କାଳବୈଶାଖୀ ଜନିତ ବଜ୍ରପାତରେ ଜଳିଗଲା ଘର, ଧାନ-ଚାଉଳ ସହ ନଗଦ ଟଙ୍କା ପୋଡ଼ି ପାଉଶଁ
ଜଳେଶ୍ବର: କାଳବୈଶାଖୀ ଜନିତ ବଜ୍ରପାତରେ ଜଳିଗଲା ଘର । ମୃତ୍ଯୁମୁଖରୁ ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ । ନିଆଁ ଲାଗିବା ଯୋଗୁ ଘରର ସମସ୍ତ ଆସବାବପତ୍ର, ଧାନ,ଚାଉଳ, ନଗଦ ଟଙ୍କା ପୋଡ଼ି ପାଉଶଁ ହେବା ସହ ୯ ଟି ଛେଳି ଏବଂ ୫ ଟି କୁକୁଡା ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି ।
ବାଲେଶ୍ବର ଜିଲ୍ଲା ସିଂଲାଥାନା ଅନ୍ତର୍ଗତ ସାର୍ଥା ପଞ୍ଚାୟତର ବାଂଶ୍ରୀଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଏହି ଗ୍ରାମର ଗୋବର୍ଧନ ଧଡାଙ୍କ ଘର ନିକଟରେ ବିଳମ୍ବିତ ରାତିରେ ବଜ୍ରପାତ ହେବା ସହ ହଠାତ ଘରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବାପରେ ପରିବାର ଲୋକେ ଜୀବନ ବିକଳରେ ଘରୁ ବାହାରକୁ ଦୌଡି ପଳାଇଥିଲେ। ହୁତୁହୁତୁ ହୋଇ ଘରଟି ଜଳିଯାଇଥିଲା ।
ସାହି ପଡିଶା ଏବଂ ପରିବାର ଲୋକେ ନିଆଁ ଲିଭାଇବାକୁ ଚେଷ୍ଟାକରିଥିଲେ ମଧ୍ଯ ନିଆଁକୁ ଆୟତ୍ତ କରିପାରିନଥିଲେ । ଖବର ପାଇ ବାଲେଶ୍ବର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ଯ ସେତେବେଳକୁ ଘରଟି ସମ୍ପୂର୍ଣ୍ଣ ଜଳି ପୋଡ଼ି ପାଉଶଁ ହୋଇଯାଇଥିଲା । ଆନୁମାନିକ ୫ ଲକ୍ଷରୁ ଉର୍ଧ୍ବ ଟଙ୍କାର ସମ୍ପତି ପୋଡ଼ି ପାଉଶଁ ହୋଇଥିବାବେଳେ ଗୋବର୍ଧନଙ୍କ ପରିବାର ଅତ୍ଯନ୍ତ ଗରୀବ ଶ୍ରେଣୀର ହୋଇଥିବାରୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି ।
