ଜାଗା ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟଣା, ୧୫ ଜଣଙ୍କୁ ଉଠାଇନେଲା ପୋଲିସ
ବ୍ରହ୍ମପୁର : ଜାଗା ବିବାଦକୁ ନେଇ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅଞ୍ଚଳରେ ଦୁଇ ଗାଁ ମଧ୍ୟରେ ବିବାଦକୁ ନେଇ ଗଣ୍ଡଗୋଳ ପରେ ଚାପା ଉତ୍ତେଜନା ଜାରି । ଗଣ୍ଡଗୋଳ ଘଟଣାରେ ଉଭୟ ରତ୍ନମଣିପୁର-ସିଙ୍ଗିପୁର ଗାଁର ୧୫ଜଣଙ୍କୁ ଉଠାଇନେଲା ପୋଲିସ । ଉଭୟ ଗାଁ ବାସିନ୍ଦା ଓ ସାନଖେମୁଣ୍ଡି ତହସିଲଦାରଙ୍କ ଏତଲା କ୍ରମେ ତିନିଟି କେଶ ରୁଜୁ ହୋଇଛି । ଉତ୍ତେଜନା ଲାଗି ରହିଥିବାରୁ ବିବାଦୀୟ ସ୍ଥଳରେ ବିଏନଏସର ୧୬୩ ଧାରା ଲାଗୁ ହୋଇଛି । ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ସ୍ୱାଭାବିକ ପରିସ୍ଥିତି ଫେରାଇ ଆଣିବାକୁ ପୋଲିସ ଓ ପ୍ରଶାସନ ଉଦ୍ୟମ ଜାରି ରଖିଛି ।
ନିର୍ମାଣାଧୀନ ହନୁମାନ ବାଟିକା ଭିତରେ ସିଙ୍ଗିପୁର ଗାଁ ର ଉତ୍ୟକ୍ତ ଲୋକ ପଶି ଭଙ୍ଗା ରୁଜା କରିବା ପରେ ଦୁଇ ଗାଁ ଲୋକ ମୁହାଁମୁହିଁ ହୋଇଥିଲେ । ପଥର ଟେକା ମାଡ଼ରେ ଉଭୟ ଗାଁ ର ପ୍ରାୟ ୧୦ଜଣ ଆହତ ହୋଇଥିଲେ ।v ସିଙ୍ଗିପୁର ପଂଚାୟତ ଅଧିନରେ ଥିବା ଏହି ବିବାଦୀୟ ସ୍ଥାନରେ ପୂର୍ବରୁ ପୋଖରୀ ଥିଲା । କିନ୍ତୁ ରତ୍ନମଣିପୁର ଗାଁ ଲୋକ ସେହି ସ୍ଥାନରେ ହନୁମାନ ବାଟିକା କାମ ଆରମ୍ଭ କରିଦେଇଥିଲେ । ଏହାକୁ ନେଇ ସୃଷ୍ଟି ହୋଇଥିଲା ବିବାଦ । ଉଭୟ ଗୋଷ୍ଠୀ ତହସିଲ, ବ୍ଲକ ଓ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରିଥିଲେ ବି କୌଣସି ସମାଧାନ ହୋଇପାରିନି।
