କିଟ୍‍ ଓ କିସ୍‍ ପରିଦର୍ଶନ କଲେ ଭୁଟାନର ୩୧ ଜଣିଆ ବୌଦ୍ଧ ଶିକ୍ଷକ ପ୍ରତିନିଧିମଣ୍ଡଳ

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପରିଦର୍ଶନ କଲେ ଭୁଟାନର ୩୧ ଜଣିଆ ବୌଦ୍ଧ ଶିକ୍ଷକ ପ୍ରତିନିଧିମଣ୍ଡଳ ।  କିଟ୍‍ ରେ ୫ ଦିନିଆ ଭାବ ବିନିମୟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଭୁଟାନ ସରକାର କିଟ୍‍କୁ ପଠାଇଥିବା ୩୧ ଜଣିଆ ବୌଦ୍ଧ ଶିକ୍ଷକ ପ୍ରତିନିଧିମଣ୍ଡଳ ଆଜି ସକାଳେ କିଟ୍‍ ଓ କିସ୍‍ ପରିଦର୍ଶନ କରିଥିଲେ ।  ପରେ ସେମାନେ ଏକ ଆଧ୍ୟାତ୍ମିକ ଶିକ୍ଷଣ ଅଧିବେଶନରେ ଯୋଗ ଦେଇଥିଲେ।

ଏହି ଅଧିବେଶନରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସେମାନଙ୍କୁ ଶିକ୍ଷା ଓ ସଂସ୍କାର, କର୍ମ ଓ ପ୍ରାରବ୍ଧ ଏବଂ ଆର୍ଟ ଅଫ୍‍ ଗିଭିଂ ଭଳି ୩ଟି ବିଷୟରେ ବୁଝାଇଥିଲେ।  ବର୍ତ୍ତମାନ ସମୟରେ ଶିକ୍ଷା ସହ ସଂସ୍କାର ଏକାନ୍ତ ଅପରିହାର୍ଯ୍ୟ ବୋଲି କହିଥିଲେ ଡ. ସାମନ୍ତ । ବର୍ତ୍ତମାନ ସମାଜରେ ଜଣେ କେବଳ ଉଚ୍ଚ ଶିକ୍ଷା ପାଇଗଲେ ସେ ସଫଳ ମଣିଷ ହୋଇପାରିବ ନାହିଁ ।  ଜଣେ ସଫଳ ମଣିଷ ହେବାକୁ ହେଲେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହ ସଂସ୍କାର ଜ୍ଞାନ ହାସଲ କରିବାକୁ ହେବ ।

ମଣିଷ ଯାହା କରେ ତାର ଫଳ ଅବଶ୍ୟ ତାକୁ ପ୍ରାପ୍ତ ହୋଇଥାଏ। ଗୀତା, ରାମାୟଣ ଓ ମହାଭାରତ ଆଖ୍ୟାନ ଜରିଆରେ ଡ ସାମନ୍ତ ବୁଝାଇ କହିଲେ ।  ଅନ୍ୟକୁ ଦୁଃଖ ଦେଇ ନିଜେ ସୁଖ ପାଇବା କ୍ଷଣିକ, ମାତ୍ର ଏହାର ପରିଣାମ ପରବର୍ତ୍ତୀ ସମୟରେ ନିଶ୍ଚିତ ଭାବେ ପ୍ରାପ୍ତ ହୋଇଥାଏ ।  ଡ. ସାମନ୍ତ କହିଲେ ଆର୍ଟ ଅଫ୍‍ ଗିଭିଂ ହେଉଛି ଏକ ଜୀବନ ଦର୍ଶନ। ଦେବାରେ ଆନନ୍ଦ ଥାଏ ।   ତେଣୁ କୌଣସି ଉପାୟରେ ଅନ୍ୟକୁ ସାହାଯ୍ୟ କରିପାରିଲେ ଜୀବନ ସୁଖମୟ ହୋଇଥାଏ ବୋଲି ସେ କହିଥିଲେ ।

