ବିଳମ୍ବିତ ରାତିରେ ଗଛକୁ ପିଟିଲା କାର, ୨ ମୃତ
ଲମତାପୁଟ୍: ବିଳମ୍ବିତ ରାତିରେ ଗଛକୁ ପିଟିଲା କାର । ମର୍ମନ୍ତୁଦ ଦୁର୍ଘଟଣାରେ ୨ ମୃତ । କୋରାପୁଟ ଜିଲ୍ଲା ନନ୍ଦପୁର ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ନିକଟରେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି । ଗୋଟିଏ କାର ୨ ଆରୋହୀଙ୍କୁ ନେଇ ନନ୍ଦପୁର ଆଡୁ ପାଡ଼ୁଆକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା କଡ଼ର ଆମ୍ବ ଗଛକୁ ଧକ୍କା ଦେଇଥିଲା। ଦୁର୍ଘଟଣାର ଭୟାବହତା ଭୟଙ୍କର ଥିଲା। ଦୁର୍ଘଟଣାରେ ଗାଡ଼ିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।
ଆରୋହୀମାନେ ଗାଡ଼ି ଭିତରେ ଅଟକି ରହିଥିଲେ। ନନ୍ଦପୁର ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ମୃତ ଘୋଷଣା କରିଛନ୍ତି । ମୃତକ ମାନେ ହେଲେ ବାଇଲଗୁଡା ଗାଁର ଲବ ଖରା ଓ ଖୁଡୁବ ଗାଁର ଅନନ୍ତ ପାଙ୍ଗି । ଘଟଣାସ୍ଥଳରେ ନନ୍ଦପୁର ପୋଲିସ ପହଞ୍ଚି ତଦନ୍ତ କରିଛି ।
ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାର ସୁରଡା ଥାନା ସୀମା ଅନ୍ତର୍ଗତ ପଟାପାଲି ଛକରେ ଓଡ଼ିଶା ସରକାରଙ୍କ ଲକ୍ଷ୍ମୀ ବସ୍ ଓ ଏକ ବାଇକ୍ ସହିତ ମୁହାଁମୁହିଁ ଧକ୍କା ହେବା ଫଳରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା । ମୃତକମାନେ ମାନିଆକାଠି ଗ୍ରାମର ସିଲୁ ମୁଲି, ଟିଲୁ ଗୌଡ଼ ଏବଂ ଶଙ୍କର ଗୌଡ଼ ବୋଲି ଚିହ୍ନଟ କରାଯାଇଥିଲା ।
ସୁରଡାରୁ ଅସୁରବନ୍ଧକୁ ବାଇକ୍ ଯୋଗେ ଯାଉଥିବା ତିନି ଜଣ ବ୍ୟକ୍ତି ବିପରୀତ ଦିଗରୁ ଆସୁଥିବା ଏକ ଲକ୍ଷ୍ମୀ ବସ୍ (OD07AT9515) ଦୁଇ ଚକିଆ ଗାଡ଼ି ସହିତ ମୁହାଁମୁହିଁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ହିଁ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା ।
କିଛି ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ବିଷୟରେ ସୁରଡା ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ । ତୁରନ୍ତ ସ୍ଥାନୀୟ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ । ସମସ୍ତ ତିନି ଜଣଙ୍କୁ ସୁରଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।
ଏହି ଦୁଃଖଦ ଦୁର୍ଘଟଣା ବିଷୟରେ ସୂଚନା ପାଇବା ପରେ, ଅନେକ ସ୍ଥାନୀୟ ବାସିନ୍ଦା ଡାକ୍ତରଖାନାରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଲକ୍ଷ୍ମୀ ବସ୍ ଡ୍ରାଇଭରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଗୋଟିଏ ଗାଁର ତିନି ଜଣଙ୍କର ଦୁର୍ଭାଗ୍ୟଜନକ ମୃତ୍ୟୁ ପରେ ଗାଁରେ ଶୋକର ଛାୟା ଖେଳିଯାଇଥିଲା।
