୧୨୬ ଟଙ୍କାରୁ ଆରମ୍ଭ ଦେବଗଡ଼ ଗଣେଶ ପୂଜା, ଚଳିତ ବର୍ଷର ବଜେଟ୍ ୫୫ଲକ୍ଷ
ବିଦ୍ୟାଦାତା ଭଗବାନ ଗଣେଶଙ୍କ ପୂଜାର୍ଚ୍ଚନା ପାଇଁ ଚାରିଆଡ଼େ ପ୍ରସ୍ତୁତି ଜୋରଧରିଛି। ଗାଁରୁ ସହର ଓ ମହାନଗରରେ ଏକ ପ୍ରକାରର ଅଘୋଷିତ ପ୍ରତିଯୋଗିତ ଚାଲିଛି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ରାଜ୍ୟରେ ଗଣେଶ ପୂଜାର କଳେବର ବଢ଼ିଛି। ଦିନକୁ ଦିନ ପ୍ରତ୍ୟେକ ସ୍ଥାନରେ ଗଣେଶ ପୂଜା ମଣ୍ଡପ ସଂଖ୍ୟା ବଢ଼ିବାରେ ଲାଗିଛି। ମହାରାଷ୍ଟ୍ର ଭଳି ଓଡ଼ିଶାରେ ମଧ୍ୟ ଲୋକେ ଘରେଘରେ ଗଣେଶ ପୂଜାର ଆୟୋଜନ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। କିଛି ସହରରେ ଭବ୍ୟ ଗଣେଶ ପୂଜାର ଆୟୋଜନ କରାଯାଉଛି। ଏହି କ୍ରମରେ ଦେବଗଡ଼ ଗଣେଶ ପୂଜା ବିରଳ ରେକର୍ଡ କରିଛି। ବରିଷ୍ଠ ଲୋକଙ୍କ କହିବା ଅନୁସାରେ ଦେବଗଡ଼ରେ ୧୯୪୯ ମସିହାରୁ ସାର୍ବଜନୀନ ଗଣେଶ ପୂଜା ଆରମ୍ଭ ହୋଇଛି। ୧୨୬ଟଙ୍କା ଚାରି ଅଣା ଟଙ୍କାରେ ଏଠାରେ ଗଣେଶ ପୂଜା ଆରମ୍ଭ ହୋଇଥିଲା। ଏବେ ଏହି ପୂଜା ବ୍ୟୟ ବହୁଳ ହୋଇଛି। ଚଳିତ ବର୍ଷ ଦେବଗଡ଼ ଗଣେଶ ପୂଜାରରେ ୫୫ ଲକ୍ଷ ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି। ଦେବଗଡ଼ ଗଣେଶ ପୂଜା ଏକତାର ବାର୍ତ୍ତା ଆଣିଥାଏ। କାରଣ ଅନ୍ୟ ସହରେ ଏକାଧିକ ସ୍ଥାନରେ ବିଭିନ୍ନ ଗୋଷ୍ଠୀ ଦ୍ବାରା ଗଣେଶ ପୂଜା କରାଯାଉଥିବା ବେଳେ ଦେବଗଡ଼ରେ ଏହାର ବ୍ୟତିକ୍ରମ ଦେଖାଯାଇଥାଏ। କାଁଭାଁ ଗଳିକନ୍ଦିରେ ଛୋଟ ଆକାରରେ ଗଣେଶ ପୂଜା ହୋଇଥାଏ। କିନ୍ତୁ ସହରର ସାର୍ବଜନୀନ ଗଣେଶ ପୂଜାକୁ ସମର୍ଥନ ରହିଥାଏ। ଏହି ପୂଜା ପାଇଁ ସହରବାସୀ ଆର୍ଥିକ ସହଯୋଗ ଦେଇଥାନ୍ତି
ସହରବାସୀଙ୍କ ମିଳିତ ଉଦ୍ୟମ
ମନୋରଂଜନ ପାଇଁ ନାଟକ, ପାଲା ଓ ଦଶକାଠିଆ ପ୍ରଭୃତି ସମୟ ସମୟରେ ଅନୁଷ୍ଠିତ ହେଉଥିଲା। ଅନ୍ୟ ସହର ପରି କେବଳ ଦୁର୍ଗା ପୂଜା ବା ଦଶହରା ଉତ୍ସବ ରାଜାଙ୍କର ତତ୍ତ୍ୱାବଧାନରେ ପ୍ରତିବର୍ଷ ପାଳିତ ହେବା ସଂଗେ ସଂଗେ ବିରାଟ ଆକାରରେ କୌଣସି ଉତ୍ସବ ଜନତାଙ୍କର ତତ୍ତ୍ୱାବଧାନରେ ଅନୁଷ୍ଠିତ ହେବାର ସୁଯୋଗ ନଥିଲା। ଭାରତ ସ୍ୱାଧୀନତା ପରେ ରାଜାମାନଙ୍କର କ୍ଷମତା ଅଧିକ ସଂଙ୍କୁଚିତ ହେବାରୁ ଜନସାଧାରଣଙ୍କ ମିଳିତ ଉଦ୍ୟମରେ ସହରବ୍ୟାପି ଗୋଟିଏ ସାର୍ବଜନୀନ ଉତ୍ସବ ଆରମ୍ଭ କରିବାର ଆବଶ୍ୟକତା