ଧର୍ମଶାଳା ବିଧାୟକ ନାଁରେ ଅସଦାଚରଣ ଅଭିଯୋଗ ଆଣି ଥାନାକୁ ଗଲେ ସିକନ୍ଦର ଅଲ୍ଲିଙ୍କ ପତ୍ନୀ, ବିଧାୟକଙ୍କ ଖଣ୍ଡନ
ଯାଜପୁର : ବିଧାୟକଙ୍କ ବିରୋଧରେ ସିକନ୍ଦରଙ୍କ ପତ୍ନୀଙ୍କ ଅଭିଯୋଗ । ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁଙ୍କ ନାଁରେ ସଙ୍ଗୀନ ଅଭିଯୋଗ। ଅଭିଯୋଗ ଆଣିଛନ୍ତି କଟକ ଜିଲ୍ଲା ବିଜେପି ସଂଖ୍ୟା ଲଘୁ ସେଲର ସଭାପତି ସିକନ୍ଦର ଅଲ୍ଲିଙ୍କ ପତ୍ନୀ । ୧୮ ଜୁଲାଇ ୨୦୨୫ରେ ତାଙ୍କ ସ୍ବାମୀ ସିକନ୍ଦର ଧର୍ମଶାଳା ତହସିଲ ଅଧୀନ ରାହାଡ଼ପୁରରେ ଖଣି କାମ କରିବାକୁ ଆସିଥିବାବେଳେ ତାଙ୍କୁ ଅସଦାଚରଣ କରାଯାଇଥିଲା । ସ୍ଥାନୀୟ ଲୋକେ ତାଙ୍କୁ ଓ ତାଙ୍କ ସହ ଯାଇଥିବା ଲୋକଙ୍କୁ ଦୀର୍ଘ ସମୟ ଧରି ଅଟକ ରଖି ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ।
ଏପରିକି ତାଙ୍କର ଦୁଇଟି ମୋବାଇଲ ଫୋନକୁ ଛଡାଇ ନେଇଥିଲେ। ପରେ ଜେନାପୁର ପୋଲିସ ଖବର ପାଇ ସେମାନଙ୍କୁ ଉଦ୍ଧାର କରି ଧର୍ମଶାଳା ଡାକ୍ତରଖାନାକୁ ଆଣିଥିଲା । ଏହାକୁ ନେଇ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ । ବିଧାୟକଙ୍କ ନାଁରେ ଅସଦାଚରଣ, ଧମକ ଚମକ ଦେବା,ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ କରିଛନ୍ତି । ଘଟଣା ଦିନ ସେ ବିଧାୟକଙ୍କୁ ଦେଖା କରିଥିବାବେଳେ ହିମାଂଶୁ ଶେଖର ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି ।
ସେପଟେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଧର୍ମଶାଳା ବିଧାୟକ । ସେ ତାଙ୍କୁ ଜାଣିନାହାନ୍ତି କି ଏଘଟଣାରେ ତାଙ୍କର କିମ୍ବା ତାଙ୍କ ସମର୍ଥକଙ୍କ କୌଣସି ସମ୍ପର୍କ ନଥିବା କହିଛନ୍ତି ।
