ଓଲଟିଲା ମିନି ଟ୍ରକ୍‌: ୭ ମୃତ, ୩୦ରୁ ଅଧିକ ଆହତ

ପୁଣି ଏକ  ଦୁର୍ଘଟଣା। ଘାଟିରୁ ଓଲଟି ପଡ଼ିଲା ମିନିଟ୍ରକ୍‌। ଏଥିରେ 7 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ 30 ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମୃତକଙ୍କ ମଧ୍ୟରେ3 ଜଣ ମହିଳା, 2 ଜଣ ଯୁବକ ଓ 2ଜଣ ଶିଶୁ ଅଛନ୍ତି ବୋଲି ସୂଚନା ମିଳିଛି। ଏ ଦୁର୍ଘଟଣା ଘଟିଛି କନ୍ଧମାଳ ଜିଲ୍ଲାର ବ୍ରାହ୍ମଣୀଗାଁ ବଙ୍ଗଡ଼ଦୁଆ ଘାଟିରେ। ପ୍ରାୟ 50 ଫୁଟ୍ ତଳକୁ ଟ୍ରକ୍‌ଟି ଖସି ପଡ଼ିଥିବା ଜଣାଯାଇଛି। ମୃତାହତମାନେ କଳିଙ୍ଗି, ତାରଜେଙ୍ଗି ଓ ଗଦାପୁର ଗାଁର ବୋଲି ସୂଚନା ମିଳିଛି। ସେମାନେ ବ୍ରାହ୍ମଣୀଗାଁରେ ଏକ ଚର୍ଚ୍ଚରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲା ବୋଲି ସୂଚନା ମିଳିଛି। ଦିନ ପ୍ରାୟ 11ଟା ବେଳେ ଏହି ଘଟଣା ଘଟିଥିବା କୁହାଯାଉଛି। ମିନି ଟ୍ରକ୍‌ରେ 40ରୁ ଅଧିକ ଲୋକ ଥିଲେ। ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ି ନାହିଁ।

ଗାଡ଼ି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ବୋଲି କୁହାଯାଉଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁ ମଧ୍ୟ ଏପରି ଘଟିଛି ବୋଲି କୁହାଯାଉଛି। ଆହତମାନଙ୍କୁ ବ୍ରାହ୍ମଣୀଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତରମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଯାଇଛି। ଘଟଣାସ୍ଥଳରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ, ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିଥିଲେ। କନ୍ଧମାଳ ଜିଲ୍ଲାପାଳ ଓ ଉପ-ଜିଲ୍ଲାପାଳ ବ୍ରହ୍ମଣୀଗାଁ ଡାକ୍ତରଖାନା ଯାଇ ଆହତଙ୍କ ଚିକିତ୍ସା ବ୍ୟବସୋଥା ଅନୁଧ୍ୟାନ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ଏହା ସହିତ ମୃତକଙ୍କ ପରିବାର ଲୋକଙ୍କୁ 2 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଆହତମାନଙ୍କୁ ମାଗଣା ଚିକିତ୍ସା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

Spread the love