ବିଶିଷ୍ଟ ସାହିତ୍ୟିକ ତଥା ଗାନ୍ଧୀବାଦୀ ଡକ୍ଟର ପାବକ କାନୁନଗୋଙ୍କ ପରଲୋକ
କଟକ : ବିଶିଷ୍ଟ ସାହିତ୍ୟିକ ତଥା ଗାନ୍ଧୀବାଦୀ ଡକ୍ଟର ପାବକ କାନୁନଗୋଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । କଟକର ମର୍କତନଗର (ସି.ଡି.ଏ.)ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଯାଇଛି। ସେ ଖ୍ରୀଷ୍ଟ କଲେଜର ରାଜନୀତି ବିଜ୍ଞାନ ବିଭାଗର ପ୍ରାଧ୍ୟାପକ ତଥା ବିଭାଗୀୟ ମୁଖ୍ୟ ପଦରୁ ଅବସର ନେଇଥିଲେ।
୧୬ ଜାନୁୟାରୀ ୧୯୪୭ରେ ପାବକ କାନୁନ୍ଗୋ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତା ସଂଗ୍ରାମୀ ବିନୋଦ କାନୁନ୍ଗୋ ଥିଲେ । ତାଙ୍କ ମାତାଙ୍କ ନାମ ଶଶିବାଳା କାନୁନ୍ଗୋ ଥିଲା । ଲେଖକ , ଗବେଷକ, ସ୍ତମ୍ଭକାର ଓ ପ୍ରବୀଣ ଅଧାପକରୂପେ ସୁପରିଚିତ ଡ଼କ୍ଟର ପାବକ କାନୁନ୍ଗୋ ଗାନ୍ଧୀ- ଦର୍ଶନର ଜଣେ ବ୍ୟାଖ୍ୟାକାର ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଛନ୍ତି । ମୁକ୍ତି ସଂଗ୍ରାମର ଚିରନ୍ତନ ଗରିମା-ଆଧାରିତ ମୂଲ୍ୟବୋଧକୁ ନିଜର ଲେଖା ଜରିଆରେ ଜନସାଧାରଣଙ୍କ ମଧ୍ୟରେ ପ୍ରସାର କରିବା ତାଙ୍କର ଲକ୍ଷ୍ୟ ଥିଲା ।
ମହାତ୍ମାଙ୍କ ଓଡ଼ିଶା ସହିତ ଥିବା ସମ୍ପର୍କକୁ ଆଧାର କରି ରଚିତ ପ୍ରାମାଣିକ ଗ୍ରନ୍ଥ, ‘ଓଡ଼ିଶା ଓ ଗାନ୍ଧୀ’ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ଲାଭ କରିଛନ୍ତି । ଗାନ୍ଧିଜୀ ସତ୍ୟାଗ୍ରହ ଆନ୍ଦୋଳନ ଜରିଆରେ ଯେଉଁ ନିଭୀକତାର ବାର୍ତ୍ତା ପ୍ରଚାର କରିଥିଲେ ଓଡ଼ିଆମାନେ କିପରି ତାହାକୁ ପୁର୍ନପ୍ରାଣରେ ଆବୋରି ନେଇଥିଲେ ତାହାର ଚମତ୍କାର ବର୍ଣ୍ଣନା ‘ଗାନ୍ଧୀ, ସାଧନତା ସଂଗ୍ରାମ ଓ ସରାଜ ଆଶ୍ରମ’ ପୁସ୍ତକରେ ରହିଛି । ‘ଗାନ୍ଧୀ ଓ ଅନ୍ୟାନ୍ୟ ପ୍ରସଙ୍ଗ’, ‘ଗାନ୍ଧୀ ଶିଷ୍ୟ ମୀରା’ ଓ ‘ଗାନ୍ଧୀ ଦର୍ଶନର ଜଗତୀକରଣ’ ପୁସ୍ତକର ମଧ୍ୟ ରଚୟିତା ଥିଲେ ଡକ୍ଟର ପାବକ କାନୁନଗୋ ।