ପାର୍ବଣ ଋତୁ ପାଇଁ ସୁରକ୍ଷା ବ୍ୟବସ୍ଥା ଉପରେ ଓଡ଼ିଶା ପୁଲିସ ପ୍ରସ୍ତୁତି କରିଦେଇଛି। ଏହି ସମୟରେ କିଛି ବ୍ୟକ୍ତିବିଶେଷ ବେଆଇନ ଚାନ୍ଦା ଆଦାୟ କରି ପୂଜା ଉତ୍ସବ ପାଳନ କରିବା ଭଳି ଘଟଣା ବିଭିନ୍ନ ସମୟରେ ନଜରକୁ ଆସିଥାଏ। ଏହାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଚାନ୍ଦା ଆଦାୟକୁ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ଚାନ୍ଦା ଆଦାୟକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ସମସ୍ତ ଜିଲ୍ଲାଏସପିଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ଏହ ସହ ତୃଣମୂଳ ସ୍ତରରେ ଏହାକୁ କାର୍ଯ୍ୟକାରୀ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଅପରାହ୍ନରେ ରାଜ୍ୟ ପୁଲିସ ମୁଖ୍ୟ କାର୍ଯ୍ୟାଳୟଠାରେ ଡିଜିପି ଶ୍ରୀ ଖୁରାନିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ପାର୍ବଣ ଋତୁ ସମୟରେ ରାଜ୍ୟବାସୀଙ୍କ ନିରାପତ୍ତା ତଥା ସୁରକ୍ଷାକୁ ଅଗ୍ରାଧିକାର ଦେଇ ସେ ଦିଗରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଏହାବ୍ୟତୀତ ସମ୍ବେଦନଶୀଳ ସ୍ଥାନ ଗୁଡିକରେ ପୁଲିସ ପାଟ୍ରୋଲିଂ, କଡାକଡି ଚେକିଂ, ଅଭ୍ୟାସଗତ ଅପରାଧୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ସହରର ସମ୍ବେଦନଶୀଳ ସ୍ଥାନ ଗୁଡିକରେ ସିସିଟିଭି ଲଗାଇବା, ଗୁଇନ୍ଦା ସୂଚନା ସଂଗ୍ରହ, ପୂଜା କମିଟି ସହ ଆଲୋଚନା, ବିଭିନ୍ନ ଗୋଷ୍ଠୀ ମାନଙ୍କ ସହ ବୈଠକ, ସ୍ଥାନୀୟ ଲୋକପ୍ରତିନିଧିମାନଙ୍କ ସହ ସୁସମ୍ପର୍କ ସ୍ଥାପନ, ଗୁଜବକାରୀଙ୍କୁ ଚିହ୍ନଟ, ପୂଜା ହେଉଥିବା ସ୍ଥାନରେ ବ୍ୟାପକ ପୁଲିସ ମୁତୟନ, ଭସାଣି ସମୟରେ ସତର୍କତା ପଦକ୍ଷେପ ଆଦି ପ୍ରସଙ୍ଗରେ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ସମସ୍ତ ଜିଲ୍ଲାର ଏସପି ତଥା ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଡିଜିପି ନିର୍ଦ୍ଦେଶ ଦେଇଥିଲେ। ଏହାସହ ଯେକୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ସଦାସର୍ବଦା ପ୍ରସ୍ତୁତ ରହିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି।
ଏହା ସହ ପାର୍ବଣ ଋତୁ ସମୟରେ ବେଆଇନ ଗୋ ଚାଲାଣ ଏବଂ ବେଆଇନ ବାଣ ବିକ୍ରି ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ଏତଦବ୍ୟତୀତ ପୂଜା ସମୟରେ ବିଭିନ୍ନ ସ୍ଥାନରେ କମିଟି ପକ୍ଷରୁ ମେଳାର ଆୟୋଜନ କରାଯାଇଥାଏ। ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ସ୍ଥାନଗୁଡିକୁ ପରିଦର୍ଶନରେ ଯାଇ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଅନୁଧ୍ୟାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
Post Views: 735