ଏ ସପ୍ତାହର ଅପରାଧ ଖବର; ଅହଙ୍କାରରୁ ମଣିଷ ହେଉଛି ରକ୍ତ ମୁଖ୍ୟ
୧- ରାଜଧାନୀରେ ଅପରାଧୀଙ୍କ ଖୋଲା ଆତଙ୍କ
ବିଗିଡ଼ି ଗଲାଣି ରାଜଧାନୀର ଆଇନ ଶୃଙ୍ଖଳା। ଶନିବାର ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଅପରାଧୀମାନେ ସର୍ବସାଧାରଣରେ ବୋମା ଫିଙ୍ଗିବା ସହ ଖଣ୍ଡା ବୁଲାଇ ଆତଙ୍କ ସୃଷ୍ଟି କରିଥିଲେ। ଏଭଳି ଘଟଣା ଭୁବନେଶ୍ୱର ସ୍ଥିତ ସହିଦନଗର ଇମ୍ଫା ପାର୍କ ନିକଟରେ ଘଟିଥିଲା। ୪୦ ରୁ ଉର୍ଦ୍ଧ୍ୱ ଦୃର୍ବୁତ୍ତ ୨୦ ମିନିଟ ଧରି ସେଠାରେ ଆତଙ୍କ ରଚି ଲୋକଙ୍କୁ ଭୟଭୀତ କରିଥିଲେ।
୨- ବାପ- ପୁଅଙ୍କୁ ହତ୍ୟା ଘଟଣାରେ ୫ ଗିରଫ
ପୁରୀ ଜିଲ୍ଲା ସମଙ୍ଗରା ଗ୍ରାମରେ ଗୋଷ୍ଠୀ ସଂଘର୍ଷରୁ ବାପ ପୁଅଙ୍କ ମୃତ୍ୟୁ ଘଟଣାରେ ପେଣ୍ଠକଟା ମେରାଇନ ଥାନା ପୁଲିସ ନାବାଳକ ସମେତ ୫ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଜଟାଧାରୀ ପ୍ରଧାନ, ତାଙ୍କ ପୁଅ ବଳିଆ ପ୍ରଧାନ, ଜଗା ପ୍ରଧାନ, ସ୍ତ୍ରୀ ରତନୀ ପ୍ରଧାନ ଓ ଅନ୍ୟ ଜଣେ ନାବାଳକ। ଜମିବାଡ଼ି ବିବାଦକୁ ନେଇ ସେହି ଗ୍ରାମରେ ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟି ରବୀନ୍ଦ୍ର ସ୍ୱାଇଁ ଏବଂ ତାଙ୍କ ପୁଅ ପ୍ରକାଶ ସ୍ୱାଇଁଙ୍କ ମୃତ୍ୟୁ ଘଟିଥିଲା।
୩- ଦୀପାବଳିରେ ଲିଭାଇଦେଲା ଦାଦାର ଜୀବନଦୀପ
ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅଧୀନ ମନ୍ୟମକୋଣ୍ଡା ପଞ୍ଚାୟତର କତାବାଞ୍ଜିଗୁଡା ଗ୍ରାମରେ ଜମିଜମା ବିବାଦରୁ ଦାଦାକୁ ହତ୍ୟା କଲା ପୁତୁରା। ଦୀପାବଳିରେ ଲିଭାଇଦେଲା ଦାଦାର ଜୀବନଦୀପ । ମୃତକ ହେଲେ ଭୀମା ମାଢି। ହତ୍ୟା ମାମଲାରେ ମୋଟୁ ଥାନା ପୁଲିସ ଲାଛା ମାଢିକୁ ଗିରଫ କରି କୋର୍ଟ ଚାଲାଣ କରିଛି।
୪- ମାଛ ତରକାରୀ ନ ଦେବାରୁ ରୋଷେୟାଙ୍କୁ ପନିକିରେ ହାଣିଲା
