ସମ୍ ନର୍ସିଂ କଲେଜ -୨ ର ବାର୍ଷିକ ଉତ୍ସବ ‘ରେସିଲିଆ’ ଓ ବିଏସ୍ସି ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କ ଶପଥ ପାଠ ଉତ୍ସବ ଅନୁଷ୍ଠିତ
ଭୁବନେଶ୍ୱର, ମାର୍ଚ୍ଚ ୧୭ : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ବିଶ୍ୱବିଦ୍ୟାଳୟ ପରିଚାଳିତ ସମ୍ ନର୍ସିଂ କଲେଜ -୨, ଫୁଲନଖରାର (୨୦୨୫-୨୯) ବିଏସ୍ସି ନର୍ସିଂ ପ୍ରଥମ ବ୍ୟାଚର ଶପଥ ପାଠ ଓ ଦୁଇ ଦିନିଆ ବାର୍ଷିକ ଉତ୍ସବ ‘ରେସିଲିଆ’ ମଙ୍ଗଳବାର ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ନର୍ସିଂ କଲେଜ -୨ (୨୦୨୫-୨୯) ବିଏସ୍ସି ନର୍ସିଂ ବ୍ୟାଚର ୨୧୭ ଜଣ ଛାତ୍ରଛାତ୍ରୀ ଶପଥ ଗ୍ରହଣ କରିଥିଲେ । ଏହି ଅବସରରେ କଟକ ଏସିବି ମେଡିକାଲ କଲେଜର ସ୍ତ୍ରୀ ରୋଗ ଏବଂ ପ୍ରସୂତି ବିଭାଗର ପୂର୍ବତନ ପ୍ରଫେସର (ଡ) ସରୋଜିନୀ ଷଡଙ୍ଗୀ ସ୍ୱତନ୍ତ୍ର ଅତିିଥି ଭାବେ ଯୋଗ ଦେଇ କହିଥିଲେ ଯେ ନର୍ସିଂ ଏକ ମହାନ୍ ଓ ଉତମ ବୃତି ଏବଂ ମାନବ ସେବାର ପ୍ରକୃଷ୍ଟ ମାଧ୍ୟମ ଅଟେ । ନର୍ସଙ୍କୁ ସ୍ୱାସ୍ଥ୍ୟକ୍ଷେତ୍ରର ମେରୁଦଣ୍ଡ କହିଲେ ଅତ୍ୟୁକ୍ତି ହେବ ନାହିଁ । ନର୍ସଟିର ହସ ହସ ମୁହଁ ସହିତ ସ୍ନେହ, ଶ୍ରଦ୍ଧା, ଦୟାମନୋଭାବ ଓ ନିଃସ୍ୱାର୍ଥପର ସେବା ମନୋବୃତି ଦ୍ୱାରା ରୋଗୀଟି ସଂପୂର୍ଣ୍ଣ ଭାବେ ସୁସ୍ଥ ଲାଭ କରିଥାଏ ବୋଲି ସେ କହିଥିଲେ ।
ସେହିପରି ବ୍ରହ୍ମପୁର ନର୍ସିଂ କଲେଜର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର ସରୋଜ ନଳିନୀ ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗ ନର୍ସିଂ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ବୃତିଗତ ଶିକ୍ଷାକୁ ଅଧ୍ୟୟନ କରିବା ନିମନ୍ତେ ଚୟନ କରିଥିବାରୁ ସେମାନଙ୍କୁ ବେଶ୍ ଉତ୍ସାହିତ କରିଥିଲେ । ଏହା ସେମାନଙ୍କ ଜୀବନର ଏକ ନୂତନ ପର୍ଯ୍ୟାୟ । ଏହି ଲ୍ୟାମ୍ପ ଲାଇଟିଂ ସମାରୋହ ମାଧ୍ୟମରେ ଛାତ୍ରଛାତ୍ରୀ ନର୍ସିଂ ଭଳି ମହାନ ବୃତିରେ ପ୍ରବେଶ କରିଥାନ୍ତି । କେବଳ ସେତିକି ନୁହେଁ ବରଂ ଶପଥ ପାଠ ସେମାନଙ୍କୁ ଯତ୍ନ ଏବଂ ସେବା ନିମନ୍ତେ ଶିକ୍ଷିତ କରିବ ବୋଲି ସେ କହିଥିଲେ ।
ଏହି ଅବସରରେ ଓଡିଶା ସରକାରଙ୍କ ନର୍ସିଂ ନିର୍ଦ୍ଦେଶକ ଡକ୍ଟର ଶକ୍ତି ପ୍ରକାଶ ମିଶ୍ର ସମ୍ମାନିତ ଅତିିଥି ଭାବେ ଯୋଗ ଦେଇ ଫ୍ଲୋରେନ୍ସ ନାଇଟିଙ୍ଗଲଙ୍କ ମନୋଭାବ ଏବଂ ପଥକୁ ପାଥେୟ କରି ଶିକ୍ଷା ଗ୍ରହଣ କରିବା ସହ ନିଜ ବୃତିରେ ଆଗେଇବାକୁ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇଥିଲେ ।
କାର୍ଯ୍ୟକ୍ରମରେ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ କ୍ୟାମ୍ପସ-୨, ଫୁଲନଖରାର ଡିନ୍ ପ୍ରଫେସର (ଡାକ୍ତର) ଅରକ୍ଷିତ ସ୍ୱାଇଁ ଏବଂ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ରାଜେଶ କୁମାର ଲେଙ୍କା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ସମ୍ ନର୍ସି କଲେଜ -୨ର ଏସ୍ଏନ୍ସିର ନିର୍ଦ୍ଦେଶିକା ପ୍ରଫେସର ପ୍ରଭାତୀ ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ କୋଅର୍ଡିନେଟର ତଥା ସମ୍ ନର୍ସି କଲେଜ -୨ର ଡିନ୍ ପ୍ରଫେସର ଅନୁରାଧା ପଣ୍ଡା ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ କ୍ୟାମ୍ପସ-୨ର ସ୍ତ୍ରୀ ଓ ପ୍ରସୂତି ବିଭାଗର ଆସିଷ୍ଟାଂଟ ପ୍ରଫେସର ଶ୍ରୀମତି ତନୁସ୍ମିତା ଦାସ ଛାତ୍ରଛାତ୍ରୀମାନଙ୍କୁ ଫ୍ଲୋରେନ୍ସ ନାଇଟିଙ୍ଗଲ୍ ଶପଥ ଗ୍ରହଣ କରାଇଥିବାବେଳେ ସମ୍ ନର୍ସିଂ କଲେଜ-୨ର ଏମ୍.ଏସ୍.ସି ଟ୍ୟୁଟର୍ ଶ୍ରୀମତି ପୁଷ୍ପାଞ୍ଜଳି ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