ଅନୁୁଭୂତ ହେଲା। ଏହି ଆବଶ୍ୟକତାଠାରୁ ଆରମ୍ଭ ହେଲା ଗଣେଶ ପୂଜନୋତ୍ସବ। ଦେବଗଡ଼ ସହରର କେତେକ ବଣିକ ତଥା ବ୍ୟବସାୟୀ ନିଜର ଦୂରଦୃଷ୍ଟି ତଥା ମନୋରଂଜନ ନିମିତ୍ତ ଗୋଟିଏ ସାର୍ବଜନୀନ ଗଣେଶ ପୂଜା ସହରର ମଧ୍ୟସ୍ଥଳରେ ଆରମ୍ଭ କରିବା ପାଇଁ ନିଜ ନିଜ ମଧ୍ୟରେ ଆଲୋଚନା କରିଥିଲେ। ଏହି ଆଲୋଚନା ମାଧ୍ୟମରେ ଭବିଷ୍ୟତର ସୁବିଧା ଦୃଷ୍ଟିରୁ ପ୍ରସ୍ତାବ ମନୋନୀତ ହେବାପରେ ପ୍ରଥମେ ନିଜ ମଧ୍ୟରେ ବିଭିନ୍ନ ବିଭାଗର କାର୍ଯ୍ୟ ସଂପାଦନା ପାଇଁ ଦାୟିତ୍ୱ ଗ୍ରହଣ ପୂର୍ବକ ଶ୍ରମଦାନ କରି କିଛି ଚାନ୍ଦା ସଂଗ୍ରହ କରିବାକୁ ସମର୍ଥ ଦେଲେ।
୧୦ଦିବସୀୟ ଗଣେଶ ପୂଜା
ଦେବଗଡ଼ରେ ୧୦ଦିବସୀୟ ଗଣେଶ ପୂଜାର ଆୟୋଜନ ହୋଇଥାଏ। ଚଳିତ ବର୍ଷ ଆସନ୍ତା ୨୬ ତାରିଖରୁ କଳସ ଯାତ୍ରାରୁ ଏହା ଆରମ୍ଭ। ସେପ୍ଟେମ୍ବର ୫ ତାରିଖ ଦିନ ବିସର୍ଜନ କାର୍ଯ୍ୟକ୍ରମ ରହିଛି। ଦେବଗଡର ଗଣେଶ ପୂଜା ଚଳିତ ବର୍ଷ ୭୭ ବର୍ଷରେ ପଂହଚିଛି। ଚଳିତ ବର୍ଷ ଆୟୋଜକ ଜିଲ୍ଲାବ୍ୟବସାୟୀ ସଂଘ ପକ୍ଷରୁ ପ୍ରସ୍ତୁତି ଜୋରଦାର ଆରମ୍ଭ କରାଯାଇଛି। ୨୭ ତାରିଖ ଦିନ ସକାଳେ ସହରର ମଧ୍ୟରେ ପୁଜା ହେଉଥିବା ଗଣେଶ ମଣ୍ଡପରେ ଗଣେଶ ପୂଜା ଅନୁଷ୍ଠିତ ହେବ। ପ୍ରତ୍ୟହ ସଂଧ୍ୟାରେ ମେଲୋଡି ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ପ୍ରଧାନପାଟସ୍ଥିତ ବଡବଗିଚାରେ ୨୬ରୁ ୨୯ ତାରିଖ ପର୍ଯ୍ୟନ୍ତ ସିଂହବାହିନୀ ଓ ୩୧ ତାରିଖରୁ ସେପ୍ଟେମ୍ବର ୩ ତାରିଖ ପର୍ଯ୍ୟନ୍ତ ରଙ୍ଗମହଲ ଟିକେଟ ସୋ ଅପେରା ଅନୁଷ୍ଠିତ ହେବ।
୭୭କିଲୋର ଲଡୁ
ଏହାସହିତ ଶ୍ରଦ୍ଧାଳୁମାନଙ୍କ ପାଇଁ ୨୭ରୁ ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ଅନ୍ନଭୋଗର ବ୍ୟବସ୍ଥା କରାଯାଇଛି। ପ୍ରଥମ ଥର ପାଇଁ ପ୍ରତ୍ୟେକ ଦିନ ପୂଜା ମଣ୍ଡପ ସମ୍ମୁଖରେ ବିଭିନ୍ନ ସଂକୀର୍ତ୍ତନମଣ୍ଡଳୀ ଦ୍ବାରା ସଂକୀର୍ତ୍ତନ କାର୍ଯ୍ୟକ୍ରମ ହେବା ସହ ସ୍ଥାନୀୟ ରାଜା ବାସୁଦେବ ହାଇସ୍କୁଲ ଖେଳପଡିଆ, ଟାଉନ ହଲ ଏବଂ ବଡବଗିଚାରେ ମୀନା ବଜାର ଓ ଦୋଳିର ବ୍ୟବସ୍ଥା କରାଯାଇଛି। ସେପ୍ଟେମ୍ବର ୪ ତାରିଖ ଦିନ ଶ୍ରୀ ଗଣେଶଙ୍କ ଲଡୁ ନିଲାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଚଳିତ ବର୍ଷ ୭୭କିଲୋର ଲଡୁ ତିଆରି କରାଯିବ ବୋଲି କମିଟିର ସଭାପତି ରାଜକିଶୋର ଦାଶ ସୂଚନା ଦେଇଛନ୍ତି।