ଭୁବନେଶ୍ୱର ଡମଣା ସ୍ଥିତ ଏକ ହୋଟେଲରେ ମାଛ ତରକାରୀ ନ ଦେବାରୁ ରୋଷେୟାଙ୍କୁ ପନିକିରେ ହାଣିବା ଘଟଣାରେ ହୋଟେଲ କର୍ମଚାରୀଙ୍କୁ ପୁଲିସ ଗିରଫ କରିଛି। ମୃତକ ହେଲେ ଗଞ୍ଜାମ ସୋରଡ଼ାର ପିତାମ୍ବର ଜେନା। ଅଭିଯୁକ୍ତ ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଞ୍ଚଳର ବିନୋଦ ସାହୁକୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ଗିରଫ କରିଛି।
୫- ଆନାସ୍ଥେସିଆ ଦେଇ ପତ୍ନୀକୁ ହତ୍ୟା ଘଟଣା
ଆନାସ୍ଥେସିଆ ଓ ପୋଟାସିୟମ କ୍ଲୋରାଇଡ ଇଞ୍ଜେକସନ ଦେଇ ପତ୍ନୀ ଶୁଭଶ୍ରୀ ନାୟକଙ୍କୁ ହତ୍ୟା ଘଟଣାରେ ଭରତପୁର ଥାନା ପୁଲିସର ତଦନ୍ତ ଆଉ ପାଦେ ଆଗେଇଛି। ଅଭିଯୁକ୍ତ ସ୍ବାମୀ ପ୍ରଦ୍ୟୁମ୍ନ କୁମାର ଏବଂ ଦୁଇ ପ୍ରେମିକା ରୋଜି ପାତ୍ର ଓ ଇଜିତା ଭୂୟାଁକୁ ତିନି ଦିନିଆ ରିମାଣ୍ଡରେ ଆଣିବା ପାଇଁ ଆବେଦନ କରିଥିଲା ପୁଲିସ। ହତ୍ୟା କରିବା ପାଇଁ ସେ କେବେ ଠାରୁ ଯୋଜନା କରିଥିଲା ଏବଂ ଡ଼ାକ୍ତରଙ୍କ ବିନା ପରାମର୍ଶରେ ଆନାସ୍ଥେସିଆ ଓ ପୋଟାସିୟମ କ୍ଲୋରାଇଡ ସେ ଆଣିଲା କେଉଁଠୁ ସେନେଇ ପୁଲିସ ଖୋଳତାଡ଼ କରିଛି।
୬- ପୁଲିସକୁ କାମୁଡ଼ି ବନ୍ଧା ହେଲା ଯୁବକ
ପୁଲିସକୁ କାମୁଡି ଥିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ଇନଫୋସିଟି ପୁଲିସ। ଗିରଫ ଅଭିଯୁକ୍ତ ହେଉଛି ପ୍ରଶାନ୍ତି ବିହାରର ରୁପେଶ ଆଚାର୍ଯ୍ୟ। ନିଶାସକ୍ତ ଅବସ୍ଥାରେ ପୁଲିସକୁ ଆକ୍ରମଣ କରିଥିବା ଲୋକେ ଅଭିଯୋଗ କରିଥିଲେ।
୭- ଗୁଣି ସନ୍ଦେହରେ ବାପା – ମାଆ ଓ ଝିଅକୁ ଆକ୍ରମଣ
କଳାହାଣ୍ଡି ଜିଲ୍ଲା କୋକସରା ଥାନା ଧଅଁରପୁର ଗ୍ରାମରେ ଗୁଣି ସନ୍ଦେହରେ ଗୋଟିଏ ପରିବାରର ବାପା – ମାଆ ଓ ଝିଅକୁ ଆକ୍ରମଣ କରିଛନ୍ତି ଅନ୍ୟ ଏକ ପରିବାର। ଗ୍ରାମର ଗଜାନନ ସେଠିଆ, ତାରିଣୀ ସେଠିଆ, ସୁଲୋଚନା ସେଠିଆ, ସଞ୍ଜୟ ସେଠିଆଙ୍କ ସମେତ ପରିବାର ଲୋକ ତାଙ୍କ ଝିଅକୁ ଗୁଣି ଗାରେଡ଼ି କରିଥିବା ସନ୍ଦେହରେ ଦଶରଥ ସେଠିଆ ଏବଂ ତାଙ୍କ ସ୍ତ୍ରୀ ଏବଂ ଝିଅକୁ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି। କୋକସରା ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
୮- ରାଜଧାନୀରେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ
ସୋମବାର ସନ୍ଧ୍ୟାରେ ରକ୍ତରଞ୍ଜିତ ହୋଇଛି ରାଜଧାନୀ। ସହରର ଜନଗହଳି ପୂର୍ଣ୍ଣ ପଳାଶପଲ୍ଲୀରେ ବୁଲିଛି ଖଣ୍ଡା। ଖଣ୍ଡାଚୋଟରେ ଗୁରୁତର ହୋଇଛନ୍ତି ରକ୍ତଦାତା ଶିବପ୍ରସାଦ ଶ୍ରୀଚନ୍ଦନ। ଦୁର୍ବୃତ୍ତ ମାନେ ଗୋଡ଼େଇ ଗୋଡ଼େଇ ଶିବଙ୍କ ଅଣ୍ଟା, ପିଠି ଓ ହାତ ଏବେ ଶରୀରର ଅନେକ ସ୍ଥାନକୁ ହାଣି ଫେରାର ହୋଇଯାଇଥିଲେ। ଏନେଇ ଏୟାରପୋର୍ଟ ଥାନା ପୁଲିସ ତଦନ୍ତ ଆରମ୍ଭ କରିଛି।
୯- ପିତୃ ହତ୍ୟାର ପ୍ରତିଶୋଧ, ବିଚ୍ ରାସ୍ତାରେ ଗୁଳି
ଜେଲ୍ ଫେରନ୍ତା ହତ୍ୟାକାରୀକୁ ବିଚ୍ ରାସ୍ତାରେ ଗୁଳି। ରାଉରକେଲା ଟ୍ରାଫିକ ଗେଟ୍ ସ୍ଥିତ ରିଙ୍ଗରୋଡରେ ସୋମବାର ସ୍ପଷ୍ଟ ଦିବାଲୋକରେ ଘଟିଥିବା ଘଟଣା ସହରରେ ଆଲୋଡନ ସୃଷ୍ଟି କରିଛି। ଗୁରୁତର ଯୁବକ ଗଞ୍ଜାମ ବସ୍ତିର ଆଭେଶ ରାୟ। ଗୁଳିମାଡ କରି ସାଗର ସାହୁ ଫେରାର ହୋଇଯାଇଛି। ପୁଲିସ ତାକୁ ଧରିବାକୁ ଚଢ଼ଉ ଜାରି ରଖିଛି। କୁହାଯାଉଛି ଯେ ସାଗରର ବାପା ଭଗବାନ ସାହୁଙ୍କୁ ଆଭେଶ୍ ହତ୍ୟା କରିଥିଲା । ଏହି ମାମଲାରେ ସେ ଆଜୀବନ କାରାଦଣ୍ଡ ଭୋଗି ୩ମାସ ତଳେ ଫେରିଥିବା ବେଳେ ସାଗର ତାକୁ ଗୁଳିମାଡ କରିଥିଲା। ପୂର୍ବରୁ ଆଭେଶଙ୍କ ମା ଙ୍କୁ ସାଗରଙ୍କ ବାପା ହତ୍ୟା କରିଥିଲେ। ଏହାର ପ୍ରତିଶୋଧ ନେବାକୁ ଆଭେଶ ଭଗବାନ ସାହୁଙ୍କୁ ସେ ଖଣ୍ଡାରେ ହାଣି ହତ୍ୟା କରିଥିଲା। ପିତୃ ହତ୍ୟାର ପ୍ରତିଶୋଧ ନେବାକୁ ସାଗର ଏଭଳି କାଣ୍ଡ ଘଟାଇଥିବା ଅଭିଯୋଗ ହେଉଛି।
୧୦- ଗାଁ ଦାଣ୍ଡରେ ଯୁବକଙ୍କୁ କଟୁରି ଚୋଟ
ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଚାଙ୍ଗୁଡିଆରେ ଜଣେ ଯୁବକଙ୍କୁ କଟୁରିରେ ହାଣି ହତ୍ୟା କରାଯାଇଛି। ମୃତକ ହେଲେ ସେହି ଗ୍ରାମର ଚିକୁନ ମାଝୀ। ପୂଜା ମଣ୍ଡପକୁ ନେଇ ଏଭଳି କାଣ୍ଡ ଘଟିଛି। ଗ୍ରାମର ଚତୁର୍ଭୁଜ ମାଝୀ ମଦ୍ୟପାନ କରି ଚିକୁନକୁ ହାଣି ହତ୍ୟା କରିଥିଲା।