷୀ ବିନୟ ଶର୍ମା ତା’ର ରାଜକ୍ଷମା ଆବେଦନ ବିରୋଧରେ କରିଥିବା ଆବେଦନର ଶୁଣାଣି ମଧ୍ୟ ଆସନ୍ତାକାଲି କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଶୁକ୍ରବାର ମାମଲାର ଶୁଣାଣି ସହ ରାୟ ପ୍ରକାଶ ପାଇବ ବୋଲି ଜଷ୍ଟିସ ଆର ଭାନୁମତି, ଜଷ୍ଟିସ ଅଶୋକ ଭୂଷଣ ଓ ଜଷ୍ଟିସ ଏଏସ୍‌ ବୋପନ୍ନାଙ୍କ ଖଣ୍ଡପୀଠ କହିଛନ୍ତି।

ଅନ୍ୟପକ୍ଷରେ ପଟିଆଲା ହାଉସ କୋର୍ଟରେ ଦିଲ୍ଲୀ ସରକାର ଓ ନିର୍ଭୟାଙ୍କ ମା’ ନୂଆ ଡେଥ ୱାରେଣ୍ଟ ଜାରି ପାଇଁ କରିଥିବା ଆବେଦନ ମଧ୍ୟ ଘୁଞ୍ଚି ଯାଇଛି। କୋର୍ଟ ୧୭ ତାରିଖରେ ଏହାର ଶୁଣାଣି କରିବେ ବୋଲି କହିଛନ୍ତି। ଶୁଣାଣି ବେଳେ ନିର୍ଭୟାଙ୍କ ଓକିଲ ୧୫ ଫେବୃଆରୀରେ ଶୁଣାଣି କରିବାକୁ ଯୁକ୍ତି କରିଥିଲେ। ହେଲେ କୋର୍ଟ ଏହାକୁ ଗ୍ରହଣ କରି ନଥିଲେ।

ସେହିପରି ଆଜି ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଖଣ୍ଡପୀଠ ଦୋଷୀ ନିର୍ଭୟା କାଣ୍ଡର ଅନ୍ୟତମ ଦୋଷୀ ପବନ ଗୁପ୍ତା ପାଇଁ ଆମିକସ୍‌ କ୍ୟୁରୀ ଭାବେ ବରିଷ୍ଠ ଆଇନଜୀବୀ ଅଞ୍ଜନା ପ୍ରକାଶ ନିଯୁକ୍ତ କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ଟ୍ରାଏଲ କୋର୍ଟ ଜିଲ୍ଲା ଲିଗାଲ ସର୍ଭିସ ଅଥୋରିଟ୍‌କୁ ଏକ ନିର୍ଦ୍ଦେଶ ଗତକାଲି ଦେଇଥିଲେ। କୋର୍ଟ ଗୁପ୍ତାର ବାପାଙ୍କୁ ଡାକି ତାଙ୍କ ପୁଅ ପାଇଁ କେଉଁ ଓକିଲ ମାମଲା ଲଢ଼ିବେ,ସେକଥା ସ୍ଥିର କରିବାକୁ ଲିଗାଲ ଅଧିକାରୀଙ୍କୁ କହିଛନ୍ତି। ଗୁପ୍ତା ପାଖରେ କ୍ୟୁରେଟିଭ ପିଟିସନ ଓ କ୍ଷମା ଆବେଦନ କରିବାର ବିକଳ୍ପ ରହିଛି। ତେଣୁ ଆଜି ଏହି ପ୍ରକ୍ରିୟା ଶେଷ ହେବା ପରେ ଆମେ ଆସନ୍ତାକାଲି ଏହାର ଶୁଣାଣି କରିବୁ ବୋଲି ଖଣ୍ଡପୀଠ କହିଛନ୍ତି। ଏହି ସମୟରେ କେନ୍ଦ୍ରର ଆବେଦନ ଉପରେ ମଧ୍ୟ ବିଚାର ହେବ।

୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ୬ ଜଣ ଗିରଫ ହୋଇଥିଲେ। ତେବେ ଏମାନଙ୍କ ମଧ୍ୟରୁ ଜଣେ ନାବାଳକ ଥିବା ବେଳେ ଦୋଷୀ ରାମ ସିଂହ ଆତ୍ମହତ୍ୟା କରିଥିଲା। ଅନ୍ୟ ୪ ଜଣଙ୍କୁ ୨୦୧୩ରେ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।୩ ବର୍ଷ ଜେଲରେ ରହିବା ପରେ ନାବାଳକଟିକୁ ଛଡ଼ା ଯାଇଥିଲା। ୨୦୧୭ରେ ସୁପ୍ରିମକୋର୍ଟ ଦୋଷୀ ସାବ୍ୟସ୍ତ ହୋଇଥିବା ମୁକେଶ, ବିନୟ, ପବନ ଓ ଅକ୍ଷୟର ଫାଶୀ ଦଣ୍ଡ କାଏମ ରଖିଥିଲେ।

ଏହାପରେ ସେମାନେ ଦାଖଲ କରିଥିବା କ୍ୟୁରେଟିଭ ଓ ରିଭ୍ୟୁ ପିଟିସନ ସୁପ୍ରିମକୋର୍ଟ ଖାରଜ କରି ସାରିଛନ୍ତି। ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ୩ ଜଣ କରିଥିବା ରାଜକ୍ଷମା ଆବେଦନକୁ ଖାରଜ କରିଛନ୍ତି।

Spread the love