କାଙ୍ଗୁଲା ଦୁଷ୍କର୍ମ ପରେ ହତ୍ୟା ଘଟଣା :୩୦ ଦିନ ମଧ୍ୟରେ ଦିଆଯିବ ଚାର୍ଜସିଟ୍ : ଏସ୍ପି
ପ୍ରେମରେ ବିଫଳ ହେବାରୁ ସଂଜ୍ଞାହୀନ ଅବସ୍ଥାରେ ଦୁଷ୍କର୍ମ,
ହତ୍ୟା ପରେ ଦୁଷ୍କର୍ମ ଉଦ୍ୟମ
ଅନୁଗୁଳ, (ବିକାଶ ଚନ୍ଦ୍ର ସାହୁ): କାଙ୍ଗୁଲା ଛାତ୍ରୀ ଦୁଷ୍କର୍ମ ପରେ ହତ୍ୟା ଘଟଣାର ଅଭିଯୁକ୍ତ ଶ୍ରୀନିବାସ ଓରଫ ଅନାମ ଦେହୁରୀ(୨୨) ଗିରଫ ହେବା ପରେ ପୁଲିସ ଆଗରେ ଲୋମହର୍ଷଣକାରୀ ବୟାନ ଦେଇଛି। ଅମାନବୀୟ, ଜଘନ୍ୟ, ବର୍ବର ଭଳି ଯେତେସବୁ ଶବ୍ଦ ବ୍ୟବହାର କଲେ ବି ଏହି ଘଟଣା ପାଇଁ ସବୁ ଶବ୍ଦ କମ୍ ପଡ଼ିବ। ପ୍ରେମ ନିବେଦନ କରି ବିଫଳ ହେବାରୁ ସଂପୃକ୍ତ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଆକ୍ରମଣ କରି ସଂଜ୍ଞାହୀନ ଅବସ୍ଥାରେ ୨ ଥର ଦୁଷ୍କର୍ମ କରିଥିଲା। ଆଉ ଧରା ପଡ଼ିଯିବା ଭୟରେ ପଥରରେ ଛେଚି ନିର୍ମମ ଭାବେ ସେ ହତ୍ୟା କରିଥିଲା। ତଥାପି ମନ ନମାନିବାରୁ ସେ ପୁଣି ଥରେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା ବୋଲି ଅନୁଗୁଳ ଏସ୍୍ପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି। ୩୦ ଦିନ ମଧ୍ୟରେ କୋର୍ଟରେ ଚାର୍ଜସିଟ୍ ଦାଖଲ ସହ ଫାଷ୍ଟଟ୍ରାକ୍ କୋର୍ଟରେ ଏହି ମାମଲାର ବିଚାର ପାଇଁ ଅନୁରୋଧ କରାଯିବ ବୋଲି ଏସ୍୍ପି ଶ୍ରୀ ମହାପାତ୍ର କହିଛନ୍ତି।
ଗୁରୁବାର ରାତିରେ ଅନୁଗୁଳ ଥାନା ପରିସରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ୍ପି ମିତ୍ରଭାନୁ ମହାପାତ୍ର କହିଲେ, ଅଭିଯୁକ୍ତ ଅନାମ ଦେହୁରୀ ଓ ସ୍କୁଲ ଛାତ୍ରୀ ଉଭୟେ ଗୋଟିଏ ଗାଁ’ର ବାସିନ୍ଦା ହୋଇଥିବାରୁ ପରସ୍ପରକୁ ଚିହ୍ନି ଥିଲେ। ଏକତରଫା ପ୍ରେମ କରୁଥିବା ଅନାମ ଅାଗରୁ ଛାତ୍ରୀଙ୍କୁ ଅନେକ ଥରେ ପ୍ରେମ ପାଇଁ ନିବେଦନ କରିଥିଲା। ମାତ୍ର ଛାତ୍ରୀ ଜଣକ ପ୍ରତ୍ୟାଖ୍ୟାନ କରି ଅାସୁଥିଲେ। ଘଟଣା ଦିନ ସକାଳେ ଅନାମ ମଦ୍ୟପାନ କରିଥିଲା। ଅପରାହଣରେ ଛାତ୍ରୀ ଜଣକ ଖାଦ୍ୟ ଧରି ଦୋକାନକୁ ଯାଉଥିବାର ସୁଯୋଗ ନେଇ ତାଙ୍କ ପିଛା କରିଥିଲା। ଯୋର ପାଖ ନିଛାଟିଆ ଜାଗାରେ ତାଙ୍କୁ ପୁଣି ଥରେ ସେ ପ୍ରେମ ନିବେଦନ କରିଥିଲା। ପୂର୍ବ ଥର ଭଳି ଏଥର ବି ଛାତ୍ରୀ ଜଣକ ମନା କରିବାରୁ ଅନାମ ରାଗି ଯାଇ ଏକ ପଥରରେ ଆକ୍ରମଣ କରିଥିଲା। ଛାତ୍ରୀ ଜଣକ ସଂଜ୍ଞାହୀନ ହୋଇଯିବା ପରେ ତାଙ୍କୁ ବୁଦା ଭିତରକୁ ଟେକି ନେଇ ଦୁଇ ଥର ଦୁଷ୍କର୍ମ କରିଥିଲା। ଆଉ ଏହା ପରେ ସେ ପଥରରେ ଛେଚି ହତ୍ୟା କରିଥିଲା। ଯୌନ ପିପାସୁ ଅନାମ ହତ୍ୟା ପରେ ପୁଣି ଥରେ ମରଶରୀରକୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା। ତେବେ ଶବକୁ ଲୁଚାଇ ଦେଇ ଯୋରରେ ଛାତ୍ରୀଙ୍କ ରକ୍ତ ଭିଜା ଲୁଗାକୁ ଭସାଇ ଦେଇଥିଲା। ନିଜ ଦେହରେ ଲାଗି ଥିବା ରକ୍ତକୁ ସଫା କରି ଗାଧୋଇ ଘରକୁ ଚାଲି ଆସିଥିଲା। ଆଉ ସଂଗେ ସଂଗେ ବାଇକ୍ ଯୋଗେ ନିଜ ମାଉସୀ ଘର ବଳରାମ ପ୍ରସାଦକୁ ଚାଲି ଯାଇଥିଲା। ସେଠାରୁ କିଛି ଟଙ୍କା ନେଇ ଢେଙ୍କାନାଳ ଜିଲ୍ଲା ପର୍ଜଂଗ ଘଣ୍ଟୁଆଳମୁଣ୍ଡାକୁ ପଳାଇ ଥିଲା। ସେଠାରେ ରହୁଥିବା ତା’ର ବନ୍ଧୁବାନ୍ଧବଙ୍କୁ ଆହୁରି କିଛି ଟଙ୍କା ମାଗିଥିଲା। ଆଉ ଏକ ଅଟୋରିକ୍ସାରେ ସେଠାରୁ ବହ୍ଲର ଛକକୁ ଚାଲି ଆସିିଥିଲା। ସେଠାରୁ ପୁଣି ଟ୍ରକ୍ ଯୋଗେ ଭୁବନେଶ୍ବର ଏବଂ ଭୁବନେଶ୍ବରରୁ କୋଲ୍୍କାତାକୁ ଚମ୍ପଟ ମାରିଥିଲା। ଅଭିଯୁକ୍ତ ଅନାମର ବାହାଘର ଠିକ୍ ହୋଇ ସାରିଥିଲା।

ଛାତ୍ରୀଙ୍କ ପିତାଙ୍କ ଏତଲା ଅଧାରରେ ଅନୁଗୁଳ ଥାନା ପୁଲିସ ଆଇପିସିର ଧାରା ୩୭୬(୩), ୩୦୨, ୨୦୧ ଓ ୬ ପକ୍ସୋ ଆଇନ ଅନୁଯାୟୀ କେସ୍ ନମ୍ବର ୫୨/୨୦୧୯ ରୁଜୁ କରିଥିଲା। ଅଭିଯୁକ୍ତକୁ ଧରିବା ପାଇଁ ୪ଟି ଗଠନ କରିଥିଲା। ଟେକ୍ନିକାଲ ସର୍ଭିଲେନ୍ସ ସିଷ୍ଟମର ବି ସହାୟତା ନିଆଯାଇଥିଲା। ସେ କୋଲ୍କାତା ଯାଇଥିବାର ସୂଚନା ମିଳିବା ପରେ ଅନୁଗୁଳ ଥାନା ଅଧିକାରୀ ରମେଶ ବିଶୋଇଙ୍କ ନେତୃତ୍ବରେ ଏକ ଟିମ୍ ପଶ୍ଚିମବଂଗ ଯାଇଥିଲା। ୨୩ ତାରିଖ ଦିନ କୋଲ୍କାତାରୁ ତାକୁ ଗିରଫ କରିଥିଲା ବୋଲି ଏସ୍ପି ଶ୍ରୀ ମହାପାତ୍ର କହିଛନ୍ତି। ଆଜି ରାତିରେ ଅଭିଯୁକ୍ତ ଅନାମକୁ କୋର୍ଟ ଚାଲାଣ କରାଯାଇଛି। କୋର୍ଟରେ ଜାମିନ୍ ନାମାଞ୍ଜୁର ହେବାରୁ ତାକୁ ଜେଲ୍ ହାଜତକୁ ପଠାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ହରିହର ପାଣି, ଆଇଆଇସି ରମେଶ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ।