ଝଲସୁଛି ଏକାମ୍ରକ୍ଷେତ୍ର ଲିଙ୍ଗରାଜ ମନ୍ଦିର, ସମୟ ପୂର୍ବରୁ ଉଠିଲା ମହାଦୀପ

ଭୁବନେଶ୍ୱର, ମହା ଶିବରାତ୍ରୀରେ ପ୍ରଭୁ ଲିଙ୍ଗରାଜଙ୍କ ଏକାମ୍ରକ୍ଷେତ୍ରର ଚମକ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଛି । ଭକ୍ତମାନଙ୍କ ପାଇଁ ଏହା ଆଣି ଦେଇଥିଲା ନିଆରା ଅନୁଭବ । ଶ୍ରୀ ଲିଙ୍ଗରାଜ ମନ୍ଦିର ଓ ଏହାର ଆଖପାଖର ସୌନ୍ଦର୍ଯ୍ୟକରଣକୁ ଭକ୍ତମାନେ ମନଭରି ଉପଭୋଗ କରିଥିଲେ । ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ଯୋଗୁଁ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ଅତ୍ୟନ୍ତ ଶୃଙ୍ଖଳାର ସହ ସମାପନ ହୋଇଥିଲା । ନିର୍ଦ୍ଧାରିତ ସମୟର ୧୫ ମିନିଟ୍ ପୂର୍ବରୁ ରାତି ଠିକ୍ ୯.୪୫ରେ ଉଠିଥିଲା ମହାଦୀପ । ସେଥିପାଇଁ ଭକ୍ତମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।

ନିର୍ଦ୍ଧାରିତ କାର୍ଯ୍ୟସୂଚୀମତେ ଗୁରୁବାର ରାତି ୨ଟା ୩୦ରୁ ମନ୍ଦିର ଦ୍ୱାର ଫିଟିଥିଲା । ଭୋର ୩ଟାରୁ ୩ଟା ୩୦ ମଙ୍ଗଳ ଆରତି ଓ ଅବକାଶ ନୀତି ହୋଇଥିଲା । ୪ଟାରୁ ପୂର୍ବାହ୍ନ ୧୧ଟା ସାହାଣମେଲା ଏବଂ ପରେ ପରେ ଅନ୍ୟ ନୀତିକାନ୍ତି ଯଥା ସମୟରେ ସମ୍ପନ୍ନ ହୋଇଥିଲା । ସଂଧ୍ୟା ୭ଟାରେ ପହୁଡ଼ ପରେ ଶ୍ରୀଜୀଉଙ୍କ ସଂଧ୍ୟା ଆଳତି ହୋଇଥିଲା । ସାଢ଼େ ୭ଟାରେ ଶ୍ରୀଜୀଉଙ୍କ ମାଜଣା ଓ ବେଶ ଏବଂ ୮ଟା ୪୫ରେ ସଂଧ୍ୟା ଧୂପ ଓ ତୀର୍ଥଜଳ ଆନୟନ ହୋଇଥିଲା । ଠିକ୍ ୯ଟା ୪୫ ମିନିଟ୍ ରେ ମହାଦୀପ ଉଠିଥିଲା ।

ଜାଗର ପାଇଁ ଫୁଲ ଓ ରଙ୍ଗିନ୍ ଆଲୋକମାଳାରେ ଝଲସିଥିଲା ଶ୍ରୀଲିଙ୍ଗରାଜ ମନ୍ଦିର ଓ ଆଖପାଖ ଅଞ୍ଚଳ । ମନ୍ଦିର ଚାରିପଟ ଅଞ୍ଚଳକୁ ଜବରଦଖଲ ମୁକ୍ତ କରାଯାଇଥିବାରୁ ଶ୍ରଦ୍ଧାଳୁମାନେ ଆରାମରେ ଚଳପ୍ରଚଳ ହେବା ସହ ଠାକୁରଙ୍କ ଦର୍ଶନ କରିଥିଲେ । ତେଣୁ ପୂର୍ବବର୍ଷମାନଙ୍କ ଭଳି ସେଠାରେ ଭକ୍ତଙ୍କ ଠେଲାପେଲା ଦେଖିବାକୁ ମିଳି ନ ଥିଲା । ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍ ନିର୍ମାଣ କରାଯାଇ ଭକ୍ତଙ୍କ ଦର୍ଶନକୁ ଆହୁରି ଶୃଙ୍ଖଳିତ କରାଯାଇଥିଲା ।
Spread the love