ଆତଙ୍କ ଖେଳାଉଛି ‘ଦାନା’: ଭିତରକନିକାରେ ମାଡ଼ ହେଲା
ଭୁବନେଶ୍ବର: ଓଡ଼ିଶା ଉପକୂଳରେ ମାଡ଼ ହୋଇଛି ଭୀଷଣ ବାତ୍ୟା ‘ଦାନା’। ଧାମରାର ଦକ୍ଷିଣ-ଦକ୍ଷିଣପୂର୍ବ ୨୦ କିମି ଦୂର ଅର୍ଥାତ୍ ଭିତରକନିକା ଅନ୍ତର୍ଗତ ହାବେଳିଖଟି ନେଚର୍ କ୍ୟାମ୍ପ ନିକଟରେ ରାତି ୧୨ଟାରେ ସ୍ଥଳଭାଗ ଛୁଇଁଛି। ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଏହି ପ୍ରକ୍ରିୟା ୫ ଘଣ୍ଟା ଅର୍ଥାତ୍ ୨୫ ତାରିଖ ଭୋର ୫ଟା ପର୍ଯ୍ୟନ୍ତ ଜାରି ରହିବ। ସ୍ଥଳଭାଗକୁ ପ୍ରବେଶ କରିବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ରହିଛି। ବେଳେବେଳେ ୧୨୦ କିମି ବେଗରେ ଝଟ୍କା ଦେଇ ଆଗକୁ ବଢ଼ୁଛି। ଏହାର ପ୍ରଭାବରେ କେନ୍ଦ୍ରାପଡ଼ା ଓ ଭଦ୍ରକ ଉପକୂଳ ଅଶାନ୍ତ ହୋଇପଡ଼ିଛି। ସମୁଦ୍ରରେ ଉଚ୍ଚ ଢେଉ ଉପକୂଳବର୍ତ୍ତୀ ଅଞ୍ଚଳକୁ ମାଡ଼ କରୁଛି। କେଉଁଠି ୫୦୦ ମିଟର ତ ଆଉ କେଉଁଠି ଦେଢ଼ କିଲୋମିଟର ପର୍ଯ୍ୟନ୍ତ ସ୍ଥଳଭାଗକୁ ମାଡ଼ି ଆସିଲାଣି ସମୁଦ୍ର। ତିନି ମିଟର ଉଚ୍ଚର ଜୁଆର ମାଡ଼ ଦ୍ବାରା କେତେକ ସ୍ଥାନରେ ଅତଡ଼ା ଖାଉଛି।
ସ୍ଥଳଭାଗ ଛୁଇଁବା ସହ ‘ଦାନା’ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର ଓ ବାଲେଶ୍ବର ଜିଲ୍ଲାରେ ବ୍ୟାପକ କ୍ଷତି ଘଟାଇଛି। ଉପକୂଳବର୍ତ୍ତୀ କିଛି ଗାଁରେ କଚ୍ଚା ତଥା ମାଟି କାନ୍ଥ ଘର ଭାଙ୍ଗିବା ସହ ଚାଳଘରଗୁଡ଼ିକର ଛପର ଉଡ଼ିଯାଇଛି। ଗଛ ଡାଳ ପଡ଼ି କିଛି ସ୍ଥାନରେ ବିଦ୍ୟୁତ୍ ଓ ଟେଲିଫୋନ୍ ତାର ଛିଣ୍ଡିଛି। ପିଚୁ ଓ ମାଟି ରାସ୍ତା ଧୋଇଯାଇଛି। ବାତ୍ୟା ଯେଉଁ ସ୍ଥାନରେ ସ୍ଥଳଭାଗ ଛୁଇଁଛି ତାହା ନିକଟରେ ଗଛ ଉପୁଡ଼ିବା ସହ ଡାଳ ଭାଙ୍ଗି ପଡ଼ିଥିବା ନଜରକୁ ଆସିଛି। ଭଦ୍ରକ, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ବାଲେଶ୍ବର ଓ ଯାଜପୁର ଜିଲ୍ଲାରେ କଦଳୀ, ଅମୃତଭଣ୍ଡା, ସଜନା, ଚାକୁଣ୍ଡା ପରି ଗଛ ବହୁ ପରିମାଣରେ ଭାଙ୍ଗିଛି। ଘଣ୍ଟାପ୍ରତି ୧୦୦ କିମି ବେଗର ପବନ ମାଡ଼ରେ ବଡ଼ ବଡ଼ ଗଛ ଧରାଶାୟୀ ହୋଇପଡ଼ିଛି। ବ୍ୟାପକ ପରିମାଣରେ ଧାନଫସଲ କ୍ଷତି ହୋଇଥିବା ସୂଚନା ମିଳିଛି।
