ମେଡିକାଲ ବେଡ୍ରୁ ନବୀନଙ୍କ ଭିଡିଓ ବାର୍ତ୍ତା; ସୁସ୍ଥ ଥିବା ନେଇ ରଖିଲେ ପ୍ରତିକ୍ରିୟା
ଭୁବନେଶ୍ବର: ମୁଁ ସୁସ୍ଥ ଅଛି…। ମେଡିକାଲ ଶର୍ଯାରୁ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହା କହିଛନ୍ତି। ସେ ସୁସ୍ଥ ଥିବା ନେଇ ଏକ ଭିଡିଓ ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି। ନବୀନଙ୍କ ଏହି ବାର୍ତ୍ତା ଗଣମାଧ୍ୟମରେ ପ୍ରକାଶ ପାଇଲା ପରେ ତାଙ୍କର ସମର୍ଥକ ଓ ପ୍ରଶଂସକଙ୍କ ନିକଟରେ ଖୁସିର ମହଲ ଦେଖାଯାଇଛି। ନବୀନ ପଟ୍ଟନାୟକ ଆସନ୍ତାକାଲି (ସୋମବାର) ଡାକ୍ତରଖାନାରୁ ଡିସଚାର୍ଜ ହୋଇପାରନ୍ତି। ସୂଚନାଯୋଗ୍ୟ, ନବୀନ ପଟ୍ଟନାୟକ ପୁଣି ଥରେ ଅସୁସ୍ଥ ହୋଇଥିଲେ। ତାଙ୍କୁ ଭୁବନେଶ୍ବରର ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଆଜି ସନ୍ଧ୍ୟା ୫ଟା ୧୫ରେ ଭର୍ତ୍ତି କରାଯାଇଥିଲା। ନବୀନ ପଟ୍ଟନାୟକଙ୍କର ଚିକିତ୍ସା ଡାକ୍ତର ଆଲୋକ ପାଣିଗ୍ରାହୀ କରୁଛନ୍ତି। ତାଙ୍କୁ ଡିହାଇଡ୍ରେସନ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି ବୋଲି ମେଡିକାଲ କର୍ତ୍ତୃପକ୍ଷଙ୍କ ତରଫରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ ପାଇଁ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ହସ୍ପିଟାଲ କର୍ତ୍ତୃପକ୍ଷ ପକ୍ଷରୁ ଜାରି ମେଡିକାଲ ବୁଲେଟିନକୁ ଅପେକ୍ଷା କରାଯାଇଛି। ଏହା ଅନୁଯାୟୀ ବର୍ତ୍ତମାନ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ବୋଲି ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡା ଗଣମାଧ୍ୟମକୁ କହିଛନ୍ତି। ସେହିପରି ଜଟଣୀ ବିଧାୟକ ବିଭୂତି ବଳବନ୍ତରାୟ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଅଛି। ସେ ଆଇସିୟୁ ରେ ଅଛନ୍ତି। ସେଥିପାଇଁ ତାଙ୍କ ସହ ଦେଖା କରିପାରିଲି ନାହିଁ। ହେଲେ ତାଙ୍କ ଡାକ୍ତରଙ୍କ ସହ ଆଲୋଚନା କରିଛି। ହୁଏତ ଆଜି ତାଙ୍କୁ ଡିଶ୍ଚାର୍ଜ କରାଯାଇପାରେ। ନଚେତ୍ କାଲି ସକାଳେ ସେ ହସ୍ପିଟାଲରୁ ଡିସଚାର୍ଜ ହେବେ। ପ୍ରଭୁ ଜଗନ୍ନାଥ ତାଙ୍କୁ ଆରୋଗ୍ୟ ପ୍ରଦାନ କରନ୍ତୁ।
