ନିତା ଅମ୍ବାନୀଙ୍କୁ କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ

ଭୁବନେଶ୍ୱର: ରିଲାଏନ୍‍ସ ଫାଉଣ୍ଡେସନର ପ୍ରତିଷ୍ଠାତା ଓ ଚେୟାରପର୍ସନ ନିତା ଏମ୍‌. ଅମ୍ବାନୀଙ୍କୁ  କିସ୍‍ ହ୍ୟୁମାନିଟାରିଆନ୍‍ ସମ୍ମାନ-୨୦୨୫ ପ୍ରଦାନ କରାଯାଇଛି। ସୋମବାର କିସ୍‍  ସ୍ଥିତ ଦୂତିଚାନ୍ଦ ଆଥ୍‍ଲେଟିକ୍‍ ଷ୍ଟାଡିୟମରେ  କିସ୍‍ର ୪୦ ହଜାର ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ନିତା ଅମ୍ବାନୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଅବସରରେ ଶ୍ରୀଲଙ୍କାର ନୋବେଲ ବିଜେତା ପ୍ରଫେସର ମୋହନ ମୁନାସିଂହେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଓ କିଟ୍‍ ଓ କିସ୍‍ ସଭାପତି ଶାଶ୍ୱତୀ ବଳଙ୍କ ଉପସ୍ଥିତିରେ ଏହି ସମ୍ମାନ ପ୍ରଦାନ କରିଥିଲେ। ରିଲାଏନ୍‍ସ ଫାଉଣ୍ଡେସନ ମାଧ୍ୟମରେ ଶିକ୍ଷା, ସ୍ୱାସ୍ଥ୍ୟସେବା, ଗ୍ରାମୀଣ ପରିବର୍ତ୍ତନ, ମହିଳା ସଶକ୍ତିକରଣ ଏବଂ କ୍ରୀଡା ପ୍ରୋତ୍ସାହନ ମାଧ୍ୟମରେ ସାମାଜିକ ବିକାଶରେ ଉଲ୍ଲେଖନୀୟ ଅବଦାନ ସକାଶେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି ସମ୍ମାନ ଗ୍ରହଣ କରିବା ସହ କିସ୍‍ ଓ ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଧନ୍ୟବାଦ ଦେଇ ଶ୍ରୀମତୀ ଅମ୍ବାନୀ କହିଲେ ଓଡ଼ିଶାରେ ଅନେକ ଭବ୍ୟ ମନ୍ଦିର ରହିଛି। ଅଚ୍ୟୁତ ସାମନ୍ତ ଦୁଇଟି ମନ୍ଦିର ନିର୍ମାଣ କରିଛନ୍ତି। ତାହା ହେଉଛି ଦୁଇଟି ଆଧୁନିକ ଶିକ୍ଷା ମନ୍ଦିର – କିଟ୍‍ ଓ କିସ୍‍। ଏହି ଦୁଇଟି ଅନୁଷ୍ଠାନ ଆମ ଦେଶ ପାଇଁ ଗର୍ବ। ସମ୍ମାନଜନକ କିସ୍ ହ୍ୟୁମାନିଟାରିଆନ୍‍ ପୁରସ୍କାର ପାଇ ନିଜକୁ ଗର୍ବିତ ଅନୁଭବ କରୁଛନ୍ତି ଏବଂ ଏହି ସମ୍ମାନ କେବଳ ତାଙ୍କର ନୁହେଁ ବରଂ ରିଲାଏନ୍‍ସ ଫାଉଣ୍ଡେସନର ସମସ୍ତ ସଦସ୍ୟଙ୍କ ପାଇଁ ଉଦ୍ଦିଷ୍ଟ ବୋଲି ସେ କହିଥିଲେ। କିସର ୪୦ ହଜାର ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ସେ କହିଲେ, ତୁମେ ମୋତେ ଏଠାରେ ଦେଇଥିବା ସମ୍ମାନ ଓ ଭଲପାଇବାକୁ ମୁଁ କେବେବି ଭୁଲି ପାରିବି ନାହିଁ। କିଟ୍‍ ଓ କିସ୍‍ ପରିଦର୍ଶନ କରିବା ତାଙ୍କ ପାଇଁ ପ୍ରକୃତରେ ସୌଭାଗ୍ୟର ବିଷୟ ବୋଲି ସେ କହିଥିଲେ। ଭଗବାନ ଜଗନ୍ନାଥଙ୍କ ପବିତ୍ର ଭୂମିକୁ ଆସି ବେଶ ଅଭିଭୂତ ବୋଲି ପ୍ରକାଶ କରିବା ସହ ଓଡ଼ିଶାର ଏକ ସମୃଦ୍ଧ ସଂସ୍କୃତି, ପରମ୍ପରା ଓ ମୂଲ୍ୟବୋଧ ରହିଛି। ଓଡ଼ିଶାବାସୀ ପ୍ରକୃତି ସହ ଏକ ଗଭୀର ସଂଯୋଗ ରହିଛି।

Spread the love

Leave a Reply

Your email address will not be published. Required fields are marked *