ଆଇଏମ୍ଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ପୂର୍ବରୁ ଯେଉଁ ଆକଳନ କରାଯାଇଥିଲା ସେଠାରେ ହିଁ ବାତ୍ୟା ଲ୍ୟାଣ୍ଡଫଲ୍ କରିଛି। ୨୪ ତାରିଖ ରାତି ପ୍ରାୟ ୧୨ଟା ବେଳେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି, ଯାହାକି ୨୫ ତାରିଖ ସକାଳ ପର୍ଯ୍ୟନ୍ତ ଚାଲିବ। ଏହାର କେନ୍ଦ୍ରାଞ୍ଚଳ ୫୦ କିମି ପର୍ଯ୍ୟନ୍ତ ପରିବ୍ୟାପ୍ତ ଏବଂ ଉତ୍ତରପୂର୍ବ ଦିଗକୁ ଅଧିକ ରହିଛି। ବାତ୍ୟାର ମୁଖ୍ୟ ସ୍ଥଳଠାରୁ ୫୦ କିମି ପର୍ଯ୍ୟନ୍ତ ପବନର ପ୍ରଭାବ ରହିବ। ରାତିରେ କେନ୍ଦ୍ରାପଡ଼ା ଓ ଭଦ୍ରକ ଜିଲ୍ଲାରେ ୧୦୦ରୁ ୧୧୦ କିମି ବେଗରେ ପବନ ବହୁଛି ଏବଂ ଅଧିକ କ୍ଷତିଗ୍ରସ୍ତ ମଧ୍ୟ ହେବ। ଶୁକ୍ରବାର ଯାଜପୁର ଜିଲ୍ଲାରେ ୮୦ରୁ ୯୦ କିମି ବେଗରେ ପବନ ହେବ। ଶୁକ୍ରବାର ମଧ୍ୟାହ୍ନ ପର୍ଯ୍ୟନ୍ତ ବାତ୍ୟାର ପ୍ରକୋପ ରହିବ। ଏହାପରେ ଧୀରେ ଧୀରେ ଦୁର୍ବଳ ହେବା ସହ ସନ୍ଧ୍ୟା ବେଳକୁ ଅବପାତରେ ପରିଣତ ହେବ। ବାତ୍ୟା ସ୍ଥଳଭାଗ ଛୁଇଁବାର ପୂର୍ବ ଓ ପର ୬ ଘଣ୍ଟା ସବୁବେଳେ ଗୁରୁତ୍ବପୂର୍ଣ୍ଣ।
ବାତ୍ୟା ପରେ ବନ୍ୟା ହେବା ନେଇ ଶ୍ରୀ ମହାପାତ୍ର ଆଶଙ୍କା ପ୍ରକାଶ କରିଛନ୍ତି। ସାଧାରଣତଃ ମୌସୁମୀ ବର୍ଷା ପରେ ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ମାଟି ଓଦା ରହିଥାଏ, ବର୍ଷା ହେଲେ ପାଣିକୁ ମାଟି ଟାଣି ନ ଥାଏ। ତେଣୁ ବାତ୍ୟା ସହ ଯେଉଁ ବର୍ଷା ଆସୁଛି ତାହା ପ୍ରଭାବରେ ନଦୀଗୁଡ଼ିକ ଫୁଲିବାର ଆଶଙ୍କା ରହିଛି। ବ୍ରାହ୍ମଣୀ ଓ ବୈତରଣୀ ନଦୀରେ ସାଧାରଣତଃ ସାମୁଦ୍ରିକ ଜୁଆର ଆସେ। ତେଣୁ ଏବେ ହେବାକୁ ଥିବା ବର୍ଷା ଦ୍ବାରା ଖାଲୁଆ ଅଞ୍ଚଳ ଜଳମଗ୍ନ ହୋଇପାରେ। କେନ୍ଦୁଝରରେ ପ୍ରବଳରୁ ଅତିପ୍ରବଳ ବର୍ଷା ଆଶଙ୍କା ଥିବାରୁ ବୈତରଣୀରେ ବନ୍ୟା ସମ୍ଭାବନା ରହିଛି। ରାଜ୍ୟ ସରକାରଙ୍କୁ ଏନେଇ ଅବଗତ କରାଯାଇଛି। ବାତ୍ୟା ଦ୍ବାରା ଭଦ୍ରକ ଓ କେନ୍ଦ୍ରାପଡ଼ା ଅଧିକ କ୍ଷତିଗସ୍ତ ହେବାକୁ ଥିବା ବେଳେ ବାଲେଶ୍ୱର ଓ ଜଗତ୍ସିଂହପୁର ଜିଲ୍ଲା ମଧ୍ୟ ପ୍ରଭାବିତ ହେବ। ଯାଜପୁର ଜିଲ୍ଲାରେ ମଧ୍ୟ କିଛିଟା ପ୍ରଭାବ ପଡ଼ିବ। ଉପକୂଳ ଛୁଇଁବା ପରେ ବାତ୍ୟା ଦିଗ ବଦଳାଇବ, ଯାହାକି ବହୁ କମ୍ ସମୟରେ ଦେଖିବାକୁ ମିଳିଥାଏ। ବାତ୍ୟା ‘ଦାନା’ର ଆଖି ସୃଷ୍ଟି ହୋଇ ନଥିବା ସେ ସ୍ପଷ୍ଟ କରିଛନ୍ତି।
ସ୍ଥଳଭାଗ ଛୁଇଁଥିବା ବାତ୍ୟା ‘ଦାନା’ ଶୁକ୍ରବାର ଯାଜପୁର, ଢେଙ୍କାନାଳ, ଅନୁଗୁଳ ଦେଇ ଆଭ୍ୟନ୍ତରୀଣ ଓଡ଼ିଶାରେ ପଶିବ। ଉପକୂଳବର୍ତ୍ତୀ ଜଗତ୍ସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼ ଜିଲ୍ଲାରେ ମଧ୍ୟ ବର୍ଷା ଓ ପବନର ପ୍ରଭାବ ରହିବ। ଶୁକ୍ରବାର ସକାଳ ସାଢ଼େ ୮ଟା ସୁଦ୍ଧା ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, କଟକ, ଭଦ୍ରକ, ଯାଜପୁର, ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାରେ ଅତିରୁ ଅତିପ୍ରବଳ ଅର୍ଥାତ୍ ୨୦ରୁ ୩୦ ସେମି ବର୍ଷା ହୋଇପାରେ। ଏହି ସମୟରେ ପୁରୀ, ଖୋର୍ଦ୍ଧା, କେନ୍ଦୁଝର, ନୟାଗଡ଼ ଓ ଢେଙ୍କାନାଳ ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ଏବଂ ଗଞ୍ଜାମ, ବୌଦ୍ଧ, ଅନୁଗୁଳ, ଦେବଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଓଡ଼ିଶାରେ ବର୍ଷାର ପ୍ରଭାବ ପଡ଼ିବ। ଯାଜପୁର, ଭଦ୍ରକ, ପୁରୀ, ଢେଙ୍କାନାଳ, ଖୋର୍ଦ୍ଧା, କଟକ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା ଓ ଅନୁଗୁଳର କେତେକ ସ୍ଥାନରେ ୨୦ ସେମିରୁ ଅଧିକ ବର୍ଷା ହୋଇପାରେ। