ମେ ରେ ବାହାଘର ଅଗଷ୍ଟରେ ଗ୍ରାଣ୍ଡ ରିସେପସନ୍ ଦେଲେ ପିନାକୀ-ମହୁଆ, ଯୋଗ ଦେଲେ ବହୁ ବିଶିଷ୍ଟ ନେତା

ଜର୍ମାନୀରେ ପିନାକୀ ମିଶ୍ର ଓ ମହୁଆ ମୋଇତ୍ରାଙ୍କ ବାହାଘରକୁ ନେଇ ନିକଟରେ ବହୁ ଚର୍ଚ୍ଚା ଚାଲିଥିଲା । ଏବେ ଗତକାଲି ରାତିରେ ଦିଲ୍ଲୀର ଏକ ତାରକା ହୋଟେଲରେ ତାଙ୍କର ଗ୍ରାଣ୍ଡ ରିସେପସନ୍ ପାର୍ଟି ସରିଛି । ଏହି ଭୋଜିରେ ଅନେକ ବରିଷ୍ଠ ନେତା/ନେତ୍ରୀ ଯୋଗ ଦେଇଥିଲେ । ବିଶେଷ କରି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀ, ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ, ତାଙ୍କ ପତ୍ନୀ ଡିମ୍ପଲ ଯାଦବ ପ୍ରମୁଖ ଯୋଗ ଦେଇଥିଲେ । ସେହିପରି ମହୁଆଙ୍କ ସହକର୍ମୀ ଭାବେ ସାଂସଦ ତଥା ଅଭିନେତ୍ରୀ ରଚନା ବାନାର୍ଜୀ, ବିଜେଡିର ସୁଲତା ଦେଓ, ସୁପ୍ରିୟା ସୁଲେ, ମୁନ୍ନା ଖାଁ ,କେନ୍ଦ୍ର ମନ୍ତ୍ରୀ ଅନୁପ୍ରିୟା ପଟେଲ ପ୍ରମୁଖ ଯୋଗ ଦେଇଥିଲେ । ୬୫ ବର୍ଷୀୟ ପିନାକୀ ମିଶ୍ରଙ୍କ ଏହା ଦ୍ବିତୀୟ ବିବାହ ଥିଲା । ପୂର୍ବରୁ ସେ ସଙ୍ଗୀତା ମିଶ୍ରଙ୍କୁ ବିବାହ କରିଥିଲେ । ତାଙ୍କର ଜଣେ ପୁଅ ଓ ଝିଅ ଅଛନ୍ତି। ପିନାକୀ ତାଙ୍କର ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିଲେ ।

ସୂଚନା ଅନୁସାରେ ଦୁହେଁ ଜର୍ମାନୀରେ ୩୦ ମଇରେ ବାହା ହୋଇଥିଲେ । ମହୁଆ ପିନାକୀ ମିଶ୍ରଙ୍କ ହାତ ଧରି ଚାଲୁଥିବା ଫଟୋ ଭାଇରାଲ ହୋଇଥିଲା। ମହୁଆ ମୋଇତ୍ରା ନିଜର ଦ୍ୱିତୀୟ ଥର ପାଇଁ ସାଂସଦ ଭାବରେ କାର୍ଯ୍ୟ କରୁଛନ୍ତି । ସେ ୨୦୧୯ ଲୋକସଭା ନିର୍ବାଚନରେ ​​ପଶ୍ଚିମବଙ୍ଗର କୃଷ୍ଣ ନଗର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ।

ପିନାକୀ ମିଶ୍ର ୨୩ ଅକ୍ଟୋବର ୧୯୫୯ରେ ଓଡ଼ିଶାର ପୁରୀରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ବିଶିଷ୍ଟ ରାଜନେତା ଏବଂ ବରିଷ୍ଠ ଓକିଲ। ୧୯୯୬ ମସିହାରେ ପୁରୀ ଲୋକସଭା ଆସନରୁ ବିଜୟୀ ହୋଇ କଂଗ୍ରେସ ସହିତ ତାଙ୍କର ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ ଶ୍ରୀ ମିଶ୍ର । ପରେ ସେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ । ୨୦୦୯, ୨୦୧୪ ଏବଂ ୨୦୧୯ରେ ସାଂସଦ ନିର୍ବାଚିତ ହୋଇଥିଲେ ।

Spread the love