ଜୀବନ ଯାଉ, ମାଲିକ ନ କହିଲା ଯାଏ ଯିବିନି’

ଧାମରା: ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମରା ମୁହାଣର ଚନ୍ଦନୀପାଳଠାରେ ଗତକାଲିଠାରୁ ବନ୍ଧା ହୋଇଥିବା ଏକ ଡଙ୍ଗା ସମୁଦ୍ର ଉଚ୍ଚ ଜୁଆରରେ ବୁଡ଼ି ଯାଉଥିବା ବେଳେ ଡଙ୍ଗା ଛାଡ଼ି ଚାଳକ କୂଳକୁ ଆସୁ ନଥିଲେ। ଅଶାନ୍ତ ସମୁଦ୍ର ତାଙ୍କ ଜୀବନ ନେଇପାରେ ବୋଲି କହି ଉଦ୍ଧାରକାରୀ ଦଳ ତାଙ୍କୁ କୂଳକୁ ପଳାଇ ଆସିବାକୁ କହିଥିଲେ। ଏଥିପାଇଁ ପାଖାପାଖି ଘଣ୍ଟାଏ କାଳ ଉଦ୍ଧାରକାରୀ ଦଳକୁ ଢେର କସରତ କରିବାକୁ ପଡ଼ିଥିଲା। ଶେଷରେ ଡଙ୍ଗା ଚାଳକ ସୁରକ୍ଷିତ ଅବସ୍ଥାରେ କୂଳକୁ ଫେରିଛନ୍ତି।

ସୂଚନା ଅନୁସାରେ, ଚନ୍ଦନୀପାଳ ଅମରନଗରର କାହ୍ନୁ ବନ୍ଧଙ୍କ ଡଙ୍ଗା ଗତକାଲିଠାରୁ ଧାମରା ମୁହାଣରେ ବନ୍ଧା ହୋଇଥିଲା। ସେଥିରେ ଚାଳକ ଚନ୍ଦନୀପାଳ ଅଞ୍ଚଳର ମଖନ ପାଳ ଜଗି ରହିଥିଲେ। ଆଜି ସମୁଦ୍ରରେ ଉଚ୍ଚ ଜୁଆର ବଢ଼ିବାରୁ ଜୁଆରପାଣି ପଶି ଡଙ୍ଗାଟି କ୍ରମେ ବୁଡ଼ିବାକୁ ଲାଗିଥିଲା। କିନ୍ତୁ ଚାଳକ ମଖନ ଡଙ୍ଗା ଛାଡ଼ି କୂଳକୁ ଆସୁନଥିଲେ। ଯେପର୍ଯ୍ୟନ୍ତ ମାଲିକ ତାଙ୍କୁ ନିର୍ଦ୍ଦେଶ ନ ଦେଇଛନ୍ତି ସେ ପର୍ଯ୍ୟନ୍ତ ସେ ଡଙ୍ଗା ଛାଡ଼ିବେ ନାହିଁ କହିଥିଲେ। ଡଙ୍ଗାଟି ଅଧାବୁଡ଼ା ଅବସ୍ଥାରେ ଥିବାବେଳେ କେତେଜଣ ସେଠାକୁ ଯାଇ ଚାଳକଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ। ଡଙ୍ଗା ଯାଉ ପଛେ ଜୀବନ ବଞ୍ଚିଯାଉ ବୋଲି ବୁଝାଇଥିଲେ। ଏହା ସତ୍ତ୍ବେ ବି ସେଠୁ ଆସିବାପାଇଁ ଚାଳକ ମଙ୍ଗିନଥିଲେ। ଘଣ୍ଟାଏ କାଳ ବୁଝାସୁଝା କରିବା ପରେ ଶେଷରେ ମଖନ ଡଙ୍ଗାରୁ ନିଜର ସରଞ୍ଜାମ, ମାଲିକଙ୍କ ଓୟାର୍‌ଲେସ୍‌, ୱାକିଟକି ନେଇ କୂଳକୁ ଆସିଥିଲେ।

Spread the love