ସୂଚନାଯୋଗ୍ୟ,  ଭୁଟାନର ବିଭିନ୍ନ ବିଦ୍ୟାଳୟରୁ ୩୦ ଜଣ ବୌଦ୍ଧ ଶିକ୍ଷକ, ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରାଳୟର ଜଣେ ସଂଯୋଜକଙ୍କୁ ନେଇ ଗଠିତ ପ୍ରତିନିଧିମଣ୍ଡଳୀକୁ ଭାବ ବିନିମୟ କାର୍ଯ୍ୟକ୍ରମ ପାଇଁ ଭୁଟାନ ସରକାର କିଟ୍‍କୁ ପଠାଇଛନ୍ତି। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀମାନେ ଆଧ୍ୟତ୍ମିକତା, ଆର୍ଟ ଅଫ୍‍ ଗିଭିଂ, କରୁଣା ଏବଂ ମୂଲ୍ୟ-ଭିତ୍ତିକ ଶିକ୍ଷା ବିଷୟରେ ଜାଣିବା ସହ ଶିକ୍ଷାରେ ସଚେତନତା, କିଶୋର ଭାବପ୍ରବଣତା, ସାମାଜିକ ବିକାଶ, ବ୍ୟକ୍ତିଗତ ଏବଂ ସାମୂହିକ କଲ୍ୟାଣ ପାଇଁ ସାମଗ୍ରିକ ଦୃଷ୍ଟିକୋଣ ଭଳି ବିଷୟବସ୍ତୁ ଉପରେ ଜ୍ଞାନ ଆହରଣ କରିବେ।

ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବୌଦ୍ଧ ଶିକ୍ଷକମାନେ ପାରମ୍ପରିକ ଜ୍ଞାନକୁ ସମସାମୟିକ ଶିକ୍ଷାଗତ ଅଭ୍ୟାସ ସହିତ ମିଶ୍ରଣ କରିବା ଦିଗରେ ସେମାନଙ୍କର ଦକ୍ଷତାକୁ ମଜବୁତ କରିବେ। ଏହା ସହ ଭୁଟାନର ଭବିଷ୍ୟତ ପିଢ଼ି ପାଇଁ ମୂଲ୍ୟ-ଭିତ୍ତିକ, କରୁଣାପୂର୍ଣ୍ଣ ଏବଂ ସାମଗ୍ରିକ ଶିକ୍ଷା ପରିବେଶକୁ ପରିପୁଷ୍ଟ କରିବା ପାଇଁ ଏହି ଶିକ୍ଷକମାନେ ପ୍ରତିବଦ୍ଧ ହେବେ ବୋଲି ସେମାନେ ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମ ପାଇଁ ଭୁଟାନ କିଟ୍‍ ଓ କିସ୍‍କୁ ସେମାନଙ୍କର ଅଂଶୀଦାର ଭାବରେ ଗ୍ରହଣ କରିଛି। ଏହା ମୂଲ୍ୟ-ଭିତ୍ତିକ ଶିକ୍ଷା, ମାନବିକ ସେବା, ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଜ୍ଞାନ ସହିତ ଆଧୁନିକ ଶିକ୍ଷାବିଜ୍ଞାନକୁ ମିଶ୍ରଣ କରିବା ଦିଗରେ ଏକ ପ୍ରୟାସ। କିଟ୍‍ ରେ ସେମାନଙ୍କୁ ଏଭଳି ଆଧ୍ୟାତ୍ମିକ ଜ୍ଞାନ ଆହରଣ ସହ ଅଚ୍ୟୁତ ସାମନ୍ତଙ୍କ ସହ ଭାବ ବିନିମୟ କରି ବେଶ ସନ୍ତୋଷ ବ୍ୟକ୍ତ କରିଥିଲେ ।

Spread the love