ଡାକ୍ତରଙ୍କ ମାନବିକତା ହିଁ ରୋଗୀକୁ ଅଧିକ ସୁସ୍ଥ କରାଇଥାଏ: ସୋଆ ଉପସଭାପତି

ଭୁବନେଶ୍ୱର, ଅକ୍ଟୋବର ୨୩: ଚିକିତ୍ସା ବିଜ୍ଞାନ ରୋଗର ଚିକିତ୍ସା ଶିଖାଇଥାଏ । କିନ୍ତୁ ମାନବିକତା ଓ ସମବେଦନା ହିଁ ରୋଗୀକୁ ଆରୋଗ୍ୟର ଅନୁଭବ ଦେଇଥାଏ ଓ ଅଧିକ ସୁସ୍ଥ କରାଇବାରେ ସହାୟକ ହୋଇଥାଏ । ତେଣୁ ଡାକ୍ତରମାନଙ୍କର ବ୍ୟବହାର ଓ ଧୈର୍ଯ୍ୟ ହିଁ ଚିକିତ୍ସା କ୍ଷେତ୍ରରେ ଅଧିକ ଆବଶ୍ୟକ ବୋଲି ମତ ରଖିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତି ଦାସ ।
ସୋଆ ବିଶ୍ୱବିଦ୍ୟାଳୟ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନସେ୍‌ସ ଆଣ୍ଡ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ କ୍ୟାମ୍ପସ୍‌-୧ର ୨୦୨୬-୨୦୨୭ ବ୍ୟାଚ୍ ପ୍ରଥମ ବର୍ଷର ଏମ୍‌ବିବିଏସ ଛାତ୍ରଛାତ୍ରୀମାନଙ୍କର ନିମନ୍ତେ ଶୁକ୍ରବାର ଆୟୋଜିତ ଶପଥ ଗ୍ରହଣ ଓ ହ୍ୱାଇଟ କୋଟ୍ ସେରିମନୀ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀମତି ଦାସ ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ ଧଳା କୋଟ୍ ଜଣେ ଆଦର୍ଶ ଡାକ୍ତରଙ୍କର ଆବଶ୍ୟକୀୟ ଗୁଣଗୁଡ଼ିକର ପ୍ରତୀକ । ଡାକ୍ତରମାନଙ୍କ କ୍ଷେତ୍ରରେ ଜ୍ଞାନ, ଦକ୍ଷତା, ସଚ୍ଚୋଟତା, ସମବେଦନା ଓ ମାନବିକତାର ଆବଶ୍ୟକତା ଅପରିହାର୍ଯ୍ୟ ବୋଲି ଶ୍ରୀମତି ଦାସ ଏହି ଅବସରରେ କହିଛନ୍ତି ।
ମହର୍ଷି ଚରକ ଶପଥ ଏକ ଔପଚାରିକତା ନୁହେଁ ଏହା ରୋଗୀଙ୍କ ପ୍ରତି, ନିଜ ବୃତି ପ୍ରତି ଓ ନିଜ ବିବେକ ପ୍ରତି ଏକ ପ୍ରତିଶ୍ରୁତି । ଏହି ପ୍ରତିଶ୍ରୁତିକୁ ପ୍ରତ୍ୟେକ ଦିନ ଡାକ୍ତରୀ ଛାତ୍ରଛାତ୍ରୀମାନେ ପାଳନ କରିବା ଉଚିତ୍ ବୋଲି ଶ୍ରୀମତି ଦାସ ଉପଦେଶ ଦେଇଥିଲେ । ଏହି ଧଳା କୋଟ୍‌କୁ ଗର୍ବର ସହ ପରିଧାନ କରିବା ବେଳେ ନମ୍ରତାକୁ ନ ଭୁଲି ଆତ୍ମବିଶ୍ୱାସର ସହ ନିଜ ଦାୟିତ୍ୱ ପ୍ରତି ସର୍ବଦା ସଚେତନ ରୁହନ୍ତୁ ବୋଲି ସୋଆ ଉପସଭାପତି ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ କହିବା ସହ ସୋଆ ପରିବାରକୁ ସ୍ୱାଗତ କରିଥିଲେ ।
କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ -୧ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଛାତ୍ରଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ ।
ଅନୁଷ୍ଠାନର ବିଭିନ୍ନ ବିଭାଗର ମୁଖ୍ୟମାନେ ଛାତ୍ରଛାତ୍ରୀମାନଙ୍କୁ ଧଳା କୋଟ୍ ପ୍ରଦାନ କରିଥିବା ବେଳେ ଡିନ୍ ପ୍ରଫେସର ମିଶ୍ର ମହର୍ଷି ଚରକ ଶପଥ ପାଠ କରାଇଥିଲେ ।
