୧୮ରୁ ୨୫ ପର୍ଯ୍ୟନ୍ତ ଚାଲିବ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ୱର : ଆସନ୍ତା ୧୮ରୁ ୨୫ତାରିଖ ପର୍ଯ୍ୟନ୍ତ ବିଧାନସଭାର ମୌସୁମୀ ଅଧିବେଶନ ବସିବ । ଏଥିରେ ମୋଟ୍ ୭ଟି କାର୍ଯ୍ୟଦିବସ ରହିଛି । ରାଜ୍ୟରେ ଏବେ ସରକାରଙ୍କ ବିରୋଧରେ ମାଳ ମାଳ ପ୍ରସଙ୍ଗ ଥିବାରୁ ଏହି ଅଧିବେଶନ ସରଗରମ ହେବାର ସମ୍ଭାବନା ରହିଛି । ଉଭୟ ବିରୋଧୀ ଓ ଶାସକଙ୍କ ପାଇଁ ଏହି ଅଧିବେଶନ ବେଶ୍ ଗୁରୁତ୍ବ ବହନ କରୁଛି । ବିଧାନସଭା ଯେପରି ସୁରୁଖୁରରେ ଚାଲିବ ସେଥିପାଇଁ ବାଚସ୍ପତି ସୁରମା ପାଢ଼ୀ ଆଜି ସର୍ବଦଳୀୟ ବୈଠକ ଡାକିଛନ୍ତି ।

ଅଧିବେଶନଟି ସଂକ୍ଷିପ୍ତ ହେଲେ ବି ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଶାଣିତ ଆକ୍ରମଣ କରିବାକୁ ବିରୋଧୀ ବିଜେଡି ଓ କଂଗ୍ରେସ ଜୋରଦାର୍ ରଣନୀତି ପ୍ରସ୍ତୁତ କରୁଛନ୍ତି। ଆସନ୍ତା ଅଧିବେଶନରେ ଦୁଇ ବିରୋଧୀ ଦଳ ମୁଖ୍ୟତଃ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି, ସାର ସମସ୍ୟା, ଧାନ କିଣା ରେ ବିଭ୍ରାଟ, ଶିକ୍ଷାନୁଷ୍ଠାନ କ୍ୟାମ୍ପସ ଅଶାନ୍ତ, ରଥଯାତ୍ରା ବିଭ୍ରାଟ ଭଳି ପ୍ରସଙ୍ଗ ଉଠାଇବେ ବୋଲି ଜଣାପଡ଼ିଛି ।

ଆସନ୍ତାକାଲି ଉଭୟ ବିଜେଡି ଓ କଂଗ୍ରେସର ବିଧାୟକ ଦଳ ବୈଠକ ପୃଥକ ପୃଥକ ଭାବେ ବସିବ । ସେହିପରି କାଲି ବିଜେପି ବିଧାୟକ ଦଳର ବୈଠକ ବସିବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସାଧାରଣ ସମ୍ପାଦକ ମାନସ ମହାନ୍ତି ପ୍ରମୁଖ ଉପସ୍ଥିତ ରହିବେ ।

Spread the love