ଭାରତରେ କାହିଁକି ବଢୁଛି ସ୍ମାର୍ଟଫୋନ୍ ଦାମ; ବିଶ୍ୱରେ ୧୫%,ଦେଶରେ ୨୧% ବୃଦ୍ଧି
ନୂଆଦିଲ୍ଲୀ,୧୧/୯: ପାର୍ବଣରେ ଏକ ନୂତନ ସ୍ମାର୍ଟଫୋନ୍ କିଣିବାକୁ ପ୍ରସ୍ତୁତ ହେଉଥିବା ଗ୍ରାହକଙ୍କୁ ଲାଗିବାକୁ ଯାଉଛି ବଡ଼ ଝଟ୍କା। କାଉଣ୍ଟରପଏଣ୍ଟ ରିସର୍ଚ୍ଚ ରିପୋର୍ଟ ଅନୁଯାୟୀ, ଭାରତରେ ହାରାହାରି ଖୁଚୁରା ସ୍ମାର୍ଟଫୋନ୍ ମୂଲ୍ୟ ଚଳିତବର୍ଷ ୨୧% ବୃଦ୍ଧି ଘଟିଛି। ଏହା ବିଶ୍ୱର ଯେକୌଣସି ପ୍ରମୁଖ ବଜାର ମଧ୍ୟରେ ସବୁଠାରୁ ତୀବ୍ର ବୃଦ୍ଧି। ବିଶ୍ୱ ସ୍ତରରେ ମୋବାଇଲ୍ ଫୋନ୍ ମୂଲ୍ୟରେ ହାରାହାରି ୧୫% ବୃଦ୍ଧି ପାଇଛି। ବିକଶିତ ଦେଶଗୁଡ଼ିକରେ ଏହାର ପ୍ରଭାବ ସୀମିତ ହୋଇଛି, ଆମେରିକାରେ ମୂଲ୍ୟ କେବଳ ୫%, ୟୁରୋପରେ ୭% ଏବଂ ଚୀନରେ ୧୦% ବୃଦ୍ଧି ପାଇଛି। ବିପରୀତରେ, ଏସିଆ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ମୂଲ୍ୟ ୧୯% ଏବଂ ଭାରତରେ ୨୧% ବୃଦ୍ଧି ଘଟିଛି। ମେମୋରୀ ଚିପ୍ ମୂଲ୍ୟରେ ବୃଦ୍ଧି ଯୋଗୁ ମୋବାଇଲ୍ ଫୋନ୍ ମହଙ୍ଗା ହୋଇଥିବା କୁହାଯାଉଛି। ଏଥଯୋଗୁ ଏବେ ବଜେଟ୍ ଫୋନ୍ଙ୍କୁ ନେଇ ବଡ଼ ସଙ୍କଟ ସୃଷ୍ଟି ହୋଇଛି। କାରଣ ମୂଲ୍ୟବୃଦ୍ଧି ଯୋଗୁ ୧୦-୨୦ ହଜାର ମୂଲ୍ୟର ସ୍ମାର୍ଟଫୋନ୍ ସେଗ୍ମେଣ୍ଟ ଏବେ ହଜିଯିବାକୁ ବସିଥିବା ଆଶଙ୍କା ସୃଷ୍ଟି ହୋଇଛି। ମୂଲ୍ୟବୃଦ୍ଧି ପ୍ରଭାବରେ ଦେଶରେ ସ୍ମା ବଜେଟ୍ ଫୋନ୍ ବିକ୍ରିରେ ୪୫% ହ୍ରାସ ଘଟିଛି। ବଜାରରେ ସ୍ମାର୍ଟଫୋନ୍ ମୂଲ୍ୟ ବୃଦ୍ଧି ମଧ୍ୟରେ ବଜେଟ୍ ଫୋନ୍ଙ୍କୁ ନେଇ ବଡ଼ ସଙ୍କଟ ଦେଖାଦେଇଛି। କାରଣ ୧୫,୦୦୦ ଟଙ୍କାରୁ କମ୍ ମୂଲ୍ୟର ଫୋନ୍ ପାଇଁ ମୋଟ ଉପାଦାନ ମୂଲ୍ୟର ୪୫% ରୁ ଅଧିକ କେବଳ ମେମୋରୀ ଚିପ୍ ଲାଗି ହୋଇଥାଏ। ଭାରତୀୟ ବଜାରର ୫୧%ରୁ ଅଧିକ କମ୍ ଏବଂ ମଧ୍ୟମ ରେଞ୍ଜ୍ ଫୋନ୍ ୨୦,୦୦୦ ଟଙ୍କାରୁ କମ୍ ମୂଲ୍ୟରେ ଗଠିତ। ପ୍ରିମିୟମ୍ ଫୋନ୍ ପାଶ୍ଚାତ୍ୟ ଦେଶଗୁଡ଼ିକରେ ଅଧିକ ବିକ୍ରି ହୁଏ, ଯେଉଁଠାରେ ଟେଲିକମ୍ ଅପରେଟରମାନେ ଫୋନ୍ଗୁଡ଼ିକୁ ଦୀର୍ଘକାଳୀନ ଯୋଜନାରେ ବାନ୍ଧିଥାନ୍ତି ଏବଂ ବର୍ଦ୍ଧିତ ମୂଲ୍ୟ ଇଏମ୍ଆଇ ମାଧ୍ୟମରେ ବାଣ୍ଟିଦିଆଯାଏ। ଏହାଛଡା ପ୍ରିମିୟମ୍ ଫୋନ୍ ଉପରେ କମ୍ପାନୀଗୁଡ଼ିକର ଭଲ ମାର୍ଜିନ୍ ଥାଏ, ଯାହା ସେମାନଙ୍କୁ ଅତିରିକ୍ତ ଖର୍ଚ୍ଚକୁ ଭରଣା କରିବାକୁ ଅନୁମତି ଦିଏ। ହେଲେ ବଜେଟ୍ ଫୋନ୍ଗୁଡ଼ିକରେ ମାର୍ଜିନ୍ ନଗଣ୍ୟ ଥାଏ, ତେଣୁ କମ୍ପାନୀଗୁଡ଼ିକ ଉତ୍ପାଦନ ଖର୍ଚ୍ଚର ସମ୍ପୂର୍ଣ୍ଣ ବୋଝ ସିଧାସଳଖ ଭାରତୀୟ ଗ୍ରାହକଙ୍କ ଉପରେ ଲଦି ଦେଉଛନ୍ତି। ଏହି ମୂଲ୍ୟବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି ସ୍ମାର୍ଟଫୋନ୍ ମେମୋରୀର ବୃଦ୍ଧି ପାଉଥିବା ମୂଲ୍ୟ। ୨୦୨୫ ସେପ୍ଟେମ୍ବର ଠାରୁ ଡିରାମ୍ ଏବଂ ନାଣ୍ଡ୍ ଚିପ୍ସର ମୂଲ୍ୟ ପ୍ରାୟ ଚାରିଗୁଣ ବୃଦ୍ଧି ପାଇଛି। ବିଶ୍ୱବ୍ୟାପୀ କୃତ୍ରିମ ବୁଦ୍ଧିମତ୍ତା ଭିତ୍ତିଭୂମିର ବିପୁଳ ଚାହିଦା ଯୋଗୁଁ ସେମିକଣ୍ଡକ୍ଟର ନିର୍ମାତାମାନେ ଏଆଇ ସର୍ଭର ପାଇଁ ସେମାନଙ୍କର ଉତ୍ପାଦନ କ୍ଷମତାକୁ ଉଚ୍ଚ-ବ୍ୟାଣ୍ଡୱିଡଥ୍ ମେମୋରୀକୁ ସ୍ଥାନାନ୍ତର କରୁଛନ୍ତି। ଏହା ସ୍ମାର୍ଟଫୋନ୍ରେ ବ୍ୟବହୃତ ପାରମ୍ପରିକ ମେମୋରୀର ଯୋଗାଣକୁ ହ୍ରାସ କରିଛି। ଏଥଯୋଗୁ ବଜେଟ୍ ଫୋନ୍ରେ ବୃଦ୍ଧି ପାଉଥିବା ଖର୍ଚ୍ଚ ସିଧାସଳଖ କମ୍ପାନୀଗୁଡିକର ବିକ୍ରିକୁ ପ୍ରଭାବିତ କରିଛି। ଜୁନ୍ ତ୍ରୈମାସିକରେ ୧୫ ହଜାର ଟଙ୍କା ରୁ କମ୍ ମୂଲ୍ୟର ସ୍ମାର୍ଟଫୋନ୍ ବିକ୍ରିରେ ୪୫% ହ୍ରାସ ଘଟିଛି। କମ୍ପାନୀଗୁଡ଼ିକ ମୂଲ୍ୟ ନିୟନ୍ତ୍ରଣ କରିବା ପାଇଁ ଅନେକ ଫୋନ୍ର ମେମୋରୀ କନ୍ଫିଗ୍ୟୁରେସନ୍ରେ ହ୍ରାସ କରିଛନ୍ତି। ଏହାବ୍ୟତୀତ, ୨୦୨୬ରେ ଲଞ୍ଚ ହୋଇଥିବା ନୂତନ ମଡେଲ୍ଗୁଡ଼ିକ ଗତ ବର୍ଷ ତୁଳନାରେ ୨୫% ପର୍ଯ୍ୟନ୍ତ ମହଙ୍ଗା। କାଉଣ୍ଟରପଏଣ୍ଟ ରିସର୍ଚ୍ଚର ଭାରତୀୟ ଉପଭୋକ୍ତା ସର୍ଭେ ଅନୁଯାୟୀ, ୪୬% କ୍ରେତା ଫୋନ୍ କିଣିବା ପାଇଁ ସେମାନଙ୍କର ବଜେଟ୍ ବୃଦ୍ଧି କରୁଛନ୍ତି, ଯେତେବେଳେ କି ୨୫% କ୍ରୟ ସ୍ଥଗିତ ରଖିଛନ୍ତି ଏବଂ ୨୯% ପୁନଃନିର୍ମିତ ଫୋନ୍ ଆଡ଼କୁ ମୁହାଁଇଛନ୍ତି।