କାର୍ଯ୍ୟକ୍ରମରେ ସୋଆର ଛାତ୍ରମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସଙ୍କ ସମେତ ଆଇଏମଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୧ର ବିଭିନ୍ନ ବିଭାଗୀୟ ମୁଖ୍ୟ ଓ ସୋଆର ବରିଷ୍ଠ କର୍ମକର୍ତା ଉପସ୍ଥିତ ଥିଲେ ।
କାର୍ଯ୍ୟକ୍ରମ ଶେଷରେ ଆନାଟୋମୀ ବିଭାଗର ସିନିୟର ପ୍ରଫେସର (ଡାକ୍ତର) ଶ୍ରୀକାନ୍ତ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ସେହିପରି ଗୁରୁବାର ଦିନ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଓରିଏଂଟେସନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମ ଅବସରରେ ସୋଆର ଉପକୁଳପତି ପ୍ରଫେସର (ଡାକ୍ତର) ନୀତା ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏମ୍‌ବିବିଏସ୍ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ଜଣାଇବା ସହିତ ଚିକିତ୍ସା ଶିକ୍ଷାର ଲକ୍ଷ୍ୟ କେବଳ ଯେ ଜଣେ ଦକ୍ଷ ଡାକ୍ତର ହେବା ନୁହେଁ ବରଂ ଜଣେ ଭଲ ମଣିଷ ଓ ରୋଗୀଙ୍କ ପାଇଁ ଜଣେ ସମ୍ବେଦନାଶୀଳ ହିଲର୍ ହେବା ଜରୁରୀ ବୋଲି ସେ କହିଥିଲେ ।
ଡିନ୍ ପ୍ରଫେସର ମିଶ୍ର କାର୍ଯ୍ୟକ୍ରମରେ ସ୍ୱାଗତ ପ୍ରଦାନ କରିବା ସହିତ ୧୫ ଦିନିଆ ଏହି ଫାଉଣ୍ଡେସନ କୋର୍ସ ମାଧ୍ୟମରେ ନୂତନ ଛାତ୍ରଛାତ୍ରୀମାନେ ଚିକିତ୍ସା ଶିକ୍ଷାର ପରିବେଶ, ଅନୁଷ୍ଠାନର ଶିକ୍ଷା ପ୍ରଣାଳୀ, କ୍ଳିନିକାଲ ଅଭ୍ୟାସ ସହିତ ଭବିଷ୍ୟତର ପେଶାଗତ ଦାୟିତ୍ୱ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଯିବ ବୋଲି କହିଥିଲେ ।
ସୋଆର କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ୍ ପ୍ରଫେସର ମଞ୍ଜୁଳା ଦାସ, ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ କ୍ୟାମ୍ପସ୍‌-୧ ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ଉପଦେଷ୍ଟା ତଥା ବିଭାଗର ପ୍ରଫେସର ପ୍ରଫେସର (ଡାକ୍ତର) ଲଳିତ କୁମାର ମେହେର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନବାଗତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ଶୁଭେଚ୍ଛା ମଧ୍ୟ ଦେଇଥିଲେ ।
କାର୍ଯ୍ୟକ୍ରମ ଶେଷରେ ଫାଉଣ୍ଡେସନ୍ କୋର୍ସ କୋଅର୍ଡିନେଟର ପ୍ରଫେସର (ଡାକ୍ତର) ଶୀତାଂଶୁ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *