ବିପଦ ବଢ଼ାଉଛି ଜଙ୍କ୍ ଫୁଡ୍: ସଚେତନ ପାଇଁ ଅଙ୍ଗନୱାଡି, ଶିଶୁ ଯତ୍ନକେନ୍ଦ୍ର ଓ ଶକ୍ତି ସଦନରେ ଲାଗିବ ତେଲ ବୋର୍ଡ
ବିପଦ ବଢ଼ାଉଛି ଜଙ୍କ୍ ଫୁଡ୍ଅଧିକ ତେଲ ଖାଇବା ଦ୍ବାରା ବିଭିନ୍ନ ରୋଗରେ ପଡୁଛନ୍ତି ଲୋକ । ଏଥିପାଇଁ ସଚେତନ କରିବାକୁ ସରକାର ଆରମ୍ଭ କରିଛନ୍ତି ପ୍ରକ୍ରିୟା । କେଉଁ ଖାଦ୍ୟରେ କେତେ ତେଲ ରହିଛି ସେନେଇ ବୋର୍ଡ ଲଗାଯିବ । ଅଙ୍ଗନବାଡ଼ି ସେଣ୍ଟରଠାରୁ ଆରମ୍ଭ କରି ଘରୋଇ ପ୍ରତିଷ୍ଠାନ ପର୍ଯ୍ୟନ୍ତ ସବୁଠି ତେଲ ବୋର୍ଡ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।
କେଉଁ ଖାଦ୍ୟରେ କେତେ ତେଲ ଅଛି? ତାକୁ ଖାଇଲେ କ’ଣ ହେବ? ସେନେଇ ତେଲ ବୋର୍ଡ ଜରିଆରେ କରାଯିବ ସଚେତନ । ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି ମହିଳା ଓ ଶିଶୁ ବିକାଶ ବିଭାଗ । ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର, ଶିଶୁ ଯତ୍ନକେନ୍ଦ୍ର, ୱାନ୍ ଷ୍ଟପ୍ ସେଣ୍ଟର, ଶକ୍ତି ସଦନ, ଶକ୍ତି ନିବାସ ସହ ଘରୋଇ ପ୍ରତିଷ୍ଠାନରେ ତେଲ ବୋର୍ଡ ଲଗାଯିବ। ଉଭୟ ଓଡ଼ିଆ ଏବଂ ଇଂରାଜୀରେ ତେଲ ବୋର୍ଡ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । କେଉଁ ଜଙ୍କ୍ଫୁଡ୍ରେ କେତେ ପରିମାଣର ତେଲ ରହିଛି ତାହାର ଏକ ତାଲିକା ଦେଇଛି ବିଭାଗ । ୧୦୦ ଗ୍ରାମ୍ ସିଙ୍ଗଡ଼ାରେ ରହିଛି ୨୮ ଗ୍ରାମ୍ ତେଲ । ୧୦୦ ଗ୍ରାମ୍ ପକୋଡ଼ି ଖାଉଥିଲେ ୨୦ ଗ୍ରାମ୍ ତେଲ ଆପଣ ଖାଉଛନ୍ତି । ଯଦି ୧୦୦ ଗ୍ରାମ୍ ଆଳୁ ଚିପ୍ସ ଖାଉଛନ୍ତି ସେଥିରେ ତେଲର ପରିମାଣ ରହିଛି ୩୫ ଗ୍ରାମ୍ । ସେହିପରି ୧୦୦ ଗ୍ରାମ୍ ନିମ୍କିରେ ୪୦ ଗ୍ରାମ୍ ତେଲ, ୧୦୦ ଗ୍ରାମ୍ ଆଳୁ ଚିପ୍ସରେ ୨୪ ଗ୍ରାମ୍, ଛଣାସେଓ ୧୦୦ ଗ୍ରାମ୍ରେ ରହିଛି ୩୮ ଗ୍ରାମ୍ ତେଲ । ପ୍ରତିଦିନ ଜଣେ ବ୍ୟକ୍ତି କେବଳ ୨୭ରୁ ୩୦ ଗ୍ରାମ୍ ତେଲ ଖାଇବା ଉଚିତ୍ । ଅତ୍ୟଧିକ ତେଲ ଖାଇଲେ ହୃଦ୍ରୋଗ, ମୋଟାପଣ, ଯକୃତ ରୋଗ, ଉଚ୍ଚ ରକ୍ତଚାପ ପରି ରୋଗ ହୋଇପାରେ ।
