ଗନ ପଏଣ୍ଟରେ ବ୍ୟବସାୟୀଙ୍କ ଠାରୁ ଲୁଟ

ଉଦଳା : ଟାର୍ଗେଟ କରି ଆସିଲେ, ଗାଁ ରାସ୍ତାରେ ଅଟକାଇଲେ ଆଉ ଗନ ପଏଣ୍ଟରେ ଲୁଟିନେଲେ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କାର ରୂପା ଅଳଙ୍କାର । ଏଭଳି ଘଟଣା ଘଟିଛି ଖୁଣ୍ଟା ଥାନା ଧନାପନା ଗ୍ରାମରେ ।  ଗ୍ରାମର କମଳ ଲୋଚନ ରଣା ଆଜି କହ୍ନେଇବନ୍ଧ ସାପ୍ତାହିକ ହାଟକୁ ରୂପା ଦୋକାନ ନେଇ ଯାଇଥିଲେ ।  ହାଟରେ ସେ ରୂପା ଦୋକାନ କରି ବେପାର ସାରି ଘରକୁ ଫେରୁଥିଲେ ।

ସନ୍ଧ୍ୟା ସମୟରେ ହାଟରୁ ଫେରି ଧନାପନା ଗ୍ରାମ ରାସ୍ତାରେ ଯାଉଥିବା ବେଳେ ଅଚାନକ ଦୁଇ ଗୋଟି ବାଇକରେ ଚାରି ଜଣ ମୁଖା ପିନ୍ଧା ଲୁଟେରା ଆସି ତାଙ୍କୁ ରାସ୍ତାରେ ଅଟକାଇଥିଲେ ।  ଏବଂ କମଳ ଲୋଚନଙ୍କ ବେକକୁ ଗାଡି ଉପରେ ଜାବୁଡି ଧରିବା ସହିତ ବେକରେ ବନ୍ଧୁକ ଲଗାଇ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ।

ଗାଡି ଡ଼ିକି ଖୋଲି ସେଥିରେ ଥିବା ଲକ୍ଷାଧିକ ଟଙ୍କାର ରୂପା ଏବଂ ଗାଡ଼ିରେ ଟଙ୍ଗା ଯାଇଥିବା ଏକ ବ୍ୟାଗକୁ ମଧ୍ୟ ଦୁର୍ବୃତ୍ତମାନେ ଲୁଟିନେଇଥିଲେ ।  କାଣ୍ଡ ଭିଆଇବା ପରେ ଲୁଟେରାମାନେ ଆଖି ପିଛୁଳାକେ ଖସି ଯାଇଥିଲେ ।  ବ୍ୟବସାୟୀ କମଳ ଲୋଚନ ଏ ନେଇ ପୋଲିସକୁ ଜଣାଇବା ପରେ ଖୁଣ୍ଟା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ  କରିଛି । ଲୁଟେରାମାନେ ହିନ୍ଦୀ ଭାଷାରେ କଥା ହେଉଥିବା ବେଳେ ମୁହଁରେ ମୁଖା ପିନ୍ଧିଥିଲେ ।

Spread the love