ସରକାର ଗଠନ ହେବାର ୨୪ ଘଣ୍ଟାରେ ପୁଣି ଅଶାନ୍ତ ମଣିପୁର, କୁକି ସମ୍ପ୍ରଦାୟର ବିଧାୟକଙ୍କ ନିଷ୍ପତ୍ତିକୁ ନେଇ ଏଭଳି କାଣ୍ଡ
ମଣିପୁର : ପୁଣି ମଣିପୁର ଅଶାନ୍ତ । ଅଶାନ୍ତ ମଣିପୁରରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ପୁନଃସ୍ଥାପିତ ହେବାର ଗୋଟିଏ ଦିନ ପରେ ପୁଣି ହିଂସା ଦେଖାଦେଇଛି । ବିଧାୟକ ନେମଚା କିପଗେନଙ୍କ ବିଜେପି ନେତୃତ୍ୱାଧୀନ ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବରେ ଯୋଗଦାନ କରିବା ବିରୋଧରେ ପ୍ରତିବାଦ ହୋଇଛି । ପାଞ୍ଚ ଜଣ କୁକି ସମ୍ପ୍ରଦାୟର ବିଧାୟକଙ୍କ ବିଜେପିର ଯୋଗଦାନ ନିଷ୍ପତ୍ତିକୁ ନେଇ କୁକି ସଂଗଠନଗୁଡ଼ିକ ଚୁରାଚାନ୍ଦପୁର ଜିଲ୍ଲାରେ ହିଂସା ଘଟାଇଛନ୍ତି ।
ଅଧିକାରୀଙ୍କ ଅନୁଯାୟୀ, ପ୍ରତିବାଦକାରୀମାନେ ତୁଇବଙ୍ଗ ବଜାର ନିକଟରେ ଏକତ୍ରୀତ ହୋଇ ଟାୟାର ଜାଳି ପ୍ରତିବାଦ କରିଛନ୍ତି । ପ୍ରତିବାଦକାରୀ କିପଗେନଙ୍କ ବିରୁଦ୍ଧରେ ସ୍ଲୋଗାନ ମଧ୍ୟ ଦେଇଛନ୍ତି । ସୁରକ୍ଷା ବାହିନୀ ଭିଡ଼କୁ ଘଉଡ଼ାଇବାକୁ ଚେଷ୍ଟା କରିବା ପରେ ପରିସ୍ଥିତି ଆହୁରି ଖରାପ ହୋଇଛି । ସୁରକ୍ଷା ବାହିନୀ ଲାଠିଚାର୍ଜ କରି ପ୍ରତିବାଦକୁ ଦମନ କରିବାକୁ ଚେଷ୍ଟା କରିଛି ।
ମୈତେଇ-କୁକି ବିବାଦ ଦ୍ୱାରା ପ୍ରଭାବିତ ମଣିପୁରରେ ଏନଡିଏ ସରକାରର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ବୁଧବାର ଦିନ ବିଜେପିର ୟୁମନାମ୍ ଖେମଚାନ୍ଦ ସିଂହ ଶପଥ ଗ୍ରହଣ କରିଥିଲେ । ତାଙ୍କ ସହିତ କୁକି ବିଧାୟକ ନେମଚା କିପଗେନ୍ ଏବଂ ନାଗା ବିଧାୟକ ଲୋସି ଦିଖୋ ଉପମୁଖ୍ୟମନ୍ତ୍ରୀ ଭାବରେ ମଧ୍ୟ ଶପଥ ଗ୍ରହଣ କରିଥିଲେ । ମଣିପୁରରେ ମୈତେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ଜାତିଗତ ହିଂସା ୨୦୨୩ ମସିହା ମେ ମାସରେ ଘଟିଥିଲା । ଅଶାନ୍ତି ଜାରି ରହିବା ପରେ ଗତ ବର୍ଷ ଫେବୃଆରୀରେ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା ।
