ଚାଷୀଙ୍କ ଫସଲ ଉଜାଡୁଛି ବନ୍ୟା
ଯୁଆଡ଼େ ଚାହିଁବ ଖାଲି ପାଣି ହିଁ ପାଣି । କେଉଁଠି ଲୋକେ ଅଣ୍ଟାଏ ପାଣିରେ ବୁଡି ବୁଡି ଯାଉଛନ୍ତି ତ ଆଉ କିଏ ଡଙ୍ଗାରେ ରାସ୍ତା ପାର ହେଉଛି । କାରଣ ରାସ୍ତାରେ ଛୁଟୁଛି ପାଣି ସୁଅ । ବ୍ରାହ୍ମଣୀ ଏବଂ ଖରସ୍ରୋତାରେ ମାଡ଼ି ଆସିଲା ବନ୍ୟାଜଳ । ନଦୀନାଳ ପୁରିଲା । ଆଉ ଏନେଇ ବଢିଲାଣି ଲୋକଙ୍କ ଦୁର୍ଦ୍ଦଶା । ବିଶେଷ କରି ଜିଲ୍ଲାର ବରୀ ଅଞ୍ଚଳ ବନ୍ୟା ଦ୍ଵାରା ପ୍ରଭାବିତ ହୋଇଛି । ରେଙ୍ଗାଲି ଡ୍ୟାମର ୩ଟି ଗେଟ୍ ଖୋଲିବା ଫଳରେ ବ୍ରାହ୍ମଣୀ ଏବଂ ଖରସ୍ରୋତା ନଦୀରେ ବନ୍ୟା । ଖରସ୍ରୋତାର ଶାଖାନଦୀ ଚିଙ୍ଗୁଡିଆ ଏବଂ ଦୁଧେଇ ନାଳ ବନ୍ୟାଜଳରେ ଉବୁଟୁବୁ ।
ଫଳରେ ଯାଜପୁରର ମୁଖ୍ୟତଃ ବରୀ ବ୍ଲକର ୧୦ରୁ ଉର୍ଦ୍ଧ୍ବ ପଞ୍ଚାୟତ ପ୍ରଭାବିତ ହୋଇଛି । ଯାହାଦ୍ୱାରା ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଛି । ଶହ ଶହ ହେକ୍ଟର ଚାଷଜମି ବୁଡି ରହିବା ଫଳରେ ବ୍ୟାପକ ଧାନ ଓ ପନିପରିବା ଚାଷ ମଧ୍ୟ ପ୍ରଭାବିତ । ଯେଉଁଥିପାଇଁ ଚାଷୀମାନେ ଏବେ ଦୁଃଖ ଦୁର୍ଦ୍ଦଶା ଦେଇ ଗତି କରୁଛନ୍ତି । କ୍ଷତିପୂରଣ ଦାବି କରିବା ସହ ଗୋରୁଗାଈଙ୍କ ପାଇଁ ଖାଦ୍ୟ ଯୋଗାଇଦେବାକୁ ଆପତ୍ତି ଜଣାଇଛନ୍ତି । ବରୀ ବ୍ଲକରେ ବନ୍ୟା ଫଳରେ ବ୍ୟାପକ ଫସଲ ହାନୀ ହୋଇଛି ।
ବ୍ଲକର ବିଭିନ୍ନ ଅଞ୍ଚଳରେ ଚାଷଜମିରେ ବନ୍ୟାଜଳ ମାଡିଯାଇ ଫସଲ ସମ୍ପୂର୍ଣ୍ଣ ଉଜୁଡ଼ି ଯିବାର ସମ୍ଭାବନା ଦେଖାଦେଇଛି । ଯାହାକୁ ନେଇ ଚିନ୍ତାରେ ଚାଷୀ । ବିପନ୍ନ ଅଞ୍ଚଳର ଲୋକେ ଏବେ କେବଳ ସରକାରୀ ସହାୟତାକୁ ଚାହିଁ ବସିଛନ୍ତି । ସେପଟେ ବନ୍ୟାଞ୍ଚଳ ଚାଷୀଙ୍କ କ୍ଷୟକ୍ଷତିକୁ ନେଇ ପଚାରିବାରୁ ସ୍ଥାନୀୟ ବିଡ଼ିଓ କହିଲେ ପାଣି ଛାଡ଼ିବା ପରେ କ୍ଷୟକ୍ଷତି ଆକଳନ କରି ପଦକ୍ଷେପ ନିଆଯିବ । ସେପଟେ ବନ୍ୟା ସହିତ ଲାଗି ରହିଛି ବର୍ଷା । ତେବେ ସପ୍ତାହେରୁ ବେଶୀ ଚାଷଜମି ବନ୍ୟାଜଳରେ ବୁଡ଼ିରହିଲେ ଚାଷଙ୍କ ସମ୍ପୂର୍ଣ୍ଣ ଉଜୁଡ଼ି ଯିବାର ସମ୍ଭାବନା ରହିଛି । ଯାହା ଅଞ୍ଚଳବାସୀଙ୍କ ଚିନ୍ତା ବଢ଼ାଇଦେଇଛି ।