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ନୟାଗଡ଼, ବୌଦ୍ଧ ଓ ସୁବର୍ଣ୍ଣପୁରରେ ପ୍ରବଳରୁ ଅତିପ୍ରବଳ ଏବଂ ଗଞ୍ଜାମ, କନ୍ଧମାଳ, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼ ଓ ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ଭୀଷଣ ବାତ୍ୟା ‘ଦାନା’କୁ ନଜରରେ ରଖି ପୁରୀ, ଧାମରା, ଚାନ୍ଦବାଲି ଓ ପାରାଦୀପ ବନ୍ଦରରେ ସର୍ବାଧିକ ବିପଦ ସଙ୍କେତ ନମ୍ବର-୧୦ (ଜିଡି-୧୦) ଜାରି ହୋଇଛି। ଗୋପାଳପୁର ବନ୍ଦରରେ ଲୋକାଲ୍ କଜନାରି ସିଗନାଲ୍ ନମ୍ବର-୩ (ଏଲ୍ସି-୩) ଜାରି ହୋଇଛି।
ଉଲ୍ଲେଖଯୋଗ୍ୟ ଯେ ବୁଧବାର ରାତିରେ ଘଣ୍ଟାପ୍ରତି ୧୫ କିମି ବେଗରେ ମାଡ଼ି ଆସୁଥିବା ‘ଦାନା’ ପୂର୍ବାହ୍ନ ବେଳକୁ ହଠାତ୍ ମନ୍ଥର ହୋଇଯାଇଥିଲା। ଗୁରୁବାର ଭୋର ସମୟରେ ୧୨ କିମି ବେଗରେ ଗତି କରୁଥିବା ବେଳେ ଅପରାହ୍ଣ ବେଳକୁ ତାହା ୧୦ କିମିକୁ ଖସି ଆସିଥିଲା। ସନ୍ଧ୍ୟା ବେଳକୁ ପୁଣିଥରେ ବେଗ ବଢ଼ାଇ ଘଣ୍ଟାପ୍ରତି ୧୩ କିମି ବେଗରେ ଆଗକୁ ବଢ଼ିଥିଲା। ‘ଦାନା’ ଭୀଷଣ ବାତ୍ୟା ରୂପ ନେବା ପରେ ସମୁଦ୍ରରେ ଘଣ୍ଟାପ୍ରତି ୧୦୦ରୁ ୧୧୦ କିମି ବେଗରେ ପବନ ହୋଇଥିଲା। ସ୍ଥଳବିଶେଷରେ ପବନର ବେଗ ୧୨୦ କିମି ଛୁଇଁଥିଲା। ଅପରାହ୍ଣ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ସମୁଦ୍ର ମଧ୍ୟରେ ବାତ୍ୟାର ବେଗ ୧୦୫ରୁ ୧୧୫ କିମି ରହିଥିଲା। ବେଳେବେଳେ ୧୨୫ କିମିରେ ପହଞ୍ଚିଥିଲା। ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ସାମାନ୍ୟ କମିଥିଲେ ମଧ୍ୟ ଉପକୂଳ ଓଡ଼ିଶାକୁ ପ୍ରଭାବିତ କରିଛି। ଭିତରକନିକାରୁ ଧାମରା ମଧ୍ୟରେ ଘଣ୍ଟାପ୍ରତି ୧୦୦ରୁ ୧୧୦ କିମି ବେଗରେ ପବନ ହେଉଛି।