କଟିଲେ ନା କାଟିଦେଲେ? ସୁଭଦ୍ରାରୁ ବାଦ ପଡିଲେ ୨ଲକ୍ଷ ୬୭ହଜାର ମହିଳା

ରାଜ୍ୟରେ ସୁଭଦ୍ରାକୁ ନେଇ ବଡ କ୍ରେଜ ଲାଗିରହିଛି । ବର୍ତ୍ତମାନ ସୁଦ୍ଧା ୧ କୋଟି ୨ ଲକ୍ଷ ମହିଳା ପଞ୍ଜିକୃତ କରିସାରିଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇଟି ପର୍ଯ୍ୟାୟରେ ୬୦ ଲକ୍ଷ ମହିଳାଙ୍କୁ ମିଳିଛି ସୁଭଦ୍ରା ଟଙ୍କା । ସବୁଠୁ ବଡ କଥାହେଉଛି, ୨ ଲକ୍ଷ ୬୭ହଜାର ମହିଳାଙ୍କ ଆବେଦନକୁ ଖାରଜ କରାଯାଇଛି । ସିଧାସଳଖ କହିବାକୁ ଗଲେ ଏମାନେ ସୁଭଦ୍ରା ଯୋଜନାରୁ ବାଦ ପଡିଛନ୍ତି । ଏମାନେ ନିୟମ ଅନୁଯାୟୀ କଟିଲେ ନା ସେମାନଙ୍କ ନାଁକୁ କାଟିଦିଆଗଲା ସେ ନେଇ ଚର୍ଚ୍ଚା ଜାରିରହିଥିବାବେଳେ ସରକାର ଆଜି ନୂଆ ଆଶା ଦେଖାଇଛନ୍ତି । କ୍ୟାବିନେଟ ବୈଠକରେ ଆବେଦନ ପୁନଃବିଚାର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି ।ରାଜ୍ୟର ଅଧିକ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ ଉଦ୍ଦେଶ୍ୟରେ ‘ସୁଭଦ୍ରା’ର ଗାଇଡଲାଇନରେ ସଂଶୋଧନ ହେବ। ଯୋଗ୍ୟ ହିତାଧିକାରୀ ଚୟନ ନିମନ୍ତେ ରାସନକାର୍ଡ ଡାଟାବେସରେ ନିଶ୍ଚିତ ନାମ ଥିବାର ମାନଦଣ୍ଡକୁ ହଟାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଫଳରେ ଖାରଜ ହୋଇଥିବା ୨ଲକ୍ଷ ୬୭ହଜାର ଆବେଦନର ପୁନଃବିଚାର କରିବା ସରକାରଙ୍କ ପକ୍ଷେ ସମ୍ଭବପର ହୋଇପାରିବ । ଏବେ ହିତାଧିକାରୀ ଚୟନ ପାଇଁ  ‘ଆଧାର’ ଇ-କେୱାଇସି ମଡ୍ୟୁଲକୁ ସରକାର ବ୍ୟବହାର କରିବେ । ସୁଭଦ୍ରା ଯୋଜନା ପାଇଁ ସ୍ୱତନ୍ତ୍ର ଏଟିଏମ୍ ଅବା ଡେବିଟ୍ କାର୍ଡ ପ୍ରଦାନ କରାଯିବ ନାହିଁ ।

ବାଦ ପଡିଥିବା ସୁଭଦ୍ରା ଆବେଦନକାରୀଙ୍କୁ ଏହି ନିଷ୍ପତ୍ତି ଆଶ୍ବସ୍ତି ଦେଇଛି । ସେପଟେ ତୃତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଖୁବଶୀଘ୍ର ପ୍ରଦାନ ପାଇଁ ବିଚାର କରୁଛନ୍ତି ସରକାର ।

Spread the love