‘ଖେଲୋ ଇଣ୍ଡିଆ’ ବିଶ୍ୱବିଦ୍ୟାଳୟ କ୍ରୀଡା ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

କଟକ, ଫେବୃୟାରୀ, ୨୨ – ‘ଖେଲୋ ଇଣ୍ଡିଆ’ ଦେଶର ଯୁବ ବର୍ଗଙ୍କ ପରିଚୟର ନୂଆ ମାଧ୍ୟମ ହୋଇଥିବା ବେଳେ ଏହା ଦେଶରେ କ୍ରୀଡା କ୍ଷେତ୍ରରେ ନୂଆ ଆଶାର ସଂଚାର ଭରିଛି ବୋଲି ଶନିବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଯୋଗେଁ ସର୍ବ ପ୍ରଥମ ‘ଖେଲୋ ଇଣ୍ଡିଆ’ ବିଶ୍ୱବିଦ୍ୟାଳୟ କ୍ରୀଡାର ଉଦଘାଟନ କରିବା ପରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 

 

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଦେଶର ଇତିହାସରେ ପ୍ରଥମ ବିଶ୍ୱବିଦ୍ୟାଳୟ କ୍ରୀଡା ଓଡିଶାରେ ହେଉଛି । ବିଗତ ୬ ବର୍ଷ ଧରି ଦେଶର କ୍ରୀଡା ଜଗତକୁ ସମସ୍ତ ଦିଗରୁ ପ୍ରୋତ୍ସାହନ ଦିଆଯାଉଛି । ଦେଶରେ କ୍ରୀଡା ଭିତିଭୂମିରେ ନିରନ୍ତର ସୁଧାର ଅଣାଯିବା କାରଣରୁ ଖେଳାଳିଙ୍କ ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଛି । ବିଶେଷତଃ ଝିଅମାନେ ଖେଲୋ ଇଣ୍ଡିଆରେ ବିଭିନ୍ନ ସ୍ତରରେ କ୍ରୀଡା କ୍ଷେତ୍ରରେ ଅନେକ ସଫଳତା ଅର୍ଜନ କରୁଛନ୍ତି ।

ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଯୁବକ  ଓ ଯୁବତୀମାନେ ସୁନାମ ଆଣୁଛନ୍ତି । ଖେଲୋ ଇଣ୍ଡିଆ ଅନେକ ସଧାରଣ ଘରର ପିଲାମାନଙ୍କ ଲୁକ୍କାୟିତ ପ୍ରତିଭାକୁ ଖୋଜିବାର ମାଧ୍ୟମ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଅବସରରେ ଓଡିଆ ଧାବିକା ଦୂତୀ ଚାନ୍ଦଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ । 

ଦେଶର ୧୫୯ଟି ବିଶ୍ୱବିଦ୍ୟାଳୟରୁ ୩୩୪୩ ଖେଳାଳି ୧୭ଟି କ୍ରୀଡ଼ାରେ ଭାଗ ନେବେ। ଉଭୟ କଟକ ଓ ଭୁବନେଶ୍ୱରରରେ ଏହି ଖେଳଗୁଡ଼ିକ ଅନୁଷ୍ଠିତ ହେବ। ଆଜି ଉଦଘାଟନୀ ଉତ୍ସବ କଟକର ଜବାହାର ଲାଲ ନେହରୁ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହୋଇଥିଲେ। ଏହା ଭାରତୀୟ କ୍ରୀଡ଼ା ପାଇଁ ଏକ ଐତିହାସିକ ମୁହୂର୍ତ୍ତ ବୋଲି ମୋଦି କହିଛନ୍ତି। ସେ କହିଛନ୍ତି, ଆଜି ଓଡ଼ିଶାରେ ନୂଆ ଇତିହାସ ସୃଷ୍ଟି ହୋଇଛି।

” ଆଜି ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରଣ ରିଜ୍ଜିଜୁ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ।

ପ୍ରାୟ ୪୦୦୦ ଦର୍ଶକ ଷ୍ଟାଡିୟମ ଭିତରେ ଏହି ସମାରୋହର ଆନନ୍ଦ ଉଠାଇଥିବା ବେଳେ ବାହାରେ ମଧ୍ୟ ବହୁସଂଖ୍ୟକ ଦର୍ଶକ ଏଲ୍‌ଇଡି ସ୍କ୍ରିନ୍‌ରେ ଏହାକୁ ଦେଖିଛନ୍ତି। ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସର ଅଦ୍ଭୁତ ସଫଳତା ପରେ ଭାରତ ସରକାର ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲେ। ଓଡ଼ିଶା ସରକାର ଆଗକୁ ଆସି ମାତ୍ର ଏକ ମାସରୁ କମ୍ ସମୟ ମଧ୍ୟରେ ଏଥିପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ। କେଆଇୟୁଜି ଔପଚାରିକ ଭାବେ ଗତକାଲି (ଶୁକ୍ରବାର) ତୀରନ୍ଦାଜ, ଫେନ୍ସିଙ୍ଗ୍‌, ଫୁଟ୍‌ବଲ, ବାସ୍କେଟ୍‌ବଲ ଓ ଭଲିବଲ ଭଳି ପ୍ରତିଯୋଗିତା ସହ ଆରମ୍ଭ ହୋଇଥିଲା।

ଏହି ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଭାଷଣରେ କହିଥିଲେ, “ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ପ୍ରଥମ ସଂସ୍କରଣକୁ ଓଡ଼ିଶାରେ ଭାରତ ସରକାର ଓ କିଟ୍ ୟୁନିଭର୍ସିଟିର ସହଭାଗିତାରେ ଆୟୋଜନ କରି ଆମେ ଖୁବ୍ ଗର୍ବ ଅନୁଭବ କରୁଛୁ। ପ୍ରତିଯୋଗିତାରୁ କିଛି ଖେଳାଳି ମେଡାଲ ଓ ଆଉ କିଛି ଅଭିଜ୍ଞତା ନେଇ ଫେରିବେ । ଓଡ଼ିଶା ସରକାର ଓ ରାଜ୍ୟବାସୀଙ୍କ ତରଫରୁ ମୁଁ ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଉଛି।” ଏହି ଉଦଘାଟନୀ ସମାରୋହରେ ପ୍ରାୟ ୩୯୦ ଛାତ୍ରଛାତ୍ରୀ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରଦର୍ଶନ କରିଥିଲେ। ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କ ଦ୍ୱାରା କୋରିଓଗ୍ରାଫ କରାଯାଇଥିବା ଓଡ଼ିଶୀ ଓ ସମ୍ବଲପୁରୀ ଭଳି ନୃତ୍ୟ କଳା ପ୍ରଦର୍ଶିତ ହୋଇଥିଲା। 

 

Spread the love