ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ୨୦୧ ଦମ୍ପତିଙ୍କ ସାମୂହିକ ବିବାହ ସମ୍ପନ୍ନ
ଭୁବନେଶ୍ୱର : ମା’ ତାରା ତାରିଣୀଙ୍କ ପବିତ୍ର ପୀଠରୁ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । ୨୦୧ ଦମ୍ପତିଙ୍କ ସାମୂହିକ ବିବାହ ସମ୍ପନ୍ନ । ମୁଖ୍ୟମନ୍ତ୍ରୀ ନିଜେ କର୍ତ୍ତା ଭାବେ ହୋମ କୁଣ୍ଡରେ ଆହୂତି ପ୍ରଦାନ କରି ନବ ଦମ୍ପତିଙ୍କୁ ଆଶୀର୍ବାଦ କରିଥିଲେ । ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ସାମିଲ୍ ପାଇଁ କନ୍ୟାର ବୟସ ୧୮ରୁ ୩୫ ବର୍ଷ ବୟସ ଓ ବରର ବୟସ ୨୧ରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ ।
ଏଥିସହ ସେମାନେ ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବେ । ଏହି ଯୋଜନାରେ ଯୋଗ୍ୟକନ୍ୟାଙ୍କୁ ୬୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଉଛି । ୪୫ ହଜାର ଟଙ୍କା ସିଧାସଳଖ କନ୍ୟାର ବ୍ୟାଙ୍କ ଆକାଉଣ୍ଟକୁ ଓ ୧୫ ହଜାର ଟଙ୍କା ବିବାହ କାର୍ଯ୍ୟ ସମ୍ପାଦନ ପାଇଁ ଖର୍ଚ୍ଚ କରାଯାଉଛି । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଝିଅମାନେ ପିତାମାତାଙ୍କ ପାଇଁ ବୋଝ ନୁହନ୍ତି, ଭଗବାନଙ୍କ ଆଶୀର୍ବାଦ ।
ଏହି ଯୋଜନା ମୁଖ୍ୟତଃ ଆର୍ଥିକ ଦୁର୍ବଳ ଶ୍ରେଣୀର ପରିବାରଙ୍କ ଉପରେ ବିବାହର ଆର୍ଥିକ ଭାର ଲାଘବ କରିବା ସହିତ ମହିଳାଙ୍କ ସମ୍ମାନ, ସାମାଜିକ ସୁରକ୍ଷାକୁ ଉତ୍ସାହିତ କରିବ । ଯୌତୁକ ପ୍ରଥାକୁ ନିବାରଣ କରିବା ଦିଗରେ ସହାୟକ ହେବ । ୨୦୨୫-୨୬ ରୁ ୨୦୨୯-୩୦ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଜିଲ୍ଲାରେ ଏହା କାର୍ଯ୍ୟକାରୀ କରାଯିବ । ଏଥିପାଇଁ ବଜେଟରେ ୫୯ କୋଟିରୁ ଅଧିକ ଟଙ୍କାର ବ୍ୟବସ୍ଥା କରାଯାଇଛି । ସୁଭଦ୍ରା ଯୋଜନା ଓ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ରାଜ୍ୟର ମହିଳାଙ୍କୁ ସମସ୍ତ ଦିଗରୁ ସୁରକ୍ଷା ଓ ଆତ୍ମସମ୍ମାନ ପ୍ରଦାନ କରିବାରେ ନିଶ୍ଚିତ ରୂପରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
