ଲଘୁଚାପ ପ୍ରଭାବରେ ଓଡିଶାରେ ବର୍ଷା ହୋଇପାରେ
ଭୁବନେଶ୍ୱର : ୨୪ ଘଣ୍ଟା ଭିତରେ ଲଘୁଚାପ ସମ୍ଭାବନା । ଦକ୍ଷିଣ ବଙ୍ଗୋପସାଗରରେ ଆସନ୍ତାକାଲି ସୃଷ୍ଟି ହୋଇପାରେ ଲଘୁଚାପ । ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ବାୟୁମଣ୍ଡଳରେ ୫.୮ କିମି ଉଚ୍ଚତା ଯାଏ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହା ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି ।
ଲଘୁଚାପ ନେଇ ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲସ ପୂର୍ବାନୁମାନ କରିଛନ୍ତି । ବଙ୍ଗୋପ ସାଗର ତଥା ପଶ୍ଚିମ ଆଣ୍ଡାମାନ ଦ୍ବୀପପୁଞ୍ଜ ନିକଟବର୍ତ୍ତୀ ଅଞ୍ଚଳରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟିର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଓଡିଶାରେ ବର୍ଷା ହେବ। ଏପରିକି ଛତିଶଗଡ, କର୍ଣ୍ଣାଟକ, କେରଳ ଓ ତାମିଲନାଡୁ ସହ ଶ୍ରୀଲଙ୍କାରେ ମଧ୍ୟ ଲଘୁଚାପ ପ୍ରଭାବରେ ବର୍ଷା ସମ୍ଭାବନା ରହିଛି।
ତେବେ ଲଘୁଚାପ ଓଡ଼ିଶା ଉପରେ କେତେ ପ୍ରଭାବ ପକାଇବ ସେ ନେଇ କୌଣସି ଆକଳନ ହୋଇ ନାହିଁ । ୮ ରୁ ୧୦ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି । ଏପଟେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଗତକାଲି ୪୨ ଡିଗ୍ରୀ ସହ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା ବୌଦ୍ଧ । ୯ଟି ସ୍ଥାନରେ ୪୦ ଡିଗ୍ରୀ ଉପରେ ଥିଲା ତାପମାତ୍ରା।