ଚାଷ ଜମିରେ ୩ ଫୁଟ ଉଚ୍ଚାର ବନ୍ୟା ପାଣି, ହତାଶ ଚାଷୀ
ଚାନ୍ଦବାଲି: ଯୁଆଡେ ଅନାଇବେ ଖାଲି ପାଣି ଆଉ ପାଣି । କେଉଁଠି ଆଣ୍ଠୁଏ ଆଣ୍ଠୁଏ ତ ପୁଣି କେଉଁଠି ଅଣ୍ଟାଏ ଲେଖାଏ ଜମି ରହିଛି ପାଣି । ଏ ହେଉଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଆରଡ଼ି, ନାନ୍ଦପୁର, ସୁନ୍ଦରପୁର ଏବଂ ଓଲଗ ପଞ୍ଚାୟତର ଚାଷ ଜମିର ଦୃଶ୍ୟ । ବୈତରଣୀରେ କମିଛି ବନ୍ୟା ପାଣି । ହେଲେ ହଜାର ହଜାର ହେକ୍ଟର ଚାଷ ଜମିରେ ତିନି ଦିନ ହେଲାଣି ଜମି ରହିଛି ୩ ଫୁଟ ଉଚ୍ଚାର ପାଣି ।
ଫଳରେ ଚାଷୀର ଚାଷ ନଷ୍ଟ ହେବାକୁ ବସିଛି । ତଳିଆ ଅଞ୍ଚଳ ଭାବେ ପରିଚିତ ଆରଡ଼ି, ନାନ୍ଦପୁର, ସୁନ୍ଦରପୁର ଓ ଓଲଗ ପଞ୍ଚାୟତର ଚାଷୀ ଚାଷ କାମ ଆରମ୍ଭ କଲାବେଳେ ଲଘୁଚାପ ଜନିତ ଲଗାଣ ବର୍ଷା ବାଧା ସୃଷ୍ଟି କରିଥିଲା । ଧାର କରଜ କରି ବିଲରେ ତଳି ପକାଇବା ସହ ବିହନ ବୁଣିଥିଲେ ଚାଷୀମାନେ । ସେହିଭଳି ଅନ୍ୟ କିଛି ଚାଷୀ ରୁଆ କାମ ମଧ୍ୟ ଆରମ୍ଭ କରିସାରିଥିଲେ ।
କିନ୍ତୁ ଏବେ ଚାଷ ଜମିରେ ଜମି ରହିଛି ୩ ଫୁଟର ବନ୍ୟା ପାଣି । ଯାହାଦ୍ୱାରା ଚାଷୀର ତଳି ଏବଂ ରୁଆ ଓ ବୁଣା ମଧ୍ୟ ନଷ୍ଟ ହେଉଛି ବୋଲି ପ୍ରକାଶ କରିଛନ୍ତି ଚାଷୀ । ଅନ୍ୟପଟେ ଜିଲ୍ଲାପାଳ କହିଛନ୍ତି ଏବେ ବନ୍ୟା ପାଣି କମିଛି ଏନେଇ ଖୁବ ଶୀଘ୍ର ତଦନ୍ତ କରାଯିବ । ତୁରନ୍ତ କୃଷି ବିଭାଗ ବନ୍ୟାଞ୍ଚଳ ଗ୍ରସ୍ତ କରି ସଠିକ ତଦନ୍ତ କରି ରିପୋର୍ଟ ପ୍ରଦାନ କରି ଚାଷୀଙ୍କୁ କ୍ଷତିପୂରଣ ଦେବା ପାଇଁ ଚାଷୀମାନେ ଦାବି କରିଛନ୍ତି ।
